ମୁମ୍ବାଇ ୦୨/୦୧: ଫିଲ୍ମ ‘ଛାବା’ରେ ଛତ୍ରପତି ସଂଭାଜୀ ମହାରାଜଙ୍କ ପତ୍ନୀ ମହାରାଣୀ ୟେସୁବାଈ ଭୋସଲେ ଭୂମିକା ନିର୍ବାହ କରିଛନ୍ତି ଅଭିନେତ୍ରୀ ରଶ୍ମିକା ମନ୍ଦାନା । ଜଣେ  ମରାଠୀ ଅଭିନେତ୍ରୀଙ୍କ ଭୂମିକା ନିର୍ବାହ କରିବା ରଶ୍ମିକାଙ୍କ ପାଇଁ ଏକ ମଉକା ନୁହେଁ, ବରଂ ଏକ ସ୍ୱପ୍ନ ଥିଲା । ଏକ ଗଣମାଧ୍ୟମ ସହ  ବାର୍ତ୍ତାଳାପରେ ରଶ୍ମିକା କହିଛନ୍ତି, ନିଜକୁ ମହାରାଣୀ ଭୂମିକାରେ  ଦେଖିବା ତାଙ୍କର ସ୍ୱପ୍ନ ଥିଲା । ‘ଛାବା’ରେ ତାହା ପୂରଣ ହେଲା । 

ଏହି ଭୂମିକା ପାଇଁ ସେ ଦୀର୍ଘ ୫ ମାସ ପର୍ଯ୍ୟନ୍ତ ଦୈନିକ ୩-୪  ଘଣ୍ଟା ଭାଷା ଶିଖୁଥିଲେ । ଫିଲ୍ମ ପାଇଁ ସେ ଖୁବ୍‌ ପରିଶ୍ରମ କରିଛନ୍ତି । ଜଣେ କଳାକାର ହେବାକୁ ସ୍ୱପ୍ନ ଦେଖିବା ପରଠୁ  ଏଭଳି ଐତିହାସିକ ଫିଲ୍ମରେ କାମ କରିବାର ଇଚ୍ଛା ତାଙ୍କର  ଥିଲା । ଆମ ଇତିହାସ, ପରମ୍ପରା ଓ ସଂସ୍କୃତିର ଭବ୍ୟତା  ତାଙ୍କୁ ସର୍ବଦା ଆକର୍ଷିତ କରେ । ‘ଛାବା’ ଭଳି ଫିଲ୍ମରେ  କାମ କରିବା ତାଙ୍କ ପାଇଁ ସ୍ୱପ୍ନ ପୂରଣ ହେବା ଭଳି । ସେ ନିଜକୁ ସର୍ବଦା ଏକ ରାଜକୀୟ ଦୁନିଆରେ ମହାରାଣୀ  ରୂପେ, ରାଜ ମହଲ, ଚମତ୍କାର ନୃତ୍ୟ ଏବଂ ଇତିହାସ  ମଧ୍ୟରେ ଦେଖିବାକୁ ସ୍ୱପ୍ନ ଦେଖୁଥିଲେ। 

ଲକ୍ଷ୍ମଣ ଉତେକରଙ୍କ  ‘ଛାବା’ ଅଫର୍‌ ଯେତେବେଳେ ତାଙ୍କୁ ମିଳିଲା, ସେ ଖୁବ୍‌  ଉତ୍ସାହିତ ହୋଇପଡ଼ିଲେ । ଫିଲ୍ମରେ ସବୁଠୁ ଅଧିକ ପରିଶ୍ରମ ସେ ଭାଷାକୁ ନେଇ କରିଛନ୍ତି । ହିନ୍ଦୀ ତାଙ୍କର ମାତୃଭାଷା  ନୁହେଁ । କିନ୍ତୁ ଦର୍ଶକଙ୍କ ପାଇଁ ଏହାକୁ ଶିଖିବା ତାଙ୍କର ଦାୟିତ୍ୱ ଥିଲା । ତେଣୁ ଦୀର୍ଘ ୫ ମାସ ଧରି ପ୍ରତ୍ୟେକ ଶବ୍ଦ, ପ୍ରତ୍ୟେକ  ବାକ୍ୟକୁ ସେ ଭଲଭାବେ ଶିଖୁଥିଲେ । ସେ ଏପର୍ଯ୍ୟନ୍ତ  ସବୁଠୁ ଅଧିକ ‘ଛାବା’ ପାଇଁ ପରିଶ୍ରମ କରିଥିବା ରଶ୍ମିକା  କହିଛନ୍ତି । ଏଥିସହ ସଲମାନ ଖାନ୍‌ଙ୍କ ଫିଲ୍ମ ‘ସିକନ୍ଦର୍‌’ରେ  ମଧ୍ୟ ରଶ୍ମିକା ମୁଖ୍ୟ ନାୟିକା ଭୂମିକା ନିର୍ବାହ କରିଛନ୍ତି ।  ଏହାକୁ ମଧ୍ୟ ସେ ସ୍ୱତନ୍ତ୍ର ଅବସର ବୋଲି କହିଛନ୍ତି । ଗତ  ୩ ବର୍ଷରେ ରଶ୍ମିକା ‘ପୁଷ୍ପା-୧’, ‘ଆନିମଲ୍‌’ ଓ ‘ପୁଷ୍ପା-୨’ ଭଳି ଲଗାତାର ହିଟ୍‌ ଫିଲ୍ମ ଦର୍ଶକଙ୍କୁ ଦେଇଛନ୍ତି । ନୂଆ  ବର୍ଷରେ ମଧ୍ୟ ସେହି ଆଶା ରଖି ଆଗକୁ ବଢୁଛନ୍ତି ।