ନୂଆଦିଲ୍ଲା,୧୮/୦୨; ଚଳିତ ରଣଜୀ ଟ୍ରଫିରେ ଘରୋଇ ବେଙ୍ଗଲ ଓ ଜମ୍ମୁ ଓ କାଶ୍ମୀର ମଧ୍ୟରେ ଚାଲିଥିବା ଦ୍ୱିତୀୟ ସେମି ଫାଇନାଲର ଫଳାଫଳ ଆସି ସାରିଛି ।ରଣଜୀ ଟ୍ରଫିରେ ଇତିହାସ ରଚିଛି ଜମ୍ମୁକାଶ୍ମୀର । ଦଳ ପାଇଁ ଏକ ସୁବର୍ଣ୍ଣ ଅଧ୍ୟାୟ ଯୋଡ଼ି ହୋଇଛି । ରଣଜୀ ଟ୍ରଫି ୨୦୨୫୦୨୬ ସିଜିନର ଦ୍ୱିତୀୟ ସେମିଫାଇନାଲ ଜମ୍ମୁ ଏବଂ କାଶ୍ମୀର ଏବଂ ବେଙ୍ଗଲ ମଧ୍ୟରେ ଖେଳାଯାଇଥିଲା । ଜମ୍ମୁ ଏବଂ କାଶ୍ମୀର ଏହି ମ୍ୟାଚକୁ ୬ ୱିକେଟରେ ଜିତି ପ୍ରଥମ ଥର ପାଇଁ ଫାଇନାଲ ସ୍ଥାନ ପକ୍କା କରିବାରେ ସଫଳ ହୋଇଛି । ଦୁଇ ଥରର ରଣଜୀ ଚାମ୍ପଅନ ବେଙ୍ଗଲକୁ ମାତ ଦେଇ ଫାଇନାଲ ଟିକେଟ ହାତେଇଛି ।

ରଣଜୀ ଦ୍ୱିତୀୟ ସେମିଫାନାଲ ବେଙ୍ଗଲ କ୍ରିକେଟ୍ ଏକାଡେମୀ ଗ୍ରାଉଣ୍ଡରେ ଖେଳାଯାଇଥିଲା । ଯେଉଁଠାରେ ପ୍ରଥମ ଇନିଂସରେ ପଛରେ ପଡ଼ିବା ପରେ ଜମ୍ମୁ ଏବଂ କାଶ୍ମୀର ଦଳ ଏକ ଉଲ୍ଲେଖନୀୟ ପ୍ରତ୍ୟାବର୍ତ୍ତନ କରି ମ୍ୟାଚ୍ ଜିତି ନେଇଛି । ଦ୍ରୁତ ବୋଲର ଆକିବ ନବି ଜମ୍ମୁ ଏବଂ କାଶ୍ମୀର ବିଜୟର ନାୟକ ଥିଲେ । ଜମ୍ମୁ କାଶ୍ମୀର ପାଇଁ ଏହା ଏକ ଐତିହାସିକ ବିଜୟ କହିଲେ ଭୁଲ ହେବ ନାହିଁ । ଜମ୍ମୁ କାଶ୍ମୀର ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବେଙ୍ଗଲ ପ୍ରଥମ ଇନିଂସରେ ୩୨୮ ରନ କରିଥିଲା । ଜବାବରେ ଜମ୍ମୁ କାଶ୍ମୀର ପ୍ରଥମ ଇନିଂସରେ କେବଳ ୩୦୨ ରନ କରିବାରେ ସକ୍ଷମ ହୋଇଥିଲା । ଯାହା ଫଳରେ ବେଙ୍ଗଲକୁ ୨୬ ରନର ଗୁରୁତ୍ୱପୂର୍ଣ୍ଣ ଲିଡ୍ ମିଳିଥିଲା । ଜମ୍ମୁ କାଶ୍ମୀର ପାଇଁ ଆକିବ ନବି ୫୪ ବଲରୁ ୪୨ ରନର ଉପଯୋଗୀ ଇନିଂସ ଖେଳିଥିଲେ। ତଥାପି, ମହମ୍ମଦ ଶାମି ୮ ୱିକେଟ ନେଇ ବେଙ୍ଗଲକୁ ମ୍ୟାଚରେ ଲିଡ୍ ଦେଇଥିଲେ । ୨୦୧୩-୧୪ରେ ଜମ୍ମୁ ପ୍ରଥମ ଥର ନକ୍ ଆଉଟରେ ପହଁଚିଥିଲା । କିନ୍ତୁ ସେବେ ଚାମ୍ପିଅନ୍ ହୋଇପାରିନଥିଲା । ଏଥର ଦଳ ନକ୍ ଆଉଟ୍ ଅତିକ୍ରମ କରି ଫାଇନାଲରେ ପହଁଚିଛି ।

