ମୁମ୍ୱାଇ,୧୦/୧୦: ରତ୍ନ ହରାଇଲା ଶିଳ୍ପ ଜଗତ । ଆରପାରିରେ ଶିଳ୍ପପତି ରତନ ଟାଟା । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ୮୬ ବର୍ଷରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ଦକ୍ଷିଣ ମୁମ୍ୱାଇସ୍ଥିତ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସେ ସବୁଦିନ ପାଇଁ ଆଖି ବୁଜିଛନ୍ତି । ରତନ ଟାଟାଙ୍କ ନିଧନରେ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ସରକାର ଦିନିକିଆ ଶୋକ ଘୋଷଣା କରିଛନ୍ତି। ଏଥିପାଇଁ ସମସ୍ତ ସରକାରୀ କାର୍ଯ୍ୟାଳୟରେ ଲାଗିଥିବା ଜାତୀୟ ପତାକା ଅର୍ଦ୍ଧନମିତ କରାଯାଇଛି। ଆଜି ହେବାକୁ ଥିବା ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ରଦ୍ଦ କରାଯାଇଛି।  

ସୂଚନାନୁଯାୟୀ, ମୁମ୍ଵାଇର ନ୍ୟାସନାଲ ସେଣ୍ଟର ଫର ପରଫର୍ମିଂ ଆର୍ଟସ୍ ହଲ୍‌ରେ ସକାଳ ସାଢେ ୧୦ଟାରୁ ଅପରାହ୍ଣ ସାଢେ ୩ଟା ପର୍ଯ୍ୟନ୍ତ ତାଙ୍କର ଅନ୍ତିମ ଦର୍ଶନ ଚାଲିବ। ଏହାପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ଏହାକୁ ଦୃଷ୍ଟିରେ ରଖି ମେରାନ ଡ୍ରାଇଭ୍ ରୋଡ୍‌କୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। 

ତାଙ୍କର ମୃତ୍ୟୁ ପରେ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି। ରତ୍ନକୁ ହରାଇ ଭାରତ ସ୍ତବ୍ଧ ହୋଇଯାଇଛି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ରତନ ଟାଟାଙ୍କ ଦେହାନ୍ତ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟାଟାଙ୍କ ଭାଇ ନୋଏଲ ଟାଟାଙ୍କୁ ଭେଟି ସମବେଦନା ଜଣାଇଛନ୍ତି।