ରାଜ୍ୟସଭା ନିର୍ବାଚନ ନାମାଙ୍କନ ପ୍ରକ୍ରିୟା ଆରମ୍ଭ : ନବୀନଙ୍କ ଗୁଡ ବୁକ୍ରେ କିଏ ?

ଭୁବନେଶ୍ୱର,୨୫/୫ : ୩ଟି ରାଜ୍ୟସଭା ଆସନ ପାଇଁ ମଙ୍ଗଳବାର ବିଜ୍ଞପ୍ତି ବାହାରିଛି । ଉପନିର୍ବାଚନ ହେବାକୁ ଆଉ ଏକ ରାଜ୍ୟସଭା ଆସନ ପାଇଁ ୨୬ରେ ଆସିବ ବିଜ୍ଞପ୍ତି । ଏହି ଚାରି ଆସନ ଭିତରୁ ଦୁଇଟିରେ ମହିଳାଙ୍କୁ ପ୍ରାର୍ଥୀ କରି ନବୀନ ଦିଲ୍ଲୀ ପଠାଇପାରନ୍ତି । ବିଶ୍ୱସ୍ତ ସୂତ୍ର ମୁତାବକ, ଆସନ୍ତା ଦିନେ ଦୁଇଦିନ ଭିତରେ ହିଁ ରାଜ୍ୟସଭା ପାଇଁ ୩ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବିଜେଡି ।
ରାଜ୍ୟସଭାରେ ମହିଳାଙ୍କ ପ୍ରତିନିଧିତ୍ୱ ବଢ଼ାଇବାକୁ ନବୀନ ନେଇପାରନ୍ତି ବଡ଼ ପଦକ୍ଷେପ । ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ ଏଥର ୨ଜଣ ମହିଳାଙ୍କୁ ରାଜ୍ୟସଭା ପଠାଇବା ନେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଚାର ବିମର୍ଷ ଚଳାଇଛନ୍ତି । ଖୁବଶୀଘ୍ର ଏ ପ୍ରସ୍ତାବ ଉପରେ ଚୂଡ଼ାନ୍ତ ମୋହର ବାଜିବ । ୨୦୧୯ ଲୋକସଭା ନିର୍ବାଚନରେ ୩୩% ମହିଳାଙ୍କୁ ଟିକେଟ ଦେଇ ନବୀନ ଜାତୀୟସ୍ତରରେ ପ୍ରଶଂସା ସାଉଁଟିଥିଲେ । ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ଦାବିକୁ ଲଗାତର ଜାତୀୟସ୍ତରରେ ଉଠାଇ ଚାଲିଛି ବିଜେଡି । ଏବେ ସରିଥିବା ପଞ୍ଚାୟତ ଓ ପୌର ନିର୍ବାଚନରେ ୫୦%ରୁ ଅଧିକ ମହିଳାଙ୍କୁ ଅଗ୍ରାଧିକାର ଦେଇଛି ବିଜେଡି । ଭୁବନେଶ୍ୱର ମହାନଗର ନିଗମରେ ଉଭୟ ମେୟର ଓ ଡେପୁଟି ମେୟର ପଦରେ ମହିଳାଙ୍କୁ ବସାଇଛନ୍ତି ନବୀନ । ହେଲେ ରାଜ୍ୟସଭାରେ ଏ ଯାଏଁ ମହିଳାଙ୍କ ପ୍ରତିନିଧିତ୍ୱ ନଗଣ୍ୟ ଅଛି । ଓଡ଼ିଶାର ୧୦ ରାଜ୍ୟସଭା ସାଂସଦଙ୍କ ଭିତରେ ଏକମାତ୍ର ମହିଳା ହେଲେ ମମତା ମହାନ୍ତ । ରାଜ୍ୟସଭାରେ ମହିଳାଙ୍କ ସଂଖ୍ୟା ବଢ଼ାଇବାକୁ ବିଜେଡି ବିଚାର କରୁଛି ।
ରାଜ୍ୟସଭା ପାଇଁ ଯେଉଁ କେତେକ ମହିଳାଙ୍କ ନାଁ ଚର୍ଚ୍ଚାରେ ଅଛି, ସେଥିରେ ସର୍ବାଗ୍ରେ ଅଛନ୍ତି ମୋ’ ସ୍କୁଲ ଅଧ୍ୟକ୍ଷା ତଥା ଉଦ୍ୟୋଗପତି ସୁସ୍ମିତା ବାଗ୍ଚୀ । ଓଟିଡିସି ଚେୟାରମ୍ୟାନ ଶ୍ରୀମୟୀ ମିଶ୍ର ଓ ଦଳର ମୁଖପାତ୍ର ସୁଲତା ଦେଓଙ୍କ ନାଁ ବି ଚର୍ଚ୍ଚାକୁ ଆସିଛି । ହେଲେ ଚକମା ଦେବାରେ ମାହିର ନବୀନ । ତେଣୁ ଆଦୌ ଚର୍ଚ୍ଚାରେ ନ ଥିବା କୌଣସି ସାଧାରଣ ମହିଳାଙ୍କୁ ରାଜ୍ୟସଭା ଟିକଟ ମିଳିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ପୂର୍ବରୁ ରାଜ୍ୟସଭା ପାଇଁ ମମତା ମହାନ୍ତ ଓ ଲୋକସଭା ନିର୍ବାଚନରେ ଆସିକାରୁ ପ୍ରମିଳା