ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୈଳ ସଞ୍ଚୟ ଅପିଲ୍ ପରେ ସରକାର ବ୍ୟାପକ ଭାବେ ସକ୍ରିୟ ହୋଇ ଉଠିଛନ୍ତି। ଏହି କ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ଏକ ଜରୁରୀକାଳୀନ ବୈଠକ କରିଛନ୍ତି। ପଶ୍ଚିମ ଏସିଆର ସ୍ଥିତି ଉପରେ ନଜର ରଖିବା ପାଇଁ ଗଠିତ ମନ୍ତ୍ରୀସ୍ତରୀୟ ଗ୍ରୁପ୍ ମଧ୍ୟ ଏହି ବୈଠକରେ ସାମିଲ ହୋଇ ଥିଲେ। ଏହି ଅଞ୍ଚଳର ସାମ୍ପ୍ରତିକ ପରିସ୍ଥିତି ଏବଂ ଏହା ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ଏହି ବୈଠକ ଡକାଯାଇ ଥିଲା। ଏହା ପୂର୍ବରୁ ରବିବାର ହାଇଦ୍ରାବାଦରେ ଏକ ରାଲି ସମୟରେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ଭାରତୀୟଙ୍କୁ ତୈଳ ସଞ୍ଚୟ କରିବାକୁ ଆହ୍ୱାନ କରି ଥିଲେ। ବିଶ୍ୱସ୍ତରୀୟ ପରିସ୍ଥିତି କାରଣରୁ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟକୁ ଦୃଷ୍ଟିରେ ରଖି ସେ ସତର୍କତାମୂଳକ ପଦକ୍ଷେପ ନେବାକୁ ଅପିଲ୍ କରିଥିଲେ। ମୋଦି କହିଥିଲେ ଯେ, ବର୍ତ୍ତମାନର ସଙ୍କଟ କେବଳ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ନୁହେଁ, ବରଂ ଏହା ଦେଶର 'ନ୍ୟାସନାଲ୍ କ୍ୟାରେକ୍ଟର'ର ପରୀକ୍ଷା।
ରବିବାର ବିଜେପିର ତେଲେଙ୍ଗାନା ୟୁନିଟ୍ ଦ୍ୱାରା ଆୟୋଜିତ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ବୈଦେଶିକ ମୁଦ୍ରା ବଞ୍ଚାଇବା ପାଇଁ ପେଟ୍ରୋଲ ଏବଂ ଡିଜେଲର ସତର୍କତାମୂଳକ ବ୍ୟବହାର, ସହରରେ ମେଟ୍ରୋ ରେଳ ସେବାର ବ୍ୟବହାର, କାର୍ ପୁଲିଂ, ବୈଦ୍ୟୁତିକ ଯାନର ଅଧିକ ବ୍ୟବହାର, ପାର୍ସଲ ପଠାଇବା ପାଇଁ ରେଳ ସେବାର ଉପଯୋଗ ଏବଂ 'ୱର୍କ ଫ୍ରମ୍ ହୋମ୍' ଭଳି ପଦକ୍ଷେପ ପାଇଁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, ଯୁଦ୍ଧ କାରଣରୁ ପେଟ୍ରୋଲ ଏବଂ ସାର ଦରରେ ବ୍ୟାପକ ବୃଦ୍ଧି ଘଟିଛି। ଯେତେବେଳେ ସପ୍ଲାଏ ଚେନ୍ ଉପରେ ଚାପ ପଡ଼େ, ସେତେବେଳେ ବିଭିନ୍ନ ପଦକ୍ଷେପ ସତ୍ତ୍ୱେ ଅସୁବିଧା ବଢ଼ିଥାଏ। ତେଣୁ ଏହି ବିଶ୍ୱସ୍ତରୀୟ ସଙ୍କଟ ସମୟରେ ଦେଶକୁ ସର୍ବୋପରି ରଖି ଆମକୁ ସଂକଳ୍ପ ନେବାକୁ ହେବ।
