ରାଉରକେଲା,୧୮/୦୨; ଘରୋଇ ଗ୍ରାଉଣ୍ଡରୁ ୨୦୨୫-୨୬ ସିଜନର ଏଫ୍ଆଇଏଚ୍ ପୁରୁଷ ପ୍ରୋ ଲିଗ୍ ଆରମ୍ଭ କରିଥିଲା ଭାରତ । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଭ୍ରମଣକାରୀ ବେଲଜିୟମ ଓ ଆର୍ଜେଣ୍ଟିନା ସହ ମୋଟ୍ ୪ଟି ମ୍ୟାଚ ଖେଳିଥିଲା । କିନ୍ତୁ ଘରୋଇ ଗ୍ରାଉଣ୍ଡରେ ଭାରତୀୟ ଦଳ ଅତି ନୈରାଶ୍ୟଜନକ ପ୍ରଦର୍ଶନ କଲା ଏବଂ ସମସ୍ତ ମ୍ୟାଚ୍‌ରେ ପରାଜିତ ହେଲା । ଆସନ୍ତା ୨୧ ତାରିଖରୁ ହୋବାର୍ଟ ଲେଗ୍ ଆରମ୍ଭ ହେବ । ଏଥିପାଇଁ ୨୪ ଜଣିଆ ହକି ଦଳ ଘୋଷଣା ହୋଇଛି । ଦଳରେ ୩ ଜଣ ଓଡ଼ିଆ ଅମିତ ରୋହିଦାସ, ଅମନଦୀପ ଲାକ୍ରା ଓ ଶିଳାନନ୍ଦ ଲାକ୍ରା ସ୍ଥାନ ପାଇଛନ୍ତି ।

ଅଧିନାୟକ ହର୍ମନପ୍ରୀତ ସିଂ ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ଗସ୍ତରୁ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ହାର୍ଦ୍ଦିକ ସିଂଙ୍କୁ ଦଳର ନେତୃତ୍ୱ ପ୍ରଦାନ କରାଯାଇଛି । ହୋବାର୍ଟରେ ଭାରତୀୟ ଦଳ ଘରୋଇ ଅଷ୍ଟ୍ରେଲିଆ ଓ ସ୍ପେନକୁ ଭେଟିବ । ଆସନ୍ତା ୨୧ରେ ସ୍ପେନ ଓ ୨୨ରେ ଅଷ୍ଟ୍ରେଲିଆ ଏବଂ ୨୪ରେ ସ୍ପେନ ଓ ୨୫ ତାରିଖରେ ଅଷ୍ଟ୍ରେଲିଆକୁ ଭେଟିବାର ସୂଚୀ ରହିଛି । ଆଗକୁ ବିଶ୍ୱକପ୍ ଏବଂ ଏସୀୟ କ୍ରୀଡ଼ା ରହିଛି । ତା’ ପୂର୍ବରୁ ପ୍ରୋ ଲିଗରେ ଦଳର ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଛି । ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ କହିଛନ୍ତି, ‘ନିଶ୍ଚିତ ଭାବେ ଏହା ଚିନ୍ତାର ବିଷୟ । କିନ୍ତୁ ଆମେ ଯେମିତି ହାରିଲୁ ଆର୍ଜେଣ୍ଟିନା ମଧ୍ୟ ବେଲଜିୟଠୁ ଉଭୟ ମ୍ୟାଚରେ ପରାଜିତ ହୋଇଛି । ଏହା ଉପରେ ଆମେ ଦୃଷ୍ଟି ଦେଉଛୁ । ଖେଳାଳିମାନେ ଏହାକୁ ଭଲ ଭାବେ ହୃଦୟଙ୍ଗମ କରିବା ଦରକାର ।’

ଭାରତୀୟ ଦଳ:​​​​​​​ଗୋଲକିପର-ସୁରଜ କାର୍କେରା, ମୋହିତ ଶଶିକୁମାର । ଡିଫେଣ୍ଡର- ଅମିତ ରୋହିଦାସ, ଜର୍ମନପ୍ରୀତ ସିଂ, ଯୁଗରାଜ ସିଂ, ସଞ୍ଜୟ, ସୁମିତ, ଅମନଦୀପ ଲାକ୍ରା, ୟଶଦୀପ ସିୱାଚ, ପି. ଚନ୍ଦୁରା ବବି । ମିଡଫିଲ୍ଡର-ରାଜିନ୍ଦର ସିଂ, ମନମିତ ସିଂ, ବିବେକ ସାଗର ପ୍ରସାଦ, ହାର୍ଦ୍ଦିକ ସିଂ, ଏମ. ରବିଚନ୍ଦ୍ର ସି, ବିଷ୍ଣୁକାନ୍ତ ସିଂ, ରାଜକୁମାର ପାଲ । ଫରୱାର୍ଡ-ଅଭିଷେକ, ଶିଳାନନ୍ଦ ଲାକ୍ରା, ମନଦୀପ ସିଂ, ଅରଇଜିତ ସିଂ ହୁଣ୍ଡାଲ, ଆଦିତ୍ୟ ଅର୍ଜୁନ, ଅଙ୍ଗଦ ବୀର ସିଂ ଓ ମନିନ୍ଦର ସିଂ ।

ଏହା ବି ପଢନ୍ତୁ...ଟି-ଟ୍ୱେଣ୍ଟି ବିଶ୍ୱକପ; ସ୍କଟଲାଣ୍ଡ ବିପକ୍ଷରେ ବଜୟ ସହ ନେପାଳର ଅଭିଯାନ ଶେଷ