ଭୁବନେଶ୍ୱର,୨୦/୦୧: ରାଜଭବନ ଛକରେ ୨ ଭାଇଙ୍କୁ କାର ଦଳିଦେବା  ଘଟଣାରେ ମଣିଷମରା କାର ଚାଳକଙ୍କୁ କ୍ୟାପିଟାଲ ଥାନା ପୁଲିସ ଗିରଫ କରିଛି । ସେ ହେଲେ, ଲଲାଟେନ୍ଦୁ ବାରିକ (୪୦) । ଘର ଖୋର୍ଦ୍ଧା ଟାଙ୍ଗୀର ମଙ୍ଗଳାଯୋଡିରେ । ସେ ବର୍ତ୍ତମାନ ନନ୍ଦନକାନନ ରଘୁନାଥପୁର ଅଞ୍ଚଳର  ରାଜମନୋହର ରେସିଡେନ୍ସି ବ୍ଲକ୍‌ ନଂ-୧ର ଫ୍ଲାଟ୍‌  ନଂ ୧୦୩ରେ ରହୁଛନ୍ତି ।  

ଅନିଲ କୁମାର ନାୟକଙ୍କ ଏତଲା ଆଧାରରେ ପୁଲିସ କେସ୍‌ ନଂ ୨୫/୨୫ରେ ମାମଲା  ରୁଜୁ କରିଛି । ଗତକାଲି ଅପରାହ୍ଣରେ  ଅଭିଯୋଗକାରୀଙ୍କର ବାପା ରବିଚନ୍ଦ୍ର ଓ ଦାଦା  ଗୌରଚରଣ ଦୁହେଁ ଏକ ବାଇକ୍‌ (ଓଡ଼ି ୩୩ଏସ  ୮୩୩୫)ରେ ଗୋପବନ୍ଧୁ ଛକ ପାଶ୍ୱର୍ରୁ ରାଜଭବନ  ଅଭିମୁଖେ ଯାଉଥିଲେ । ପାୱାରହାଉସ ଛକ ପାଶ୍ୱର୍ରୁ  ଲଲାଟେନ୍ଦୁ କାର (ଓଡି୦୨ଏଆର୍‌ ୧୦୨୦)କୁ ଦ୍ରୁତଗତିରେ ତଥା ବେପରୁଆ  ଭାବରେ ଚଳାଇ ଉଭୟଙ୍କୁ ରାଜଭବନ ଗୋଲେଇରେ ଖୁବ୍‌ ଜୋରରେ ଧକ୍କା  ଦେଇଥିଲେ । ବାଇକ୍‌ ଚଳାଉଥିବା ରବିଚନ୍ଦ୍ର ଭାରସାମ୍ୟ ହରାଇବାରୁ ଉଭୟ ଭାଇ ତଳେ ପଡିଯାଇଥିଲେ । କାରଟି ଗୌରଚରଣଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ଚଢିଯାଇ କିଛି ବାଟ ଘୋଷାରି ନେଇଥିଲା । ଅନ୍ୟ ଏକ ବାଇକ୍‌ରେ ଯାଉଥିବା  ଦୀନବନ୍ଧୁ ସାମନ୍ତରାୟ ମଧ୍ୟ ଏହି ଘଟଣାରେ ଗୁରୁତର ଆହତ ହୋଇଥିଲେ । କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଚିକିତ୍ସା ପାଇଁ  ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲା । ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଦୁର୍ଘଟଣାରେ ଆହତ ଦୀନବନ୍ଧୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କ୍ୟାପିଟାଲ  ହସ୍ପିଟାଲରୁ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଲଲାଟେନ୍ଦୁ ମଦ ପିଇ  କାର ଚଳାଇ ଏଭଳି କାଣ୍ଡ ଭିଆଇଥିବା ସୂଚନା ମିଳିଛି।