ଆଜିଠୁ ୨୮ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୫ା୧(ବ୍ୟୁରୋ): ବଦଳିବ ପାଗ । ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟ ଆଭ୍ୟନ୍ତରୀଣ ଅଞ୍ଚଳ, ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ହାଲ୍କାରୁ ମଧ୍ୟମ ଧରଣର ବର୍ଷା ୋହାଇପାରେ । ଉପକୂଳ ଓଡ଼ିଶାରେ ବି ପାଗ ଆଂଶିକ ମେଘୁଆ ହୋଇପାରେ ।
ପାଣିପାଗ ବିଭାଗ କହିଛି, ପଶ୍ଚିମା ଓ ପୂର୍ବ ଦିଗରୁ ବାୟୁ ପ୍ରବାହ ଯୋଗୁ ପାଗରେ ପରିବର୍ତ୍ତନ ସମ୍ଭାବନା ରହିଛି। ଶୁକ୍ରବାର ରାତି ଭିତରେ ଦକ୍ଷିଣ, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜାଗାରେ ବର୍ଷା ସମ୍ଭାବନା ଅଛି । ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଶନିବାର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ଗଞ୍ଜାମ, ଗଜପତି ଜିଲ୍ଲାରେ ବି ବର୍ଷା ସମ୍ଭାବନା ରହିଛି । ମାଲ୍କାନଗିରି, କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, ସୋନପୁର, ବରଗଡ଼, ଝାରସୁଗୁଡ଼ା ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ଅଛି । ରବିବାର ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ସୋମବାର ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲ୍କା ବର୍ଷା ସମ୍ଭାବନା ଅଛି । ମଙ୍ଗଳବାରଠାରୁ (୨୯ ତାରିଖ) ପୁଣି ପାଗ ବଦଳିବା ସହ ବର୍ଷା ଛାଡ଼ିଯିବ । ବର୍ଷା ଛାଡ଼ିଯିବା ପରେ ପୁଣି ଥରେ ରାଜ୍ୟରେ ଶୀତ ପ୍ରକୋପ ବଢ଼ିବ । ପାରଦ ୨ରୁ ୩ ଡିଗ୍ରୀ ଖସିଯିବ ।