ନୂଆପଡ଼ା, ୮।୯ :​​​​​​​ ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ। ୬୯ ବର୍ଷ ବୟସରେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ । ତାଙ୍କର ମୃତ୍ୟୁ ପରେ ରାଜନୈତିକ ମହଲରେ ଶୋକର ଛାୟା ଖେଳି ଯାଇଛି। ବହୁ ନେତା ଏବଂ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି। 

ସୂଚନାନୁଯାୟୀ, ରାଜେନ୍ଦ୍ର ଢୋଲକିଆ ଗତ ୬ ମାସ ହେବ ଅସୁସ୍ଥ ହୋଇ ପଡ଼ିଥିଲେ । ସେ ଲଙ୍ଗସ୍, ହାର୍ଟ ଓ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିଲେ । ଗତ ୩ ମାସ ତଳେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିଲେ। ଗତ କିଛି ଦିନ ତଳେ ତାଙ୍କର ହାର୍ଟ ପ୍ରତିରୋପଣ ହୋଇଥିଲା । ଆଗକୁ କିଡନୀ ପ୍ରତିରୋପଣ ହେବାକୁ ଥିଲା । ହାର୍ଟରେ ସଂକ୍ରମଣ ହେବାରୁ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ଗତକାଲି ଠାରୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇଥିଲା । ଆଜି ପୂର୍ବାହ୍ନରେ ତାଙ୍କର ପରଲୋକ ହୋଇଛି ।

ରାଜେନ୍ଦ୍ର ଢୋଲକିଆ ୧୯୫୬ ମସିହାର ନଭେମ୍ବର ୨୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରସିକଲାଲ ଢୋଲକିଆ ଓ ପତ୍ନୀଙ୍କ ନାମ କଳ୍ପନା ଢୋଲକିଆ । ଗତ ନବେ ଦଶକରେ ପ୍ରଥମେ ଖରିଆରରୋଡ଼ ଏନଏସି ଅଧ୍ୟକ୍ଷ ନିର୍ବାଚିତ ହୋଇ ରାଜନୀତି ଜୀବନ ଆରମ୍ଭ କରିଥିଲେ । ୨୦୦୪ରେ ପ୍ରଥମେ ସ୍ଵାଧୀନ ପ୍ରାର୍ଥୀ ଭାବେ ନୂଆପଡ଼ା ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୯ରେ ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୪ରେ ପରାଜିତ ହୋଇଥିଲେ । ୨୦୧୯ ଓ ୨୦୨୪ରେ ପୁଣି ବିଜେଡିରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ନୂଆପଡ଼ା ନିର୍ବାଚନ ମଣ୍ଡଳୀରୁ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଗତ ୨୦୧୯ ସାଧାରଣ ନିର୍ବାଚନରେ ବିଜୟୀ ହୋଇ ଯୋଜନା ଓ ସମନ୍ଵୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । 

ରାଜେନ୍ଦ୍ର ଢୋଲକିଆ ବିଜେଡିର ଜଣେ ତୁଙ୍ଗ ନେତା ଥିଲେ । ବିଭିନ୍ନ ସାମାଜିକ କାର୍ଯ୍ୟରେ ତାଙ୍କର ସମ୍ପୃକ୍ତି ଥିଲା । ସେ ପ୍ରତି ବର୍ଷ ଏକ ସାମୂହିକ ବିହାର କାର୍ଯ୍ୟକ୍ରମ ଆୟୋଜନା କରୁଥିଲେ। ଦୀର୍ଘଦିନର ଅସୁସ୍ଥତା ପାଇଁ ସେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କର ବିୟୋଗରେ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି ।


​​​​​​​​​​​​​