ପୁରୀ,୦୯/୦୬: ତିନି ରଥରେ ଛଅ କାଠ ଉଠିଛି । ଚାରି ନାହାକାରେ ଚଣାକ ବାଡ଼େଇ ଛଅ କାଠ ଉଠାଇଛନ୍ତି ନିର୍ମାଣକାରୀ । ମୁଖ୍ୟ ବିଶ୍ୱକର୍ମାଙ୍କ ତତ୍ତ୍ୱାବଧାନରେ ଭୋଇ ସେବକମାନେ ଏହି କାର୍ଯ୍ୟ ସାରିଛନ୍ତି । ରଥରେ ପ୍ରଥମ ଭୂଇଁ ଉଠିବାର ଏହା ପୂର୍ବ ପ୍ରକ୍ରିୟା । ରଥର ଝାଙ୍କ ସଳଖା ଯାଇଛି । ଏଣିକି ରଥରେ ଖଦି ଓରା ପଡ଼ି ଚଉଦା ନାହାକା ବୁଲିବାକୁ ଅପେକ୍ଷା । ଚଉଦନାହାକା ବୁଲିଲେ ପ୍ରଥମ ଭୂଇଁ ରଥରେ ଟୁଙ୍ଗୁରା ହେବ । ଇତିମଧ୍ୟରେ ୨ୟ ଭୂଇଁ ଫ୍ରେମ୍ ପ୍ରସ୍ତୁତି ଆରମ୍ଭ ହୋଇଛି । କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାୟକ ରଥ ନିର୍ମାଣ ଅଗ୍ରଗତି ନେଇ ନିର୍ମାଣକାରୀଙ୍କ ସହ ଆଲୋଚନା କରିଥିଲେ ।
ଛଅ କାଠ ଉଠାଇବାକୁ ପ୍ରଥମେ ଭୋଇ ସେବକମାନେ ଚାଙ୍ଗଡ଼ା (ବଡ଼ କାଠ ଫାଳି) ଉଠାଇଥିଲେ । ପରେ ଚାରିନାହାକାରେ ଚଣାକ ବାଡ଼େଇଥିଲେ । ପ୍ରତି ରଥରେ ୮ଟି ଚଣାକ ବାଡ଼ିଆ ଯାଇଥିଲା । ଗୋଟିଏ ପାଶ୍ୱର୍ରେ ଦୁଇଟି କରି ଲାଗିଛି ଚଣାକ । ଭୋଇ ସେବକମାନେ ଶୂନ୍ୟରେ ଝୁଲିଲା ଭଳି କାଠକୁ ଉଠାଇଥିଲେ । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ୱାବଧାନରେ କାର୍ଯ୍ୟ ଚାଲିଛି । ବିଶ୍ୱକର୍ମାଙ୍କ ନିର୍ଦ୍ଦେଶ କ୍ରମେ ଚାରି ନାହାକା ଉପରେ ଛଅ କାଠ ଖଞ୍ଜା ଯାଇଛି । ଛଅ କାଠ ଉଠିଲା ପରେ ଭୋଇ ସେବକମାନେ ରଥ ଉପରେ ଥାଇ ହରିବୋଲ ଧ୍ୱନି ଦେଇଛନ୍ତି । ରଥ ନିର୍ମାଣ ପରମ୍ପରା ଅନୁସାରେ ଏହା ହେଉଛି ଚତୁର୍ଥ ହରିବୋଲ ।
ଅଧିକ ପଢ଼ନ୍ତୁ :- Rath Khala Update : ରଥ ଖଳାରେ ତିନି ରଥର ଭୂଇଁ ଫ୍ରେମ୍ ପ୍ରସ୍ତୁତ, ଚାରିନାହାକାରେ ଚଣାକ ବାଡ଼ିଆ
ମହାପ୍ରଭୁ ଅନବସର ସେବା ପାଇଁ ଅଣସର ଗୟଳ ତିଆରି ହୋଇଛି । ଏହା ବଡ଼ବାଡ଼ର ସେବା । ସାହାଜ ଓ ଧଉରା କାଠରେ ତିଆରି ହୁଏ ଅଣସର ଗୟଳ । ରଥର ଝାଙ୍କ ସଳଖା ଅର୍ଥାତ୍ ଚାରି ନାହାକାକୁ ସଳଖିବା । ଛଅ କାଠ ଉଠିବା ପରେ ସୂତା ଧରାଯାଇ ଦଣ୍ଡା ସହିତ ସମତୁଲ କରି ରଥର ଚାରି ନାହାକାକୁ ମଜଭୁତ କରି ସିଧା କରି ଖିଲ ବାଡ଼ିଆ ହୋଇଥିଲା । ଝାଙ୍କ ସଳଖିବା ରଥ ନିର୍ମାଣ ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ । ଏପଟେ ରଥଖଳାରେ ଦ୍ୱିତୀୟ ଭୂଇଁର ଫ୍ରେମ୍ ପଡ଼ିଛି । ପ୍ରଥମ ଭୂଇଁ ଭଳି ଦ୍ୱିତୀୟ ଭୂଇଁର ମୂଳଦୁଆ ରଥଖଳାରେ ପଡ଼ିବା ଆରମ୍ଭ ହୋଇଛି । ତିନି ଭୂଇଁ ଉଠି ସାରିଲେ ଚଣାକଗୁଡ଼ିକ କାଢ଼ି ଦିଆଯିବ ବୋଲି ଭୋଇ ସର୍ଦ୍ଦାର ରବି ଭୋଇ କହିଛନ୍ତି । ରୂପକାର, କମାର ସେବକ, କରତିମାନେ ରଥ କାମରେ ନିମଗ୍ନ ଅଛନ୍ତି । କାଳବୈଶାଖୀ ବର୍ଷା ଯୋଗୁଁ ଅପରାହ୍ଣରେ କିଛି ସମୟ ରଥ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲେ ସୁଦ୍ଧା ନିର୍ମାଣକାରୀମାନେ ଅସହ୍ୟ ଖରା ତାତିରୁ ଆଶ୍ୱସ୍ତି ପାଇଥିଲେ ।