ବିଷୋୟୀଙ୍କୁ ନବୀନ ପ୍ରାର୍ଥୀ କରି ସଭିଙ୍କୁ ଚକିତ କରାଇଥିଲେ । ମହିଳା ସଶକ୍ତିକରଣ ଦିଗରେ ଅଗ୍ରଣୀ ଭୂମିକା ନେଉଥିବା ଗାଁର କୌଣସି ସାଧାରଣ ମହିଳାଙ୍କୁ ନବୀନ ରାଜ୍ୟସଭା ପଠାଇବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ବିଜେଡିର ବରିଷ୍ଠ ନେତ୍ରୀ ଉଷା ଦେବୀ ଗଣମାଧ୍ୟମକୁ କହିଛନ୍ତି, ବିଜେଡି ସବୁବେଳେ ମହିଳାଙ୍କୁ ଗୁରୁତ୍ୱ ଦେଇଛି । ତେଣୁ ଏଥର ବି ମହିଳାଙ୍କୁ ଅଗ୍ରାଧିକାର ମିଳିପାରେ । ଏଥିରୁ ସ୍ପଷ୍ଟ ଆଭାସ ମିଳୁଛି, ରାଜ୍ୟସଭା ପାଇଁ ମହିଳାଙ୍କୁ ଅଗ୍ରାଧିକାର ଦେବ ବିଜେଡି ।
ରାଜ୍ୟସଭା ପାଇଁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜଙ୍କ ନାଁ ଚର୍ଚ୍ଚାରେ ରହିଛି । ସେହିପରି ଡ. ସସ୍ମିତ ପାତ୍ରଙ୍କୁ ଦଳ ଆଉ ଥରେ ରିପିଟ କରିପାରେ ବୋଲି କେତେକ ମହଲରେ ଚର୍ଚ୍ଚା ହେଉଛି । ପ୍ରଦୀପ ମାଝୀ, ଇଂ ନଳିନୀ ପ୍ରଧାନ, ପୂର୍ବତନ ସାଂସଦ କଳିକେଶ ସିଂହଦେଓ, ମୁମ୍ବାଇର ପୂର୍ବତନ ପୁଲିସ କମିଶନର ଅରୂପ ପଟ୍ଟନାୟକ, ପ୍ରସନ୍ନ ପାଟ୍ଟଶାଣୀ, ରବିନାରାୟଣ ନନ୍ଦ, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଅବସରପ୍ରାପ୍ତ ମୁଖ୍ୟ ସଚିବ ଅସିତ ତ୍ରିପାଠୀ, ପୁଷ୍ପେନ୍ଦ୍ର ସିଂହଦେଓଙ୍କ ସହ ଶିଳ୍ପପତି ନବୀନ ଜିନ୍ଦଲଙ୍କ ନାଁ ବି ଚର୍ଚ୍ଚାକୁ ଆସିଛି ରାଜ୍ୟସଭା ନିର୍ବାଚନ ନେଇ । ଏ ସବୁ ଚର୍ଚ୍ଚାକୁ ବାଏଁ ବାଏଁ ଉଡ଼ାଇ ନବୀନ ସରପ୍ରାଇଜ କାର୍ଡ ବି ଖେଳିପାରନ୍ତି ।
ରାଜ୍ୟସଭା ପାଇଁ ଯେଉଁ ନାମକୁ ନେଇ ନିଷ୍ପତ୍ତି ପ୍ରାୟତଃ ଚୂଡ଼ାନ୍ତ, ତାଙ୍କୁ ନାମାଙ୍କନ ପାଇଁ ପ୍ରସ୍ତୁତ ହେବାକୁ ଗ୍ରୀନ ସିଗନାଲ ଦିଆଯାଇଛି । ମାତ୍ର କାହାକୁ ଗ୍ରୀନ ସିଗନାଲ ମିଳିଛି, ବଡ଼ ନେତା ବି ଠଉରାଇପାରୁନାହାନ୍ତି । ସବୁ ଅପେକ୍ଷା କରିଛନ୍ତି ନବୀନଙ୍କ ଘୋଷଣାକୁ । ୩୧ରେ ୩ଟି ଆସନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ । ହାତରେ ବେଶି ସମୟ ନାହିଁ । ଏଥିପାଇଁ ଶୀଘ୍ର ୩ ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ । ଆସନ୍ତା ଜୁଲାଇ ୧ ତାରିଖରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଏନ୍. ଭାସ୍କର ରାଓ, ଡକ୍ଟର ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ସରୁଛି । ଏହି ୩ ଆସନ ପାଇଁ ଆସନ୍ତା ଜୁନ୍ ୧୦ରେ ଭୋଟ ହେବ । ଏହି ୩ଟି ଆସନର କାର୍ଯ୍ୟକାଳ ୬ ବର୍ଷ ଥିବାବେଳେ ସୁବାସ ସିଂ ଖାଲି କରିଥିବା ଆସନର କାର୍ଯ୍ୟକାଳ ୪ ବର୍ଷ ବାକି ଅଛି ।