ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ରାମାନନ୍ଦ ସାଗରଙ୍କ ପୁଅ ଏବଂ ପ୍ରଡ୍ୟୁସର ପ୍ରେମ ସାଗରଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। ୧୯୮୭ ମସିହାରେ ଟିଭି ଶୋ' 'ରାମାୟଣ' ନିର୍ମାଣରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଥିଲା। ସେ ୨୦୨୫ ଅଗଷ୍ଟ ୩୧ ତାରିଖ ରବିବାର ସକାଳ ୧୦ଟାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ରାମାନନ୍ଦ ସାଗରଙ୍କ 'ରାମାୟଣ'ରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ସୁନୀଲ ଲାହିରୀ ଇନଷ୍ଟାଗ୍ରାମରେ ପ୍ରେମ ସାଗରଙ୍କ ମୃତ୍ୟୁର ଦୁଃଖଦ ଖବର ଦେଇଥିଲେ। ଏକ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ଦେଇ ସେ ଲେଖିଛନ୍ତି, ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ ସାଗରଙ୍କ ମୃତ୍ୟୁ ବିଷୟରେ ଜଣାଇ ମୁଁ ଗଭୀର ଦୁଃଖ ଅନୁଭବ କରୁଛି। ମୁଁ ପ୍ରାର୍ଥନା କରୁଛି ଯେ, ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ଏବଂ ତାଙ୍କ ପରିବାରକୁ ଏହି ଗଭୀର ଦୁଃଖ ସହ୍ୟ କରିବାର ଶକ୍ତି ମିଳୁ।

ପ୍ରେମ ସାଗର ଜଣେ ମହାନ ଚଳଚ୍ଚିତ୍ର ନିର୍ମାତା ଏବଂ ପ୍ରସିଦ୍ଧ ସିନେମାଟୋଗ୍ରାଫର ଥିଲେ। ସେ ଭାରତୀୟ ସିନେମା ଏବଂ ଟେଲିଭିଜନରେ ସାଗର ପରିବାରର କିର୍ତ୍ତୀକୁ ଦକ୍ଷତାର ସହିତ ଆଗକୁ ବହନ କରିଥିଲେ। ସେ FTII ପୁଣେରୁ ଫିଲ୍ମ ମେକିଂ ପାଠ ପଢ଼ିଥିଲେ। ସେ ୧୯୬୮ ବ୍ୟାଚର ଛାତ୍ର ଥିଲେ। ପ୍ରେମ ସାଗର ତାଲିମ ମାଧ୍ୟମରେ ଫଟୋଗ୍ରାଫି ଏବଂ ସିନେମାଟୋଗ୍ରାଫି ଉପରେ ଦକ୍ଷତା ହାସଲ କରିଥିଲେ। ସେ ତାଙ୍କ ପିତାଙ୍କ ପ୍ରଯୋଜନା ସଂସ୍ଥା 'ସାଗର ଆର୍ଟସ୍' ଅଧୀନରେ ଅନେକ ପ୍ରୋଜେକ୍ଟ ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ରାମାନନ୍ଦ ସାଗରଙ୍କ ପ୍ରସିଦ୍ଧ ଟେଲିଭିଜନ ଧାରାବାହିକ 'ରାମାୟଣ'ର ପ୍ରଯୋଜନା ସହିତ ମଧ୍ୟ ଜଡିତ ଥିଲେ।