ନୂଆଦିଲ୍ଲୀ : ପ୍ରସିଦ୍ଧ ଶିଳ୍ପପତି ରତନ ଟାଟା ମୁମ୍ୱାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୁତାବିକ, ରବିବାର ବିଳମ୍ୱିତ ରାତିରେ ସ୍ୱାସ୍ଥ୍ୟ ଖରାପ ହେବା ପରେ ତାଙ୍କୁ ସେଠାରେ ଭର୍ତ୍ତି କରାଯାଇ ଥିଲା। ଏହି ମଧ୍ୟରେ ୮୬ ବର୍ଷିୟ ରତନ ଟାଟାଙ୍କ ପକ୍ଷରୁ ଏକ୍ସରେ ବୟାନ ଜାରି କରି କୁହାଯାଇଛି କି, ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି ଏବଂ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ସେ ଏକ୍ସରେ ଲେଖିଛନ୍ତି ଯେ, ମୋତେ ସୂଚନା ମିଳିଛି , ମୋର ସ୍ୱାସ୍ଥ୍ୟାବସ୍ଥାକୁ ନେଇ କିଛି ଗୁଜବ ପ୍ରଚାର ହେଉଛି। କିନ୍ତୁ ମୁଁ ସମସ୍ତଙ୍କୁ ଆଶ୍ୱସ୍ତ କରିବାକୁ ଚାହୁଁଛି ଯେ, ଏହି ଦାବି ସଂପୂର୍ଣ୍ଣ ଭୁଲ।
ରତନ ଟାଟା ଆହୁରି ଲେଖିଛନ୍ତି ଯେ, ବର୍ତ୍ତମାନରେ ରେଗୁଲାର ହେଲଥ୍ ଚେକଅପ୍ ପାଇଁ ଆସିଛି। ଯାହାକି ବୟସ ଓ ମେଡିକାଲ ସ୍ଥିତି ସହ ଜଡ଼ିତ। ଏହାକୁ ନେଇ କୌଣସି ପ୍ରକାରର ଚିନ୍ତା କରିବାର ନାହିଁ। ମୁଁ ସଂପୂର୍ଣ୍ଣ ସୁସ୍ଥ ଅଛି। ଏହା ସହ ଏହା ମଧ୍ୟ କହିଛନ୍ତି କି, ମୁଁ ଆପଣ ସମସ୍ତଙ୍କୁ ଓ ମିଡ଼ିଆକୁ ଅନୁରୋଧ କରୁଛି ଯେ , କୌଣସି ପ୍ରକାରର ଭୁଲ୍ ସୂଚନା ପ୍ରଚାର କରନ୍ତୁ ନାହିଁ। ସେ ଇନଷ୍ଟାଗ୍ରାମ୍ରେ ମଧ୍ୟ ଏହି ପୋଷ୍ଟ କରିଛନ୍ତି।
Thank you for thinking of me 🤍 pic.twitter.com/MICi6zVH99
— Ratan N. Tata (@RNTata2000) October 7, 2024
ଉଲ୍ଲେଖନୀୟ ଯେ, ଏମିତି ଖବର ଆସିଥିଲା କି, ରତନ ଟାଟାଙ୍କର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ୱାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ ନିଆଯାଇଛି। କୁହାଯାଇ ଥିଲା ଯେ, ତାଙ୍କୁ ରବିବାର ବିଳମ୍ୱିତ ରାତିରେ ଆଇସିୟୁରେ ଭର୍ତ୍ତି କରାଯାଇଛି। ହେଲେ ରତନ ଟାଟା ନିଜେ ବୟାନ ଜାରି କରି ସ୍ଥିତି ବିଷୟରେ ସ୍ପଷ୍ଟ କରିଛନ୍ତି।