ନୂଆଦିଲ୍ଲୀ,୨୭/୫ : କଂଗ୍ରେସ ନେତା ତଥା ଲୋକସଭାର ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ଆସନ୍ତା ୪ଜୁନରେ ଦୁଇ ଦିନିଆ ଉତ୍ତରାଖଣ୍ଡ ଗସ୍ତରେ ଯାଉଛନ୍ତି । ଏହି ଗସ୍ତକୁ ୨୦୨୭ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଲାଗି ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । ଦଳ ଆଶା କରୁଛି କି ରାହୁଲ ଗାନ୍ଧୀଙ୍କ ଗସ୍ତ ସଂଗଠନରେ ନୂଆ ଆଶା ଭରିବ । ଏହାସହ କାର୍ଯ୍ୟକର୍ତ୍ତାଙ୍କୁ ଏକଜୁଟ୍ କରିବାରେ ସାହାଯ୍ୟ କରିବ ।

ଗସ୍ତର ପ୍ରଥମ ଦିନ ରାହୁଲ ଗାନ୍ଧୀ ଅଲ୍ମେଡ଼ାରେ ଜନସଭାକୁ ସମ୍ବୋନ୍ଧିତ କରିବେ । ଏହାପରେ ସେ ପ୍ୟାଡିରେ ଆୟୋଜିତ ପୂର୍ବତନ ସୈନିକ ସମ୍ମିଳନୀରେ ସାମିଲ ହେବେ । ଉତ୍ତରାଖଣ୍ଡରେ ବଡ଼ ସଂଖ୍ୟାରେ ସୈନିକ ଏବଂ ପୂର୍ବତନ ସୈନିକ ପରିବାର ରହିଥାନ୍ତି । ଏଥିଲାଗି କଂଗ୍ରେସ ଏହାକୁ ଭାବନାତ୍ମକ ଏବଂ ରାଜନୈତିକ ଉଭୟ ସ୍ତରକୁ ମହତ୍ବପୂର୍ଣ୍ଣ ମାନୁଛି । ୫ଜୁନରେ ଦେହରାଡୁନରେ ପ୍ରଦେଶ କଂଗ୍ରେସ କମିଟି, ବିଧାୟକ, ପୂର୍ବତନ ବିଧାୟକ ଏବଂ ବିଭିନ୍ନ ସଂଗଠନର ପ୍ରତିନିଧି ସହ ବୈଠକ କରିବେ । କୁହାଯାଉଛି କି ଏହି ବୈଠକରେ ସଂଗଠନର ସ୍ଥିତି, ନିର୍ବାଚନୀ ରଣନୀତି ଏବଂ ଆଭ୍ୟନ୍ତରୀଣ ପାର୍ଥକ୍ୟ ଉପରେ ଆଲୋଚନା କରାଯିବ।

ପ୍ରକାଶ ଯେ, ଉତ୍ତରାଖଣ୍ଡ କଂଗ୍ରେସ ଲମ୍ବା ସମୟରୁ ଗୋଷ୍ଠୀ କନ୍ଦଳ ଭିତରେ ରହିଛି । ନେତାଙ୍କ ମଧ୍ୟରେ ସବୁବେଳେ ମନମାଳିନ୍ୟ କଥା ସାମ୍ନାକୁ ଆସୁଛି । ଏଭଳିସ୍ଥଳେ ରାହୁଲ ଗାନ୍ଧୀଙ୍କ ସାମ୍ନାରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ସଂଗଠନକୁ ଏକଜୁଟ୍ କରିବା ହେବ । ପ୍ରଦେଶ ଅଧ୍ୟକ୍ଷ ଗଣେଷ ଗୋଦିୟାଲଙ୍କ ଲାଗି ବି ଏହି ଗସ୍ତ ନିର୍ଣ୍ଣାୟକ ବୋଲି କୁହାଯାଉଛି । ୭ମାସ ପରେ ବି ତାଙ୍କ ଟିମକୁ ହାଇକମାଣ୍ଡଙ୍କ ମଞ୍ଜୁରୀ ମିଳିପାରିନାହିଁ । ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କି ରାହୁଲ ଗାନ୍ଧୀ ଏହି ଗସ୍ତ ସମୟରେ ସଂଗଠନାତ୍ମକ ପରିବର୍ତ୍ତନ ଏବଂ ନେତୃତ୍ବକୁ ନେଇ ବଡ଼ ସଙ୍କେତ ଦେଇ ପାରନ୍ତି ।