ପୁରୀ,୦୮/୦୭: ରଥତ୍ରୟରେ ଯୋକା ସ୍ଥାପନ ଶେଷ ହୋଇଛି । ରଥ ଖଳାରେ ତିନି ରଥର ଭୂଇଁ ଫ୍ରେମ୍ ପ୍ରସ୍ତୁତ ହେଲା । ପୂର୍ବରୁ ଭୂଇଁ କାଠଗୁଡ଼ିକୁ କାଟି ରଥଖଳାରେ ସାଇତି ରଖିଥିଲେ ନିର୍ମାଣକାରୀ । ପ୍ରମୁଖ ବିଶ୍ୱକର୍ମାଙ୍କ ନିର୍ଦ୍ଦେଶରେ ଭୂଇଁ କାଠକୁ ଟେକି ଆଣି ଖଞ୍ଜା ଯାଇଥିଲା । ଭୂଇଁରେ ପାଖୁଡ଼ା ଲାଗିଥିଲା । ପାଖୁଡ଼ା ଲାଗିଲେ ରଥ ଫୁଲି ଉଠିବ । ରଥର ସୌନ୍ଦର୍ଯ୍ୟ ବୃଦ୍ଧି ହେବ । ପୂର୍ବରୁ ଦଣ୍ଡାର ଫ୍ରେମ ବଡ଼ଦାଣ୍ଡରେ ପଡ଼ି ତିଆରି ହେଲାଭଳି ରଥଖଳାରେ ପଡ଼ିଛି ଭୂଇଁର ଫ୍ରେମ୍ । ମାପଚୁପ ହୋଇ କାଠରେ ନମ୍ୱରିଂ ହେଲା ପରେ ଭୂଇଁର ଫ୍ରେମ ଖୋଲାଯାଇ ରଥରେ ଖଞ୍ଜାଯିବ ।
ଅଧିକ ପଢ଼ନ୍ତୁ :- Rath Khala Update : ରଥରେ ଛନ୍ଦା ଗୟଳ ମୋଡ଼ା ହୋଇ ଯୋକା ସ୍ଥାପନ ଶେଷ, ଆଗକୁ ଉଠିବ ପ୍ରଥମ ଭୂଇଁର ଫ୍ରେମ୍
ରଥରେ ଛଅ କାଠ ଉଠିବାକୁ ଭୋଇ ସେବକମାନେ ଚଣାକ ପ୍ରସ୍ତୁତ କରିଛନ୍ତି । ଚଣାକରେ ବିନ୍ଧ ହୋଇଛି । ଚାରିନାହାକାରେ ଚଣାକ ବାଡି଼ଆ ହେବ । ରଥରେ ଚଣାକ ବାଡ଼ିଆ ହେଲେ ଛଅ କାଠ ଉଠିବ । ପୂର୍ବରୁ ଫାଳି (କାଠ ଗଡ଼) ଟେକି ରଥକୁ ନେଇଛନ୍ତି । ଏହାପରେ ଚଉଦ ନାହାକା ବୁଲି ପ୍ରଥମ ଭୂଇଁ ଟୁଙ୍ଗୁରା ହେବ । ତା’ଉପରେ ଥୁଆ ହେବ ଦ୍ୱିତୀୟ ଭୂଇଁ । ସେଥିରେ ଖମ୍ୱିଲାଗି ତୃତୀୟ ଭୂଇଁ ରଖାଯିବ । ଏହିପରି ଗୋଟିଏ ରଥରେ ୩ଟି ଭୂଇଁ ଉଠିବ । ଭୂଇଁରେ ଥିବା କାଠମାନଙ୍କରେ ବିନ୍ଧ ହୋଇ ପାଖୁଡ଼ା ଲାଗିବ । ଗୋଟିଏ ଭୂଇଁରେ ୧୬ଟି ପାଖୁଡ଼ା ଲାଗିବ । ପାଖୁଡ଼ାରେ ପଡ଼ିବ ମାଛପାତିଆ । ୩ରଥର ୯ଟି ଭୂଇଁ ରଥରେ ଖଞ୍ଜାହେବ । ରଥର ଆକାର ଅନୁସାରେ ୩ ରଥର ଭୂଇଁ ସାମାନ୍ୟ ବଡ଼ ସାନ ହୋଇଥାଏ ନିର୍ମାଣକାରୀ କୁହନ୍ତି । ଦୋଳବେଦିରେ କମାର ସେବକ ରଥ କାର୍ଯ୍ୟରେ ନିୟୋଜିତ ରହିଛନ୍ତି ।