ପୁରୀ, ୦୭/୦୬: ଗୟଳ ମୋଡ଼ା ପରେ ଶନିବାର ରଥରେ ଯୋକା ସ୍ଥାପନ ହୋଇଛି ।  ଯୋକାରେ ଖାପ କରି ୪ଟି ବିନ୍ଧ କରାଗଲା । ବିଶ୍ୱକର୍ମା  ଓ ଭୋଇସେବକମାନେ ରଥରେ ଯୋକା ସ୍ଥାପନ  କରିବା ପରେ ଓଝା ସେବକମାନେ ଯୋକା କଣ୍ଟା  ରଥରେ ପିଟିଥିଲେ । ରଥର କୋଣମାନଙ୍କରେ ଯୋକା  ଫିଟିଂ କରାଯାଉଛି । ଯୋକା ଦ୍ୱାରା ରଥର ବିଭିନ୍ନ  ଅଂଶକୁ ବାନେ୍ଧଣୀ କରାଯାଇଛି । ରଥର ଗୟଳ, ଦଣ୍ଡା  ଓ ଅଖକୁ ଯୋକା ବାନ୍ଧି ରଖେ । ଏପଟେ ରଥ ଖଳାରେ  ପ୍ରଥମ ଭୂଇଁର ଫ୍ରେମ ପ୍ରସ୍ତୁତ କରୁଛନ୍ତି ନିର୍ମାଣକାରୀ।  

ନନ୍ଦିଘୋଷ ଓ ତାଳଧ୍ୱଜର ଯୋକା ସଂଖ୍ୟା  ୧୬ ଲେଖାଏଁ । ଦେବଦଳନ ରଥରେ ୧୨ଟି ଯୋକା  ଲାଗିଥାଏ । ତାଳଧ୍ୱଜ ରଥର ୪ କୋଣରେ ୪ଟି କରି  ୧୬ଟି ଗୁଜ ଓ ସେହି ଅନୁସାରେ ଲାଗିବ ଯୋକା ।  ନନ୍ଦିଘୋଷ ରଥରେ ସେହି ଅନୁସାରେ ଯୋକା ବୁଲିବ ।  ଦେବଦଳନ ରଥରେ ୪ କୋଣରେ ୩ଟି କରି ୧୨ଟି  ଯୋକା ଲଗାଯାଉଛି । ଦେବଦଳନ, ନନ୍ଦିଘୋଷ ଓ  ତାଳଧ୍ୱଜ ରଥରେ ଗୟଳ ପଡ଼ିଲା । ଏହା ପରେ  ଗୟଳ ଉପରେ ପଟା ପଡ଼ିଲେ ଚାରିପାର୍ଶ୍ବକୁ ଗଡ଼ାଣିଆ ରଥର ଚଟାଣ ପ୍ରସ୍ତୁତ ହେବ । ରଥର ୧୪ ନାହାକା ପ୍ରସ୍ତୁତ ରହିଛି । ଚାରିନାହାକା ଉପରେ  ଛଅ କାଠ ବୁଲି ଚଉଦ ନାହାକା ବସିବ । ବିଶ୍ୱକର୍ମାଙ୍କ  ନିର୍ଦ୍ଦେଶକୁ ଚାହିଁ ଭୋଇ ସେବକମାନେ ରଥ କାର୍ଯ୍ୟରେ  ଲାଗିଛନ୍ତି । ଖଳାରେ ଭୂଇଁ ଫ୍ରେମ୍‌ ପ୍ରସ୍ତୁତ ହୋଇ  ନମ୍ବରିଂ ପରେ ରଥ ଉପରେ ଉଠିବ ପ୍ରଥମ  ଭୂଇଁ । ରୁପକାର, କରତି ଓ ଓଝା ସେବକମାନେ  ମହାପ୍ରଭୁଙ୍କ କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ଅଧିକ ପଢ଼ନ୍ତୁ :-  Sun Temple : ସୂର୍ଯ୍ୟମନ୍ଦିରରେ ଏଏସଆଇ ଡିଜି, ବାଲି କଢ଼ା ପ୍ରକ୍ରିୟା କଲେ ଅନୁଧ୍ୟାନ