ମଞ୍ଚେଶ୍ୱର,୧୭/୦୯: ଆଉ କେଇଟା ଦିନ ପରେ ଧରାଧାମରେ ବିରାଜିବେ ମା' ଦୁର୍ଗତିନାଶିନୀ । ଏଥିପାଇଁ ବିଭିନ୍ନ ପୂଜା କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି । ଚଳିତ ବର୍ଷ ଚକେଇସିହାଣୀ ଦୁର୍ଗାପୂଜା ସମିତି ମହାଆଡ଼ମ୍ବରରେ ପୂଜା କରିବାକୁ ସ୍ଥିର କରିଛି । ଏଥର ରାଜସ୍ଥାନ ରୟାଲ ପ୍ୟାଲେସ ତୋରଣ ଭେଟିଦେବାକୁ ପରିକଳ୍ପନା କରିଛି ସମିତି । ଯାହା ମୁଖ୍ୟ ଆକର୍ଷଣ ସାଜିବ । ତୋରଣର ଉଚ୍ଚତା ୬୫ ଫୁଟ୍ ଏବଂ ଓସାର ୫୫ ଫୁଟ୍ ରହିବ । ଏହାକୁ ନିର୍ମାଣ କରିବାକୁ ୧୬ଜଣ କାରିଗର ଲାଗି ପଡିଛନ୍ତି । ମଣ୍ଡପରେ ୧୪ ଫୁଟର ମେଢରେ ମା’ ବିରାଜମାନ କରିବେ । ମା’ଙ୍କ ସହ ପାଶ୍ୱର୍ ଦେବଦେବୀଙ୍କୁ ଚାନ୍ଦିରେ ସୁସଜ୍ଜିତ କରାଯିବ ।
୨୦୦୧ରୁ ଏଠାରେ ପୂଜା ହୋଇଆସୁଛି । ୫୦ ସଦସ୍ୟକୁ ନେଇ ଆରମ୍ଭ ହୋଇଥିବା ପୂଜା ଏବେ ୫୦୦ ସଦସ୍ୟରେ ପହଞ୍ଚିଛି । ଚଳିତ ବର୍ଷ ରୌପ୍ୟ ଜୟନ୍ତୀ ପାଳିତ ହେବ । ମାତ୍ର ୭୦ ହଜାର ଟଙ୍କାରୁ ଆରମ୍ଭ ହୋଇଥିବା ଏହି ପୂଜା ଚଳିତବର୍ଷ ୨୮ ଲକ୍ଷ ଟଙ୍କା ବଜେଟ୍ କରିଛି । କେବଳ ତୋରଣ ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ତୋରଣ ସହ ୨ କିମି ପର୍ଯ୍ୟନ୍ତ ରାସ୍ତାକୁ ଆଲୋକମାଳାରେ ସଜ୍ଜିତ କରାଯିବ ।
୬ ଦିନ ବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନକୁ ମୋହିବ । ୩ ଦିନ ବ୍ୟାପୀ ଡ୍ୟାନ୍ସ ଡ୍ୟାନ୍ସ ସାଙ୍ଗକୁ ଦୁଇ ଦିନ ମଲୋଡିରେ ଦୁଲୁକିବ ମଞ୍ଚ । ମୀନାବଜାର ରାମଦୋଳି ସାଙ୍ଗକୁ ଭଳିକି ଭଳି ଖାଦ୍ୟର ପସରା ମଜ୍ଜା ନେଇପାରିବେ ଦର୍ଶକ । ଅଷ୍ଟମୀରେ ପଣା ଭୋଗ ଓ ନବମୀରେ ଖେଚୁଡି ଡାଲମା ପ୍ରସାଦ ପାଇବେ ଭକ୍ତ । ଦଶମୀରେ ସ୍ୱତନ୍ତ୍ର ଭାବେ ଦହି ପଖାଳ ମା’ଙ୍କ ପାଖେ ଲାଗି କରାଯିବ । ସିଂହବାଜା, ଘୋଡାନାଚ, ପଞ୍ଜାବୀ ବାଜାରେ ଭସାଣି ହେବ ।