ନୂଆଦିଲ୍ଲୀ,୨୮/୧୦: ଦୀପାବଳି ଏବଂ ଛଟ୍‌ ଲାଗି ଯାତ୍ରୀଙ୍କ ସୁବିଧାକୁ ନଜରରେ ରଖି ରେଳପଥ ୭୦୦୦  ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ । ବର୍ଦ୍ଧିତଯାତ୍ରୀ ଚାହିଦାକୁ ନଜରରେ ରଖି ଏଭଳି  ପଦକ୍ଷେପ ଗ୍ରହଣ କରାଯିବ ବୋଲି ରେଳବୋର୍ଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ  ଦିଲ୍ଲୀପ କୁମାର କହିଛନ୍ତି । 

ବିହାର ଏବଂ ଉତ୍ତରପ୍ରଦେଶରେ ପର୍ଯ୍ୟଟକଙ୍କ  ଆଗମନକୁ ନଜରରେ ରଖି ପ୍ରମୁଖ  ଷ୍ଟେଶନଗୁଡିକରେ ସେବା ସମ୍ପ୍ରସାରଣକୁ  ପ୍ରାଥମିକତା ଦେଇଛି ରେଲୱେ । ପୁରୁଣା ଦିଲ୍ଲୀ, ନୂଆଦିଲ୍ଲୀ, ଆନନ୍ଦ ବିହାର,  ଅହମ୍ମଦାବାଦ, ମୁମ୍ବାଇ, ଚେନ୍ନାଇ, ବାଙ୍ଗାଲୋର ଏବଂ ବିଶାଖାପାଟଣା ଭଳି ଅନ୍ୟ ସ୍ଥାନଗୁଡିକରୁ ଟ୍ରେନ୍‌ ବାହାରିବ । ପୂର୍ବବର୍ଷ ଦୀପାବଳି ସମୟରେ ରେଲୱେ  ୪୩୦୦ ସ୍ୱତନ୍ତ୍ର ଟ୍ରେନ ଚଳାଇଥିଲା । ତେବେ ଚାହିଦା ଏବଂ ଯାତ୍ରୀଙ୍କ ସୁବିଧାକୁ  ଗୁରୁତ୍ୱ ଦେଇ ଏବର୍ଷ ଏହି ସଂଖ୍ୟାରେ ବୃଦ୍ଧି କରାଯାଇଛି । ଫଳରେ ଲୋକମନେ  ପର୍ଯ୍ୟାପ୍ତ ସଂଖ୍ୟକ ସିଟ୍‌ ପାଇପାରିବେ ।  ଯାତ୍ରୀଙ୍କ ସୁରକ୍ଷା ଏବଂ ଟିକେଟିଂ ବ୍ୟବସ୍ଥା  ଉପରେ ବିଶେଷ ଧ୍ୟାନ ଦିଆଯାଇଛି ବୋଲି ଶ୍ରୀ କୁମାର ସୂଚନା ଦେଇଛନ୍ତି ।