ଚାଷୀଙ୍କୁ ଦିନକୁ ୧୭ ଟଙ୍କା ଦେଇ ତାଳି ବଜାଉଛନ୍ତି ମୋଦି ସରକାର: ରାହୁଲ

ପାଟ୍ନା, ୩ ।୨(ଏଜେନ୍ସି): ଦୀର୍ଘ ୨୮ ବର୍ଷ ପରେ ରବିବାର ପାଟ୍ନାର ଗାନ୍ଧୀ ମୈଦାନରେ କଂଗ୍ରେସ ପକ୍ଷରୁ ଜନଆକାଂକ୍ଷା ର୍ୟାଲି ଅନୁଷ୍ଠିତ ହୋଇଥିଲା । ଏହା ଜରିଆରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଜ୍ୟରେ ମହାମେଣ୍ଟର ଚିତ୍ର ଉପସ୍ଥାପନ କରିଥିଲେ । ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ ମଧ୍ୟ କରିଥିଲେ । ତାଙ୍କ ଅନୁସାରେ ପ୍ରଧାନମନ୍ତ୍ରୀ ଯୁଆଡେ ଯାଉଛନ୍ତି ଖାଲି ପ୍ରତିଶ୍ରୁତି ଦେଉଛନ୍ତି । ଚାଷୀଙ୍କୁ ଦିନକୁ ୧୭ ଟଙ୍କା ଦେଇ ଏନ୍ଡିଏର ନେତାମାନେ ସଂସଦରେ ୫ ମିନିଟ୍ ତାଳି ବଜାଇଥିବା କଥା ସେ କଟାକ୍ଷ କରି କହିଥିଲେ ।
ସେହିପରି ବିମୁଦ୍ରୀକରଣ ପ୍ରସଙ୍ଗରେ ମୋଦିଙ୍କୁ ସମାଲୋଚନା କରି ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ କଳାଧନ ବିରୋଧରେ ଲଢେଇ ବୋଲି ଘୋଷଣା କରି ବିମୁଦ୍ରୀକରଣ କଲେ । ଏହାଦ୍ୱାରା ଗରିବ ଓ କୃଷକମାନେ ବ୍ୟାଙ୍କ୍ ସାମ୍ନାରେ ଛିଡ଼ା ହେବାକୁ ବାଧ୍ୟ ହେଲେ । ମହିଳାମାନେ ଯେଉଁ ଟଙ୍କା ରଖିଥିଲେ ତାକୁ ବ୍ୟାଙ୍କ୍ରେ ଜମା କରିଦିଆଗଲା । ସାଧାରଣ ଲୋକଙ୍କ ଟଙ୍କାକୁ ବିଜୟ ମାଲ୍ୟାଙ୍କ ଭଳି ଲୋକମାନଙ୍କୁ ଦିଆଗଲା ବୋଲି ସେ ଅଭିଯୋଗ କରିଥିଲେ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ଯେତେ ଭାଷଣ ଦେଲେ ବି ଚାଷୀମାନେ ତାର ଜବାବ ଦେବେ ବୋଲି ସେ ଦୃଢୋକ୍ତି କରିଥିଲେ । ଏହି ର୍ୟାଲିରେ ଆଜି ବିରୋଧୀ ଦଳଙ୍କ ଏକଜୁଟତା ମଧ୍ୟ ଦେଖିବାକୁ ମିଳିଥିଲା ।