ମୋଦି ବାୟୁସେନାକୁ ବିକି ଦେଇଛନ୍ତି: ରାହୁଲ

ନୂଆଦିଲ୍ଲୀ,୩୦ ।୧(ଏଜେନ୍ସି): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଫେଲ ପ୍ରସଙ୍ଗରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁଣି ସମାଲୋଚନା କରିଛନ୍ତି । ସେ କହିଛନ୍ତି କି ମୋଦି ଭାରତୀୟ ବାୟୁସେନାକୁ ବିକ୍ରି କରିଦେଇଛନ୍ତି ଏବଂ ନିଜର ବନ୍ଧୁ ତଥା ଶିଳ୍ପପତି ଅନୀଲ ଅମ୍ବାନୀଙ୍କୁ ୩୦,୦୦୦ କୋଟି ଟଙ୍କା ଦେଇ ଭାରତର ଯୁବବର୍ଗଙ୍କ ଠାରୁ ନିଯୁକ୍ତି ସୁଯୋଗ ଛଡାଇ ନେଇଛନ୍ତି ।
ଯୁବ କଂଗ୍ରେସ ଦ୍ୱାରା ରାଷ୍ଟ୍ରବ୍ୟାପୀ ଚଳାଯାଉଥିବା ଅଭିଯାନ ‘ୟୁବା କ୍ରାନ୍ତି ଯାତ୍ରା’ର ଉଦ୍ଯାପନ ସମାରୋହରେ ଯୋଗ ଦେଇ ରାହୁଲ କହିଛନ୍ତି କି କେହି ରାଫେଲ ଦୁର୍ନୀତି ସମ୍ପର୍କିତ ସତ୍ୟକୁ ଲୁଚାଇପାରିବେ ନାହିଁ । ଦିନେ ନା ଦିନେ ସତ୍ୟ ନିଶ୍ଚୟ ସାମ୍ନାକୁ ଆସିବ । ପ୍ରଧାନମନ୍ତ୍ରୀ ମୋଦି ସଂସଦରେ ଦେଢ଼ ଘଣ୍ଟା ଭାଷଣ ଦେଲେ କିନ୍ତୁ ରାଫେଲ ସମ୍ପର୍କରେ ପ୍ରଶ୍ନ କରାଯିବାରୁ ସେ ଅନ୍ୟ ଆଡେ ଆଖି ବୁଲାଇ ଦେଇଥିଲେ ।
ମୋଦିଙ୍କର ନିଦ ଏବେ ହଜିଯାଇଛି । ଯେତେବେଳେ ବି ସେ ଶୋଇବାକୁ ଯାଉଛନ୍ତି, ତାଙ୍କ ଆଖି ଆଗରେ ରାଫେଲ ବିମାନ, ଅନୀଲ ଅମ୍ବାନି ଏବଂ ବାୟୁସେନାର ସହିଦଙ୍କ ଚେହେରା ଝଲସି ଯାଉଛି । କଂଗ୍ରେସ ଏବଂ ଯୁବ କଂଗ୍ରେସର କର୍ମୀମାନେ ତାଙ୍କୁ ସତ କ’ଣ ବତାଇଦେଇଛନ୍ତି । ସେ ଯୁବବର୍ଗଙ୍କ ଭବିଷ୍ୟତ ସହ ଖେଳିଛନ୍ତି ବୋଲି ସମଗ୍ର ଦେଶ ଜାଣିଛି । ରାହୁଲ ମଧ୍ୟ ଅଭିଯୋଗ କରିଥିଲେ କି ମୋଦି ଦେଶକୁ ବାଣ୍ଟିବାକୁ ଉଦ୍ୟମ କରିଆସୁଛନ୍ତି । ତାଙ୍କ ଯୋଗୁ ଉତ୍ତର-ପୂର୍ବ ଏବଂ ଜମ୍ମୁ-କାଶ୍ମୀର ଜଳୁଛି । ମହାରାଷ୍ଟ୍ର, କେରଳ, ହରିଆଣା ଏବଂ କର୍ଣ୍ଣାଟକରେ ଲୋକେ ପରସ୍ପର ସହିତ ଲଢ଼ୁଛନ୍ତି ।