ରାଜ୍ୟରେ ଆସନ୍ତା ୧ ତାରିଖ ଯାଏ ବର୍ଷା, ରାଜଧାନୀରେ ସକାଳେ କୁହୁଡ଼ି, ଅପରାହ୍ନରେ ବର୍ଷା

ଭୁବନେଶ୍ୱର,୨୯/୩: ଆସନ୍ତା ୧ ତାରିଖ ଯାଏ ରାଜ୍ୟରେ ବର୍ଷା ହେବ । ୩୧ରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ । ୭ ଜିଲ୍ଲାକୁ ଅଧିକ ବର୍ଷା ଅଛି । ୧ରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ମଙ୍ଗଳବାର ରାଜଧାନୀ ଭୁବନେଶ୍ୱରରେ କିଛି ସମୟ ପାଇଁ ବର୍ଷା ହୋଇଛି । ଟ୍ରଫଲାଇନ୍ ପ୍ରଭାବରେ ମଙ୍ଗଳବାର ସନ୍ଧ୍ୟା ଭିତରେ ଭୁବନେଶ୍ୱର, ଯାଜପୁର, କଟକ, ନୟାଗଡ଼, ପାରଳାଖେମୁଣ୍ଡିରେ ବର୍ଷା ହୋଇଛି । ଗଜପତି କାଶୀନଗରରେ ୬୯.୮ମିମି, ଗୋସାଣୀରେ ୪୨, ପାରଳାଖେମୁଣ୍ଡିରେ ୩୮.୮, ଖୋର୍ଦ୍ଧା ବାଲିପାଟଣାରେ ୩୪, ଗଜପତି ଗୁମ୍ମାରେ ୨୯, ମୟୂରଭଞ୍ଜ ଜାମଶୋଳଘାଟରେ ୨୪.୪, ରାୟଗଡ଼ ଗୁଡାରୀରେ ୨୩.୨, ତେନ୍ତୁଳିଖୁଣ୍ଟିରେ ୨୦, ମୟୂରଭଞ୍ଜ କପ୍ତିପଦାରେ ୧୮ ଓ ନବରଙ୍ଗପୁରରେ ୧୮ ମିମି ବର୍ଷା ରେକର୍ଡ ହୋଇଛି ।
୨୯ ଓ ୩୦ରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଘଣ୍ଟାପ୍ରତି ୩୦ରୁ ୪୦କିମି ବେଗରେ ପବନ ବହିବ । ୩୧ରେ ଝଡ଼ ପବନ ସହ ଘଣ୍ଟା ପ୍ରତି ୪୦ରୁ ୫୦କିମି ବେଗରେ ପବନ ବହିପାରେ। ୭୦ରୁ ୧୧୦ ମିଲିମିଟର ଯାଏ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ବର୍ଷା ଯୋଗୁ ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା ଅଧିକ ଥିଲା । ମଙ୍ଗଳବାର ଆକାଶ ନିର୍ମଳ ଥିବାରୁ କୁହୁଡ଼ି ପାଇଁ ଅନୁକୂଳ ପାଣିପାଗ ସୃଷ୍ଟି ହୋଇଥିଲା । ଏଥିପାଇଁ ସକାଳୁ ରାଜଧାନୀରେ ଘନ କୁହୁଡ଼ି ଅନୁଭୂତ ହୋଇଥିଲା ବୋଲି ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।