ଅଯୋଧ୍ୟା, ୨୩।୨: ଅଯୋଧ୍ୟା ପରେ ଏବେ ବେଙ୍ଗଲରେ ଗର୍ଜିବ ଜୟ ଶ୍ରୀରାମ । ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ପରେ ଏବେ ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଏକ ବିଶାଳ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି । ଶ୍ରୀ କୃତିବାସ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଅଯୋଧ୍ୟା ଢାଞ୍ଚାରେ ଏହି ମନ୍ଦିର ନିର୍ମାଣ କରାଯିବ । ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଅଯୋଧ୍ୟାରୁ ପବିତ୍ର ମାଟି ଅଣାଯିବ ବୋଲି ଟ୍ରଷ୍ଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଟ୍ରଷ୍ଟର ସୂଚନା ଅନୁଯାୟୀ, ଆସନ୍ତା ୨୫ ଫେବୃଆରୀରେ ଶାନ୍ତିପୁରରୁ ୨୧ ଜଣ ପୁରୋହିତଙ୍କ ଏକ ପ୍ରତିନିଧି ଦଳ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବେ । ସେମାନେ ଶ୍ରୀରାମ ଜନ୍ମଭୂମିରୁ ପବିତ୍ର ମାଟି ସଂଗ୍ରହ କରି ଶାନ୍ତିପୁରକୁ ଫେରିବେ । ଏହି ମାଟିକୁ ପ୍ରସ୍ତାବିତ ‘ଶ୍ରୀ କୃତିବାସ ରାମ ମନ୍ଦିର ତୀର୍ଥ କ୍ଷେତ୍ର’ ର ଶିଳାନ୍ୟାସ ପୂଜନରେ ବ୍ୟବହାର କରାଯିବ ।

ଏହା ବି ପଢ଼ନ୍ତୁ... ୪୮ ଘଣ୍ଟାରେ ଭୟଙ୍କର ଯୁଦ୍ଧ ! ପରିସ୍ଥିତି ଗମ୍ଭୀର, ତୁରନ୍ତ ଇରାନ୍ ଛାଡିବାକୁ ଭାରତୀୟ ନାଗରିକଙ୍କୁ ସତର୍କ କଲା ଭାରତୀୟ ଦୂତାବାସ

ଐତିହାସିକ ଓ ସାଂସ୍କୃତିକ ସେତୁ:

ଏହି ଅଭିଯାନକୁ ନେଇ ଶାନ୍ତିପୁରର ପୂର୍ବତନ ବିଧାୟକ ତଥା ଟ୍ରଷ୍ଟର ଅଧ୍ୟକ୍ଷ ଅରିନ୍ଦମ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, ଏହି ଯାତ୍ରା ଅଯୋଧ୍ୟାର ଆଧ୍ୟାତ୍ମିକତା ଏବଂ ଶାନ୍ତିପୁରର ସାଂସ୍କୃତିକ ପରମ୍ପରା ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରିବ । ଏହା ପ୍ରସିଦ୍ଧ କବି କୃତିବାସ ଓଝାଙ୍କ ସହ ଜଡ଼ିତ, ଯିଏ ବଙ୍ଗଳା ଭାଷାରେ ରାମାୟଣ ରଚନା କରିଥିଲେ । ବ୍ରହ୍ମଶାସନ କ୍ଷେତ୍ରରେ ବୈଦିକ ଜଗଦ୍ଧାତ୍ରୀ ପୂଜା ଏବଂ ସଂକଳ୍ପ ସମାରୋହ ସହିତ ଏହି ଧାର୍ମିକ ଯାତ୍ରାର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଛି । କହିରଖୁଛୁ ଯେ, ଶ୍ରୀ କୃତିବାସ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ୨୦୧୭ ମସିହାରୁ ପଦକ୍ଷେପ ନିଆଯାଇଥିଲା । ବର୍ତ୍ତମାନ ରାମ ମନ୍ଦିର ନିର୍ମାଣ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ଅଯୋଧ୍ୟାରୁ ପବିତ୍ର ମାଟି ଆସିବା ପରେ ଖୁବ୍ଶୀଘ୍ର ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ ତାରିଖ ଘୋଷଣା କରାଯିବ । ପଶ୍ଚିମବଙ୍ଗରେ ରାମ ମନ୍ଦିର ନିର୍ମାଣ ନେଇ ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି । ଏହାକୁ ବିଶ୍ୱାସ, ଇତିହାସ ଏବଂ ଭକ୍ତିର ଏକ ଅପୂର୍ବ ମିଳନ ବୋଲି କୁହାଯାଉଛି ।