୨୫ ଯାଏଁ କୁହୁଡ଼ି, ତା’ ପରେ ବର୍ଷା

source:www.telegraphindia.com
ଭୁବନେଶ୍ୱର,୨୧ା୧(ବ୍ୟୁରୋ): ପିଛା ଛାଡୁନି କୁହୁଡ଼ି । ରାତି ଅଧରୁ ସକାଳ ୯ଟା ଯାଏଁ ଉପକୂଳ ଓଡ଼ିଶାକୁ ଢାଙ୍କି ରଖୁଛି । ପାଣିପାଗ ପୂର୍ବାନୁମାନ ଯାହା, ଆସନ୍ତା ୨୫ ତାରିଖ ଯାଏଁ ଏମିତି କଲବଲ କରିବ ଘନ କୁହୁଡ଼ି । ଉପକୂଳ ଓଡ଼ିଶା ସମେତ ପାଶ୍ୱର୍ବର୍ତ୍ତୀ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ବି ଘନ କୁହୁଡ଼ି ଆଚ୍ଛାଦିତ କରିବ । ୨୬ରୁ ପାଗ ବଦଳିବା ସହ । କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।
ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିର୍ଭସିଟି)ର ପରିବେଶ ଓ ଜଳବାୟୁ କେନ୍ଦ୍ରର ସୂଚନାନୁଯାୟୀ ଉତ୍ତର ପଶ୍ଚିମ ଆଡ଼ୁ ପୂର୍ବ ଆଡ଼କୁ ଓଡ଼ିଶାକୁ ପଶ୍ଚିମା ବାୟୁ ପ୍ରବାହ ରହିଛି । ଓଡ଼ିଶା ଉପକୂଳରେ ଗୁରୁଚାପ ସୃଷ୍ଟି ହେବା ଯୋଗୁ ଅଳ୍ପ ମାତ୍ରାରେ ଜଳୀୟବାଷ୍ପ ସ୍ଥଳଭାଗକୁ ଆସୁଛି । ବାୟୁ ପ୍ରଦୂଷଣ ହେବା ଯୋଗୁ ଏହା ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ସୃଷ୍ଟି କରାଉଛି । ଏଭଳି ଘନ କୁହୁଡ଼ି ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଘନ କୁହୁଡ଼ି ଯୋଗୁ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, କଟକ ଓ ଖୋର୍ଦ୍ଧାରେ ୨୦୦ ମିଟର ପର୍ଯ୍ୟନ୍ତ ଦୃଶ୍ୟମାନ ହେବ ନାହିଁ ।
ସେହିପରି ଅନୁଗୁଳ, ଢେଙ୍କାନାଳ, ବାଲେଶ୍ୱର, ନୟାଗଡ଼ ଓ ଯାଜପୁରରେ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ରହିଛି । ୨୪ ଓ ୨୫ ତାରିଖରେ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣର ଘନ କୁହୁଡ଼ି ପ୍ରଭାବ ରହିବ । ୨୫ରୁ ୨୮ ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ମଧ୍ୟ ୨୮ ତାରିଖ ପର୍ଯ୍ୟନ୍ତ ବର୍ଷା ହୋଇପାରେ ।
ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍.ଆର୍.ବିଶ୍ୱାସଙ୍କ ଆକଳନ ହେଲା, ଆସନ୍ତା ଦୁଇଦିନ ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ ଓ କନ୍ଧମାଳ ଜିଲ୍ଲାରେ ଘନରୁ ଅତି ଘନ କୁହୁଡ଼ି ସମ୍ଭାବନା ରହିଛି । ୨୪ରେ କୁହୁଡ଼ି ସାମାନ୍ୟ କମିବ । ତଥାପି ଉପକୂଳ ଓଡ଼ିଶାର ଅନେକ ଜାଗାରେ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା ରହିଛି । ୨୫ରୁ କୁହୁଡ଼ି କମିବ । ୨୬ରୁ ଆଭ୍ୟନ୍ତରୀଣ ଓଡ଼ିଶାର ସ୍ଥାନେ ସ୍ଥାନେ ହାଲ୍କା ବର୍ଷା ହୋଇପାରେ ।