ଅଯୋଧ୍ୟା, ୪।୭: ଶ୍ରୀରାମ ଜନ୍ମଭୂମି ମନ୍ଦିରର ଦାନ ବାକ୍ସରୁ ଟଙ୍କା ଚୋରି ମାମଲାରେ ପୁଲିସ ତଦନ୍ତରୁ ଏକ ବଡ଼ ଧରଣର ସ୍ପଷ୍ଟିକରଣ ସାମ୍ନାକୁ ଆସିଛି । ନିଜର କଳା କାରନାମାକୁ ଲୁଚାଇବା ପାଇଁ ଅଭିଯୁକ୍ତମାନେ ବାରମ୍ବାର ସିସିଟିଭି କ୍ୟାମେରା ସହ ଖେଳିବାକୁ ଚେଷ୍ଟା କରିଥିଲେ । ଏପରିକି କଣ୍ଟ୍ରୋଲ ରୁମ୍କୁ ଯାଇ ସିସିଟିଭି ଫୁଟେଜ୍ ଡିଲିଟ୍ କରିବାକୁ ମଧ୍ୟ ଉଦ୍ୟମ କରାଯାଇଥିଲା ଏବଂ ଅଭିଯୁକ୍ତମାନେ ଏଥିରେ ସଫଳ ମଧ୍ୟ ହୋଇଥିଲେ । ତେବେ ତଦନ୍ତ ପାଇଁ ପ୍ରମାଣ ସ୍ୱରୂପ ଯେତିକି ଫୁଟେଜ୍ ଆବଶ୍ୟକ ଥିଲା, ପୁଲିସ ସେସବୁକୁ ସୁରକ୍ଷିତ ଭାବେ ହାସଲ କରିସାରିଛି । ସୂତ୍ର ଅନୁସାରେ, ଦାନ ଅର୍ଥ ଗଣତି ସମୟରେ ଯେତେବେଳେ ଅଭିଯୁକ୍ତମାନେ ଟଙ୍କା ଗାଏବ କରୁଥିଲେ, ସେତେବେଳେ କାଉଣ୍ଟିଂ ଇନଚାର୍ଜ ନିଜେ କଣ୍ଟ୍ରୋଲ ରୁମ୍ ଉପରେ ନଜର ରଖୁଥିଲେ । ସେଠାକୁ ଯେପରି କେହି ନ ଯାଆନ୍ତି ଏବଂ ଯଦି କେହି ଯାଆନ୍ତି, ସେଥିପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରାଯାଉଥିଲା । ଅଭିଯୁକ୍ତ ଟିନ୍ନୁ ମଧ୍ୟ ଏହି କାମରେ ସାମିଲ ଥିଲା । ଧରା ନପଡ଼ିବା ପାଇଁ ଅଭିଯୁକ୍ତମାନେ ସବୁ ପ୍ରକାର ଚେଷ୍ଟା ଚଳାଇଥିଲେ ।

