ରାଉରକେଲା, ୮/୧୨ : ଜୀବନ ଯୁଦ୍ଧରେ ହାରିଗଲେ ରାଜଗାଙ୍ଗପୁର ପୀଡ଼ିତା। ରାଉରକେଲା ଆଇଜିଏଚ୍ ବର୍ଣ୍ଣ ୟୁନିଟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ଶୁକ୍ରବାର ବିଳମ୍ଵିତ ରାତିରେ ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଲାଞ୍ଜିବେର୍ଣ୍ଣା ଫାଣ୍ଡି ଅଞ୍ଚଳର ଜଣେ ନାବାଳିକା ନିଜ ଦେହରେ ନିଆଁ ଲଗାଇ ଆତ୍ମାହୁତି ପାଇଁ ଉଦ୍ୟମ କରିଥିଲେ । ଜଣେ ବସ୍ ଖଲାସୀ ହଇରାଣ କରୁଥିବାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକ ଉଦ୍ଧାର କରି ରାଉରକେଲା ଆଇଜିଏଚ୍ ବର୍ଣ୍ଣ ୟୁନିଟରେ ଭର୍ତ୍ତି କରିଥିଲେ। ଗତକାଲି ସ୍ଵାସ୍ଥ୍ୟମନ୍ତ୍ରୀ ଡାକ୍ତରଖାନା ଯାଇ ନାବାଳିକାଙ୍କ ସ୍ଵାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ଆଜି ନାବାଳିକାଙ୍କୁ ଦିଲ୍ଲୀ କିମ୍ଵା ଭୁବନେଶ୍ଵର ଏମ୍ସକୁ ଏୟାରଲିଫ୍ଟ କରାଯାଇଥାନ୍ତା। ହେଲେ ନାବାଳିକା ଜଣଙ୍କ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ମୃତ୍ୟୁ ସହ ସଙ୍ଘର୍ଷ କରି ହସ୍ପିଟାଲ ବେଡ୍ରେ ଆଖି ବୁଜିଛନ୍ତି। ଏହି ଘଟଣାରେ ସୁନ୍ଦରଗଡ଼ ପୁଲିସ ଜଣଙ୍କୁ ଗିରଫ କରି ଜେଲ୍ ପଠାଇଛି। ପୀଡ଼ିତାଙ୍କ ମୃତ୍ୟୁ ପରେ ହସ୍ପିଟାଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ପୀଡ଼ିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଜଣେ ବସ୍ ଖଲାସୀ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦେଉଥିଲା। ଏପରି କି ଜାଳି ଦେବାକୁ ଧମକ ଦେଇଥିଲା । ପୀଡ଼ିତାଙ୍କ ମାମୁଙ୍କ ଅଭିଯୋଗ କ୍ରମେ ପୁଲିସ୍ ବୁଡ଼ାକଟା ଗ୍ରାମର ଅଭିଯୁକ୍ତ ନୀଲେଶ ସାହୁ (୨୫)କୁ ଗିରଫ କରିଛି । ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି । ତେବେ ଏହାକୁ ପୁଲିସ୍ ସାର୍ବଜନୀନ କରିନାହିଁ । ଘଟଣାସ୍ଥଳରୁ କୌଣସି ଜ୍ୱଳନଶୀଳ ସାମଗ୍ରୀ କିମ୍ବା ବୋତଲ ମିଳିନାହିଁ । ଅଭିଯୁକ୍ତ ନୀଲେଶ ପୀଡ଼ିତାଙ୍କ ଭାଇଙ୍କ ପାଖକୁ ଫୋନ୍ କରି ଭଉଣୀକୁ ଜାଳି ଦେବା ପାଇଁ ଧମକ ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି ।
ସୁନ୍ଦରଗଡ଼ ଏସ୍ପି ଅମ୍ରିତପାଲ କୌର କହିଛନ୍ତି, ଛାତ୍ରୀ କଲେଜକୁ ଯେଉଁ ବସ୍ରେ ଯାଉଥିଲେ ସେଥିରେ ନୀଲେଶ ଖଲାସୀ ଥିଲା । କଲେଜ ଯିବା ଆସିବା ଭିତରେ ଉଭୟଙ୍କ ମଧ୍ୟରେ ଚିହ୍ନା ପରିଚୟ ହୋଇଥିଲା । ଏହାର ଫାଇଦା ଉଠାଇ ଅଭିଯୁକ୍ତ ଛାତ୍ରୀଙ୍କୁ ମାନସିକ ନିର୍ଯାତନା ଦେଉଥିଲା । ଶନିବାର ରାଜଗାଙ୍ଗପୁର ବସ୍ଷ୍ଟାଣ୍ଡରୁ ନୀଲେଶକୁ ପୁଲିସ୍ ଉଠାଇ ନେଇଥିଲା । ଏସ୍ପିଙ୍କ ସମେତ ରାଜଗାଙ୍ଗପୁର ଥାନାଧିକାରୀ ବିଜୟ କିଶୋର ଦାଶ ଏବଂ ଲାଞ୍ଜିବେର୍ଣ୍ଣା ଫାଣ୍ଡି ଅଧିକାରୀ ପ୍ରୀତିରଞ୍ଜନ ପରିଡ଼ା ପୀଡ଼ିତାଙ୍କ ଘରକୁ ଯାଇ ପଚରାଉଚରା କରିଛନ୍ତି । ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିଛି । ଏସ୍ପି ଓ ଥାନା ଅଧିକାରୀ ଆଇଜିଏଚରେ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଘଟଣାର ପର୍ଦ୍ଦାଫାସ କରିବାକୁ ପୁଲିସ୍ ତନାଘନା ଜାରି ରଖିଥିବା ଏସ୍ପି କହିଛନ୍ତି ।