ପୁରୀ, ୧୮/୦୭ : ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାର ଆଜି ତୃତୀୟ ଦିବସ। ଆଡ଼ପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ। ଗୁଣ୍ଡିଚା ମନ୍ଦିର ନିକଟରେ ଲାଗିଛି ତିନି ରଥ । ରଥାରୂଢ଼ ଦିଅଁଙ୍କୁ ଦେଖିବାକୁ ରଥ ସମ୍ମୁଖରେ ଜମୁଛି ଭକ୍ତଙ୍କ ଭିଡ଼ । ଭିଡ଼କୁ ନିୟନ୍ତ୍ରଣ କରିବାରେ ସୁରକ୍ଷା ବ୍ୟବସ୍ଥା ଏକପ୍ରକାର ବିଫଳ ହୋଇଛି । କେଉଁ ଭକ୍ତ କେଉଁ ଆଡୁ ଆସୁଛି ଏବଂ କେଉଁ ଆଡ଼େ ଯାଉଛି ଏହାର ଠିକଣା ରହୁନି । ଫଳରେ ରଥ ସମ୍ମୁଖରେ ବାରମ୍ବାର ଠେଲାପେଲା ସ୍ଥିତି ଉପୁଜୁଛି । ଏପଟେ ରଥାରୂଢ ଦିଅଁଙ୍କୁ ଦର୍ଶନ କରିବାକୁ ଗାଡ଼ି ଧରି ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଛୁଟି ଆସିଛନ୍ତି ଶ୍ରଦ୍ଧାଳୁ। ଯେଉଁଥିପାଇଁ ଭୁବନେଶ୍ୱର-ପୁରୀ ରାସ୍ତାରେ ଅସମ୍ଭାଳ ଜାମ୍ ହୋଇଛି।
ରାତିସାରା ଲଗାଣ ବର୍ଷା ଏବଂ ଅଧିକ ସଂଖ୍ୟକ ଗାଡ଼ି ଯୋଗୁଁ ଟ୍ରାଫିକ୍ ଜାମ୍ ପରିସ୍ଥିତି ସୃଷ୍ଟି ହୋଇଛି। ମାଳତୀପାଟପୁର ଠାରୁ ବୀରହରେକୃଷ୍ଣପୁର ପର୍ଯ୍ୟନ୍ତ କାର୍, ବାଇକ, ଅଟୋ, ଟ୍ୟାକ୍ସିର ଲମ୍ବା ଲାଇନ୍ ଜମିଛି । ଯେଉଁଠି ଅଛନ୍ତି, ସେଇଠି ଅଟକି ରହିଛନ୍ତି। ବାଟଗାଁଠାରେ ମୂଷଳଧାରାରେ ବର୍ଷା ଯୋଗୁଁ ଗାଡ଼ି ଚଳାଚଳ ବହୁତ ଧିମା ହୋଇଯାଇଛି । ସେପଟେ ଓଡ଼ିଶା ପୋଲିସ ସମସ୍ତ ଶ୍ରଦ୍ଧାଳୁ/ଭକ୍ତମାନଙ୍କୁ ଅନୁରୋଧ କରି ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିବା ପୂର୍ବରୁ କିଛି ସମୟ ଅପେକ୍ଷା କରନ୍ତୁ ଏବଂ ବର୍ଷା କମିବା ପର୍ଯ୍ୟନ୍ତ ଧୈର୍ଯ୍ୟ ଧରନ୍ତୁ ବୋଲି କହିଛି ।
ସୂଚନା ଥାଉକି, ଶୁକ୍ରବାର ଗୁଣ୍ଡିଚା ମନ୍ଦିର ନିକଟରେ ତାଳଧ୍ୱଜ ଓ ଦେବଦଳନ ରଥ ଲାଗିବା ପରେ ପାଖାପାଖି ୩ଟା ବେଳକୁ ନନ୍ଦିଘୋଷ ରଥ ଲାଗିଥିଲା । ତିନି ରଥ ଲାଗିବା ପରେ ବଡ଼ଦାଣ୍ଡର ସମସ୍ତ ଭିଡ଼ ଗୋଟିଏ ଜାଗାରେ ଏକତ୍ରିତ ହୋଇଥିଲା । ହେଲେ ଏହି ଭିଡ଼ ନିୟନ୍ତ୍ରଣ କରିବାକୁ ସେଠାରେ ଆବଶ୍ୟକୀୟ ସୁରକ୍ଷା କର୍ମୀ ନଥିଲେ । ରଥ ଚାରିପଟେ କର୍ଡନ ବୁଲିବା ପରେ ଅନେକ ଭକ୍ତ ବଡ଼ଦାଣ୍ଡ ପାର୍ଶ୍ୱରୁ ରଥ ପାଖକୁ ଯାଉଥିବା ବେଳେ ଅନେକ ଭକ୍ତ ଶରଧାବାଲି ଦେଇ ଗୁଣ୍ଡିଚା ମନ୍ଦିର ପାର୍ଶ୍ୱରୁ ଠାକୁର ଦର୍ଶନ ନିମନ୍ତେ ଯାଉଥିଲେ । ଯାଉଥିବା ଓ ଆସୁଥିବା ଭକ୍ତଙ୍କ ମଧ୍ୟରେ ଧକ୍କା ହେବାରୁ ବାରମ୍ବାର ଠେଲାପେଲା ହେଉଥିଲା । ଏହାକୁ ନିୟନ୍ତ୍ରଣ କରିବାକୁ ମଧ୍ୟ କେହିନଥିଲେ । ୫ ମିନିଟ୍ରେ ପାର୍ ହୋଇପାରିବା ଭଳି ରାସ୍ତା ଅଧ ଘଣ୍ଟା ଲାଗୁଥିଲା ।
ଆହୁରି ପଢନ୍ତୁ- ପୁରୀ ରଥଯାତ୍ରାରେ ଅଘଟଣ ପାଇଁ ଦାୟୀ କିଏ ଚାଲିଛି ଘଣ୍ଟାଚକଟା, ରାଜ୍ୟ ମାନବାଧିକାର କମିଶନଙ୍କ ଜବାବ ତଲବ
ହଜିଗଲା ମାଳିନୀ ନଈ, ଲୁଚିଛି ରଥଯାତ୍ରାର ଇତିହାସ