ପୁରୀ, ୩୦/୦୫: ବଡ଼ଦାଣ୍ଡରେ ତିନି ରଥର ଦଣ୍ଡା ଫ୍ରେମ୍ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇଛି । ଗୁରୁବାର ଦଣ୍ଡାରେ ଆଗ-ପଛ ମୁହାଁଟି ଲାଗିଥିଲା । ମୁଖ୍ୟ ପାଞ୍ଚ ଦଣ୍ଡାରେ ଲାଗିଥିଲା ମୁହାଁଟି । ଆଗ ଓ ପଛ ମୁହାଁଟିରେ ପୋତା ହେଲା ଗୁଜ । ୫ ଗୁଜ ଉପରେ ନିରାଡ଼ି ଉଠିଲା । ଏହାପରେ ଚତୁଃପାଶ୍ୱର୍ରେ କୁଡ଼ୁକା ଲାଗିଲା । ପାର୍ଶ୍ବର ଦଣ୍ଡା ଲାଗି ପାଶ୍ୱର୍ ମୁହାଁଟି ସ୍ଥାପନ ହୋଇଥିଲା । ପାର୍ଶ୍ବର ମୁହାଁଟିରେ କୋଣ ଗୁଜ ଓ ଜଳଯନ୍ତ୍ର ସ୍ଥାପନ ହୋଇ ପାର୍ଶ୍ବ ନିରାଡ଼ି ସ୍ଥାପନ ହୋଇଛି । ଏହାପରେ କଳସା ହୋଇ ନମ୍ବରିଂ ହୋଇ ଦଣ୍ଡା ଫ୍ରେମ୍ ଖୋଲାଯିବ ।
ଏପଟେ ରଥ ଚାଳିରେ ପୋଲ ଗୟଳ କାମ କରୁଛନ୍ତି ବିଶ୍ୱକର୍ମା । କରତି ସେବକମାନେ ଗୟଳ ଚିରଟ ପରେ ବିଶ୍ୱକର୍ମାମାନେ ଏହାକୁ ମାପ ଅନୁସାରେ ଚଉପଟ (ବଳକା ଅଂଶ କାଟି ସାଇଜ୍ କରିବା) କରୁଛନ୍ତି । ତାଳଧ୍ୱଜ ଓ ନନ୍ଦିଘୋଷ ରଥର ୧୨ଟି ଲେଖାଏଁ ଗୟଳ ଓ ଦେବଦଳନର ୮ଟି ଗୟଳ ରହିଛି । ଶୁକ୍ରବାର ଅଂଶୁଆରୀ କାମ ଆରମ୍ଭ ହୋଇଛି । ଏପଟେ କୁଡ଼ୁକାରେ ବିନ୍ଧ ଚାଲିଛି । ଏହି ବିନ୍ଧରେ ଅଂଶୁଆରୀ ସ୍ଥାପନ ହେବ । ତାଳଧ୍ୱଜ ଓ ନନ୍ଦିଘୋଷ ରଥର ୧୨ଟି ଲେଖାଏଁ ଓ ଦେବଦଳନର ୮ଟି ଅଂଶୁଆରୀ ରହିଛି । ବିଶ୍ୱକର୍ମାମାନେ ଅଂଶୁଆରୀକୁ ସ୍ଥାପନ ଯୋଗ୍ୟ କରିବା ପରେ ରୂପକାରମାନେ ଏଥିରେ ରୂପ ଗାରେଇବେ (ସାମାନ୍ୟ ଭାବେ ଖୋଦେଇ) । ରଥଖଳାରେ ଗରଗରା ବିନ୍ଧ ହୋଇ ପ୍ରସ୍ତୁତ ରହିଛି । ଚକ ଓ ଅଖଗୁଡ଼ିକ ସଂଯୋଗ କରାଯାଇ ମାପଚୁପ ହୋଇ ରହିଲେ ରଥର ମୂଳଦୁଆ ପ୍ରସ୍ତୁତ ହୋଇ ରଥ ଉପରି ଭାଗ କାମ ଆରମ୍ଭ ହେବ ।
୪ ନାହାକା ଉଠିଲେ ତା’ ଉପରେ ପ୍ରଥମ ଭୂଇଁ ଉଠିବ । ପ୍ରଥମ ଭୂଇଁ ଉପରେ ରହିବ ଓରା । ଓରା ଉପରେ ତିନି ଥାକ ହୋଇ ରଥର ଉପର ଅଂଶ ନିର୍ମାଣ କରାଯିବ । ରଥରେ ତିନୋଟି ଭୂଇଁ ରହିବ । ରୂପକାର ସେବକମାନେ ରଥର ବିଭିନ୍ନ ଅଂଶରେ ଖୋଦେଇ କାମ ଜାରି ରଖିଛନ୍ତି । କରତି ସେବକମାନେ ରଥର ଗୟଳ ଚିରଟ କରୁଛନ୍ତି । ଓଝା ସେବକମାନେ ଅସ୍ଥାୟୀ ଶାଳରେ ଗୟଳ କଣ୍ଟା ଆଦି ରଥ ପାଇଁ ଆବଶ୍ୟକ ଲୁହା ସାମଗ୍ରୀ ତିଆରୁଛନ୍ତି । ପରସ୍ପର ସମନ୍ୱୟ ରହି ତିନି ରଥର ନିର୍ମାଣ କାର୍ଯ୍ୟ ଚାଲିଛି ।
ଅଧିକ ପଢ଼ନ୍ତୁ : Rath Khala : ପାଞ୍ଚ ଦଣ୍ଡାରେ ଆଗ ପଛ ମୁହାଁଟି ସଂଯୋଗ, ରୂପକାରଙ୍କ ବେଦି ସିଂହାସନ କାର୍ଯ୍ୟାରମ୍ଭ