କିନ୍ତୁ ଦ୍ୱିତୀୟ ଇନିଂସରେ ବେଙ୍ଗଲର ବ୍ୟାଟିଂ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଥିଲା । ମାତ୍ର ୯୯ ରନରେ ଅଲଆଉଟ୍ ହୋଇଥିଲା ଦଳ । ଜମ୍ମୁ ଏବଂ କାଶ୍ମୀରର ଦ୍ରୁତ ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିଲେ, ଆକିବ ନବି ଏବଂ ସୁନୀଲ କୁମାର ୪ଟି ଲେଖାଏଁ ୱିକେଟ୍ ନେଇଥିଲେ । ଏହା ଫଳରେ ଜମ୍ମୁ ଏବଂ କାଶ୍ମୀରକୁ ବିଜୟ ପାଇଁ ମାତ୍ର ୧୨୬ ରନର ଛୋଟିଆ ଲକ୍ଷ୍ୟ ମିଳିଥିଲା । ଲକ୍ଷ୍ୟ ପିଛା କରି ଜମ୍ମୁ ଏବଂ କାଶ୍ମୀର ଏକ ଦମଦାର ବିଜୟ ହାସଲ କରିଛି । ବଂଶ ଶର୍ମା ଅପରାଜିତ ୪୩ ରନ କରିଥିଲେ। ଅବଦୁଲ ସମାଦ ୨୭ ବଲରୁ ୩୦ ରନର ଦ୍ରୁତ ଇନିଂସ ଖେଳି ଦଳକୁ ବିଜୟୀ କରାଇଥିଲେ । ଆକିବ ନବି ମ୍ୟାଚର ଷ୍ଟାର ଥିଲେ, ସେ ୯ଟି ୱିକେଟ୍ ନେଇଥିଲେ ଏବଂ ବ୍ୟାଟିଂରେ ମଧ୍ୟ ତାଙ୍କର ଅବଦାନ ରହିଛି ।

ଏହା ବି ପଢନ୍ତୁ...ରାଉରକେଲାରେ ଖାତା ଖୋଲିପାରିଲାନି ଭାରତ, ୪ ମ୍ୟାଚରେ ବିଜୟ ଘର ଖାଲି

ଫାଇନାଲ ଜିତିଲେ କେତେ କୋଟି ଟଙ୍କାର ମିଳିବ ପୁରସ୍କାର- ଫାଇନାଲରେ ଜମ୍ମୁ ଏବଂ କାଶ୍ମୀରର ମୁକାବିଲା କର୍ଣ୍ଣାଟକ ସହିତ ହେବାର ସମ୍ଭାବନା ଅଛି । ବିଜେତା ଦଳକୁ ୫କୋଟିର ପୁରସ୍କାର ରାଶି ମିଳିବ। ଉପବିଜେତା ଦଳକୁ ୩ କୋଟି ଟଙ୍କା ମିଳିବ । ଏହି ମ୍ୟାଚ୍ ଜମ୍ମୁ ଏବଂ କାଶ୍ମୀର ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ । ଯାହା ଦଳର ପ୍ରଥମ ଟାଇଟଲ ହାତେଇବା ଅପେକ୍ଷାର ଅନ୍ତ କରିବାକୁ ଚେଷ୍ଟା କରିବ ।