ଭୁବନେଶ୍ୱର/ଭଦ୍ରକ,୧୯/୦୪: ଭଦ୍ରକ ଜିଲ୍ଲାର ବନ୍ତରୁ ଉଦ୍ଧାର ହୋଇଥିବା ବିରଳ ଆଲୋବିନୋ ରଣା ସାପକୁ ନନ୍ଦନକାନନ ଅଣାଯାଇଛି । ଆଜି ଭଦ୍ରକ ରେଞ୍ଜ ଅଫିସ କର୍ମଚାରୀମାନେ ସାପକୁ ଆଣି ନନ୍ଦନକାନନରେ ପହଞ୍ଚିଥିଲେ । ସାପଟି ଗର୍ଭବତୀ ଥିବା ଜଣାପଡ଼ିବାରୁ ଏଠାରେ ସାପ ପେଟର ଏକ୍ସରେ କରାଯାଇଥିଲା । ତା’ ପେଟରେ ୭ଟି ଅଣ୍ଡା ଥିବା ଜଣାପଡ଼ିଛି । ଏହା ନନ୍ଦନକାନନ ପାଇଁ ଖୁସି ଖବର ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି ।
ସୂଚନା ଥାଉକି, ଭଦ୍ରକ ବନ୍ତ ବ୍ଲକ୍ର ଛୁଆଳ ସିଂହ ଅଞ୍ଚଳରୁ ଗତକାଲି ଏକ ହଳଦିଆ ଧଳା ରଙ୍ଗର ସାପ ସ୍ଥାନୀୟ ଲୋକମାନେ ଧରି ଏକ ପ୍ଲାଷ୍ଟିକ ଡବାରେ ରଖିଥିଲେ । ସ୍ନେକ୍ ହେଲ୍ପ ଲାଇନ୍ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ସାପର ଫାଟୋ ପଠେଇବା ସହ ସାପଟିକୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଥିଲେ । ଶୁଭେନ୍ଦୁ ସେଇ ସାପକୁ ଆଲବିନୋ ରଣା ସାପ ବୋଲି ଚିହ୍ନଟ କରିବା ସହିତ ଭଦ୍ରକ ଡିଭିଜନର ଏସିଏଫ୍ ସୁମିତ୍ ମହାନ୍ତିଙ୍କୁ ସେଇ ଫଟୋ ପଠାଇଥିଲେ । ଏସିଏଫ୍ଙ୍କ ନିର୍ଦ୍ଦେଶକ୍ରମେ ଭଦ୍ରକ ରେଞ୍ଜ କର୍ମଚାରୀମାନେ ଘଟଣା ସ୍ଥଳକୁ ଯାଇ ସାପଟିକୁ ଉଦ୍ଧାର କରିବା ସହିତ ସାପଟିକୁ ଭଦ୍ରକ ରେଞ୍ଜ ଅଫିସକୁ ଆଣିଥିଲେ ।
ଅଧିକ ପଢ଼ନ୍ତୁ:- ବିଜେପି ରାଜ୍ୟ ପଦାଧିକାରୀ ଏବଂ ସାଂଗଠନିକ ଜିଲ୍ଲା ପ୍ରଭାରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ, ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତ ହେବ ବ୍ଲୁ ଫ୍ରିଣ୍ଟ୍
ଖବରପାଇ ଯାଜପୁରରୁ ସ୍ନେକ ହେଲ୍ପ ଲାଇନ୍ କୋଅର୍ଡିନେଟର ପ୍ରମୋଦ କୁମାର ସାହୁଙ୍କ ନେତୃତ୍ୱରେ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ଅର୍ଚ୍ଚନା ମିଶ୍ର ଏବଂ ଜାହାଙ୍ଗୀର ଖାନ୍ ଭଦ୍ରକ ରେଞ୍ଜ ଅଫିସ ଯାଇ ସାପଟିର ପ୍ରାଥମିକ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥଲେ । ଯଦିଓ ସାପ ଦେହରେ ଅନ୍ୟ କୌଣସି ଜାଗାରେ ଆଘାତ ନଥିଲା, କିନ୍ତୁ ତାର ମୁହଁରେ ଏକ କ୍ଷତଚିହ୍ନ ଥିବା ଦେଖିବାକୁ ପାଇଥିଲେ । ସାପଟିର ମୁହଁରେ ଥିବା କ୍ଷତ ସ୍ଥାନର ଡାକ୍ତରୀ ଯାଞ୍ଚ ଏବଂ ପରବର୍ତ୍ତୀ ଚିକିତ୍ସା ପାଇଁ ତାକୁ ନନ୍ଦନକାନନ ଚିଡ଼ିଆଖାନାକୁ ପଠାଇବା ପାଇଁ ସ୍ନେକ୍ ହେଲ୍ପ ଲାଇନ୍ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ପରାମର୍ଶ ଦେଇଥିଲେ । ତେଣୁ ଆଜି ଉକ୍ତ ସାପକୁ ନନ୍ଦନକାନନ ଅଣା ଯାଇଥିଲା ।