କରୋନା ସମୟ କଥା ମନେପକାଇ ମୋଦି କହିଥିଲେ ଯେ, "ଆମେ କରୋନା ସମୟରେ ଘରୁ କାମ କରିବା, ଡିଜିଟାଲ୍ ମାଧ୍ୟମରେ ବୈଠକ, ଭିଡିଓ କନଫରେନ୍ସିଂ ଏବଂ ଅନ୍ୟାନ୍ୟ ଅନେକ ଉପାୟ ବିକଶିତ କରିଥିଲୁ ଏବଂ ଏଥିରେ ଅଭ୍ୟସ୍ତ ମଧ୍ୟ ହୋଇଥିଲୁ। ବର୍ତ୍ତମାନ ସେହି ସବୁ ଉପାୟକୁ ପୁଣି ଥରେ ଆରମ୍ଭ କରିବାର ସମୟ ଆସିଛି।" ବୈଦେଶିକ ମୁଦ୍ରା ସଞ୍ଚୟ ଉପରେ ଗୁରୁତ୍ୱ ଦେଇ ସେ ବର୍ଷକ ପାଇଁ ସୁନା କିଣିବା ଏବଂ ବିଦେଶ ଭ୍ରମଣ ସ୍ଥଗିତ ରଖିବାକୁ ଆହ୍ୱାନ କରିଥିଲେ। ଏଥିସହ ଖାଦ୍ୟତୈଳର ବ୍ୟବହାର କମ୍ କରିବା, ରାସାୟନିକ ସାର ବଦଳରେ ପ୍ରାକୃତିକ ଚାଷ ଏବଂ ସ୍ୱଦେଶୀ ଉତ୍ପାଦକୁ ପ୍ରୋତ୍ସାହନ ଦେବାକୁ ସେ କହିଥିଲେ।
କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର କହିଛନ୍ତି ଯେ, ପଶ୍ଚିମ ଏସିଆରେ ଯୁଦ୍ଧ ଶୀଘ୍ର ଶେଷ ହେବାର ସମ୍ଭାବନା ନଥିବାରୁ ନାଗରିକମାନେ ବୈଦେଶିକ ମୁଦ୍ରା ଭଣ୍ଡାରକୁ ସୁରକ୍ଷିତ ରଖିବା ପାଇଁ ସମ୍ଭାବ୍ୟ ସମସ୍ତ ଚେଷ୍ଟା କରିବା ଉଚିତ୍। CII ର ବାର୍ଷିକ ବ୍ୟବସାୟ ସମ୍ମିଳନୀରେ ସେ କହିଥିଲେ ଯେ, ପଶ୍ଚିମ ଏସିଆରେ ସଂଘର୍ଷ ବିରତି ଏବେ ବହୁତ ଦୂରରେ ଥିବା ପରି ମନେହେଉଛି। ଏହି ସଙ୍କଟ ସମୟରେ ନାଗରିକଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବାକୁ ହେବ।
ଅନ୍ୟପଟେ, ପ୍ରଧାନମନ୍ତ୍ରୀଙ୍କ ଏହି ଅପିଲକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ଦଳଗୁଡ଼ିକ କଡ଼ା ସମାଲୋଚନା କରିଛନ୍ତି। ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ, ସୁନା ନ କିଣିବା ଏବଂ ପେଟ୍ରୋଲ କମ୍ ବ୍ୟବହାର କରିବା ଭଳି ପରାମର୍ଶ ପ୍ରଧାନମନ୍ତ୍ରୀଙ୍କ ବିଫଳତାର ପ୍ରମାଣ। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ସବୁବେଳେ ନିଜର ଦାୟିତ୍ୱ ଜନସାଧାରଣଙ୍କ ଉପରେ ଲଦି ଦିଅନ୍ତି , ଯେପରି ସେ ନିଜେ ଜବାବଦେହିରୁ ବଞ୍ଚିପାରିବେ। ରାହୁଲ 'ଏକ୍ସ ରେ ପୋଷ୍ଟ କରି କହିଛନ୍ତି ଯେ, ଏଗୁଡ଼ିକ ଉପଦେଶ ନୁହେଁ ବରଂ ସରକାରଙ୍କ ବିଫଳତାର ପ୍ରମାଣ।
ଏହାସହ ମଧ୍ୟ ପଢନ୍ତୁ : 'ଲକ୍ଡାଉନ୍ ଭଳି ସଂଯମତା ଆବଶ୍ୟକ'; ଲୋକଙ୍କୁ କାହିଁକି ସତର୍କ କଲେ ପ୍ରଧାନମନ୍ତ୍ରୀ ? କରୋନା ସମୟ କଥା କହିଲେ...