ପୁଲିସର ଜେରା ବେଳେ ଅନ୍ୟତମ ଅଭିଯୁକ୍ତ ଅବିନାଶ ଅନେକ ଗୁପ୍ତ ତଥ୍ୟ ପ୍ରକାଶ କରିଛି । ଟିନ୍ନୁ ସବୁବେଳେ ଆଶ୍ୱାସନା ଦେଇ କହୁଥିଲା, "କେଉଁଠି କିଛି ହେବ ନାହିଁ, ସବୁ ଫୁଟେଜ୍ ଡିଲିଟ୍ କରିଦିଆଯିବ । ଏଠାରେ ଧରିବା ବାଲା କେହି ନାହାନ୍ତି ।" ଯେହେତୁ ସୁରକ୍ଷା ଓ ନିଗରାନୀ ଦାୟିତ୍ୱ ଟିନ୍ନୁ ଉପରେ ଥିଲା, ତେଣୁ କୌଣସି ସୁରକ୍ଷାକର୍ମୀ ବା ଅନ୍ୟ କେହି କେବେ ତାକୁ ସନ୍ଦେହ କରିନଥିଲେ କି ଅଟକାଇ ନଥିଲେ । ଏହାର ସୁଯୋଗ ନେଇ ସେମାନେ ଅତି ସହଜରେ ଲକ୍ଷ ଲକ୍ଷ ଟଙ୍କା ଗାଏବ କରୁଥିଲେ । ବର୍ତ୍ତମାନ ତଦନ୍ତକାରୀ ସଂସ୍ଥା ସିସିଟିଭି ଫୁଟେଜ୍, ଡିଜିଟାଲ୍ ରେକର୍ଡ ଏବଂ ଅନ୍ୟାନ୍ୟ ପ୍ରମାଣ ଆଧାରରେ ଏହି ସାରା ନେଟୱର୍କର ପର୍ଦ୍ଦାଫାଶ କରିବାକୁ ପ୍ରୟାସ କରୁଛି ।

ଏହା ବି ପଢ଼ନ୍ତୁ... Donation fund loot : କେଦାରନାଥ, ବଦ୍ରୀନାଥରେ ଦାନ ଅର୍ଥ ହେରଫେର, ତଦନ୍ତ ପାଇଁ କମିଟି ଗଠିତ

ଆସନ୍ତା ୬ ଜୁଲାଇରେ ଟ୍ରଷ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ:

ଏହି ବିବାଦ ମଧ୍ୟରେ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତା ୬ ଜୁଲାଇ ଅପରାହ୍ନ ୩ଟାରେ ଅନୁଷ୍ଠିତ ହେବାକୁ ଯାଉଛି । ବୈଠକର ମୁଖ୍ୟ ଏଜେଣ୍ଡାରେ ସର୍ବପ୍ରଥମେ ମହାସଚିବ ଚମ୍ପତ ରାୟ ଏବଂ ଟ୍ରଷ୍ଟି ଡାକ୍ତର ଅନିଲ ମିଶ୍ରଙ୍କ ଇସ୍ତଫା ପତ୍ର ଉପରେ ଆଲୋଚନା କରାଯିବ । ଏହା ସହିତ ରାମ ମନ୍ଦିର ଦାନ ବାକ୍ସରୁ ହୋଇଥିବା ଚୋରି ସମ୍ପର୍କରେ ଗଠିତ ଏସଆଇଟିର ଅନ୍ତରୀଣ ରିପୋର୍ଟ ମଧ୍ୟ ଟ୍ରଷ୍ଟ ସମ୍ମୁଖରେ ରଖାଯିବ । ସୂଚନାଯୋଗ୍ୟ ଯେ, ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ କେନ୍ଦ୍ର ସରକାର ଏବଂ ଉତ୍ତର ପ୍ରଦେଶ ସରକାର ଉଭୟଙ୍କ ଠାରୁ ସମ୍ପୂର୍ଣ୍ଣ ମୁକ୍ତ ଏକ ସ୍ୱାଧୀନ ସଂସ୍ଥା । ଟ୍ରଷ୍ଟର ସମସ୍ତ ନିଷ୍ପତ୍ତି ଏହାର ସ୍ଥାୟୀ ଟ୍ରଷ୍ଟିମାନେ ଆଭ୍ୟନ୍ତରୀଣ ଭାବେ ନେଇଥାନ୍ତି । ଏହି ଟ୍ରଷ୍ଟ କୌଣସି ସରକାରୀ ଆର୍ଥିକ ସହାୟତା ନେଉ ନଥିବାରୁ କିମ୍ବା କୌଣସି ସରକାରୀ ପ୍ରଶାସନିକ ନିୟନ୍ତ୍ରଣରେ ନଥିବାରୁ, ଏହା ଆରଟିଆଇ ଆକ୍ଟର ପରିସରଭୁକ୍ତ ନୁହେଁ ।