‘ମତେ ଏହି ଜଳିବା ମନ୍ତ୍ରୀ ପଦରୁ ମୁକ୍ତ କରନ୍ତୁ’ କାହିଁକି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କୁ ଏମିତି କହିଲେ କ୍ରୀଡା ମନ୍ତ୍ରୀ ?

ରାଜସ୍ଥାନ: ଲାଗୁଛି ଯେ ରାଜସ୍ଥାନର ଅଶୋକ ଗେହଲଟ୍ ସରକାରରେ ସବୁକିଛି ଠିକ୍ ଚାଲିନାହିଁ । ଏବେ ଖୋଦ୍ ଜଣେ ମନ୍ତ୍ରୀ ତାଙ୍କ ସରକାର ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ରାଜସ୍ଥାନ କ୍ରୀଡ଼ା ମନ୍ତ୍ରୀ ଅଶୋକ ଚାନ୍ଦନା ସାର୍ବଜନୀନ ଭାବରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏପରିକି ତାଙ୍କୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ମନ୍ତ୍ରୀ ପଦରୁ ମୁକ୍ତ କରିଦିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି ।
ଚାନ୍ଦନା ମୁଖ୍ୟମନ୍ତ୍ରୀ ଗେହଲୋଟଙ୍କୁ ସମ୍ବୋଧିତ କରି ଟୁଇଟ୍ କରିଛନ୍ତି । ଏଥିରେ ସେ ଦର୍ଶାଇଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ, ମୋର ଆପଣଙ୍କୁ ବ୍ୟକ୍ତିଗତ ଅନୁରୋଧ ଯେ, ମୋତେ ଏହି ଜଳିବା ମନ୍ତ୍ରୀ ପଦରୁ ମୁକ୍ତ କରନ୍ତୁ ଏବଂ ମୋର ସମସ୍ତ ବିଭାଗର ଦାୟିତ୍ୱ କୁଲଦୀପ ରାଙ୍କା ଜୀଙ୍କୁ ଦିଆଯାଉ । କାରଣ ଏମିତିରେ ବି ସେ ଏହି ସମସ୍ତ ବିଭାଗର ମନ୍ତ୍ରୀ ।
ସୂଚନାଥାଉକି, ଯେ ରାଙ୍କା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ସଚିବ ଅଟନ୍ତି । ମନ୍ତ୍ରୀ ଚାନ୍ଦନାଙ୍କ ଏହି ଟ୍ବିଟ୍ ଏଭଳି ସମୟରେ ଆସିଛି, ଯେତେବେଳେ ଶାସକ କଂଗ୍ରେସର ବିଧାୟକ ତଥା ଯୁବ କଂଗ୍ରେସ ରାଜ୍ୟ ସଭାପତି ଗଣେଶ ଘୋଗ୍ରା ତାଙ୍କ ଇସ୍ତଫା ପତ୍ରକୁ ମୁଖ୍ୟମନ୍ତ୍ରୀ ଗେହଲୋଟଙ୍କ ନିକଟକୁ ପଠାଇଛନ୍ତି । ଡୁଙ୍ଗରପୁର ଜିଲ୍ଲାରେ ହଙ୍ଗାମା ସୃଷ୍ଟି ପାଇଁ ତାଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ବିଧାୟକ ଏହି ପଦକ୍ଷେପ ନେଇଛନ୍ତି ।
କ୍ରୀଡ଼ା ମନ୍ତ୍ରୀ ଅଶୋକ ଚାନ୍ଦନାଙ୍କ ଟ୍ୱିଟ ପରେ ବିଜେପି ରାଜ୍ୟ ସଭାପତି ଡକ୍ଟର ସତୀଶ ପୁନିଆ ଟ୍ୱିଟରରେ ପ୍ରତିକ୍ରିୟା ଦେଇଛନ୍ତି । ସେ ଲେଖିଛନ୍ତି ଯେ ଜାହାଜଟି ବୁଡ଼ି ଯାଉଛି । ୨୦୨୩ ପାଇଁ ଟ୍ରେଣ୍ଡ ଆସିବା ଆରମ୍ଭ କରିଛି ।