ପୁରୀ,୨୭/୦୬: ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ ପୁଲିସ ପକ୍ଷରୁ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି । ରଥଯାତ୍ରା, ବାହୁଡ଼ା ଓ ସୁନାବେଶ ଦିନ ପୁରୀ ସହରକୁ ଗାଡ଼ି ପ୍ରବେଶ ଉପରେ କଟକଣା ରହିଛି । ସେଥିପାଇଁ ପୁରୀ ପୁଲିସ ପକ୍ଷରୁ ଯାନବାହନ ଚଳାଚଳ ନେଇ ଏକ ମାର୍ଗଦର୍ଶିକା ଜାରି କରାଯାଇଛି । ଏହି କଟକଣା ୨୬ ତାରିଖ ମଧ୍ୟରାତ୍ରରୁ ୨୮ ତାରିଖ ସକାଳ ପର୍ଯ୍ୟନ୍ତ ବଳବତ୍ତର ରହିବ । ପରବର୍ତ୍ତୀ ସମୟରେ ଭିଡ଼କୁ ଦେଖି ଟ୍ରାଫିକ କଟକଣା ପରିବର୍ତ୍ତନ ହୋଇପାରେ ।
ନିୟମିତ ଯାତ୍ରୀବାହୀ ବସ୍
ଭୁବନେଶ୍ୱର ଓ କଟକରୁ ଯାତ୍ରୀବାହୀ ବସ୍ଗୁଡ଼ିକ ମାଳତିପାଟପୁର ରେଲୱେ ଓଭରବ୍ରିଜ୍ ଦେଇ ବାଇପାସ୍ରେ ଆସି ବାଇଦାସନଗର ଛକରୁ ଗ୍ରୀଡ୍ ଷ୍ଟେସନ ଛକ ଦେଇ ତାଳବଣିଆ ଅସ୍ଥାୟୀ ପାର୍କିଂରେ ରହିବ । ସେଠାରୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ ଗ୍ରୀଡ ଷ୍ଟେସନ ଛକ, ବାଲିଘାଟ ଛକ, ସମଙ୍ଗରା ଗ୍ରାମ ଦେଇ ହରେକୃଷ୍ଣପୁର ଗ୍ରାମରେ ଆସି ଜାତୀୟ ରାଜପଥରେ ବାହାରି ଗନ୍ତବ୍ୟ ସ୍ଥଳକୁ ଯିବେ ।
ରଥଯାତ୍ରା-୨୦୨୫ ପାଇଁ ଟ୍ରାଫିକ୍ ନିୟମାବଳୀ pic.twitter.com/IDGdqthS96
— Puri Police (@SPPuri1) June 24, 2025
ହାଲୁକା ଯାନ
ପାସ୍ ଥିବା ହାଲୁକା ଯାନଗୁଡିକ ପାଇଁ ଜେବିପିସି, ଛପନ ଛକ ଏବଂ ଲୋକନାଥ ମନ୍ଦିର ପାଖା ସ୍ଥାନରେ ପାର୍କିଂ ସୁବିଧା ଉପଲବ୍ଧ ହେବ । ଭୁବନେଶ୍ୱରରୁ ଆସୁଥିବା ପାସ୍ ନ ଥିବା ହାଲୁକା ଯାନଗୁଡ଼ିକ ମାଳତିପାଟପୁର ରେଲୱେ ଓଭରବ୍ରିଜ୍ ଦେଇ ତାଳବଣିଆର ବିଧାନସଭା ଅତିଥି ଭବନ, ଶିଳ୍ପ ତାଲିମ କେନ୍ଦ୍ର, ହେଲିପ୍ୟାଡ୍, ଇନ୍ଡୋର୍ ଷ୍ଟାଡିୟମ, ଉଦ୍ୟାନ କୃଷି ପଡ଼ିଆ, ସ୍ୱଚ୍ଛ ମାଛ ବଜାରରେ ପାର୍କିଂ କରିବେ । ସେଠାରୁ ପ୍ରତ୍ୟାବର୍ତ୍ତନ ସମୟରେ ପିକେଆର୍ଟି ଛକ ଦେଇ କେନ୍ଦ୍ରୀୟ ବିଦ୍ୟାଳୟ, ଭୂଦାନ ଛକ, ଗ୍ରୀଡ ଷ୍ଟେସନ ଛକ, ବାଲିଘାଟ ଓ ସମଙ୍ଗରା ଦେଇ ହରେକୃଷ୍ଣପୁର ଛକରେ ବାହାରି ଭୁବନେଶ୍ୱର ଅଭିମୁଖେ ଯିବେ ।
ଦୁଇ ଚକିଆ ଯାନ
ଭୁବନେଶ୍ୱର ପଟୁ ଆସୁଥିବା ସମସ୍ତ ଦୁଇ ଚକିଆ ଯାନଗୁଡ଼ିକ ମଙ୍ଗଳାଘାଟ ଛକଠାରୁ ମଶାଣିଚଣ୍ଡୀ ଛକ, ଦେବୀଘାଟ ଛକ ଦେଇ ଜଗନ୍ନାଥବଲ୍ଲଭରେ ନିଜ ନିଜର ଯାନ ରଖିବେ । ଜଗନ୍ନାଥବଲ୍ଲଭ ପୂର୍ଣ୍ଣ ହୋଇଯିବା ପରେ ସମସ୍ତ ଦୁଇଚକିଆ ମାଟିତୋଟା ଖେଳପଡ଼ିଆରେ ପାର୍କିଂ କରିବେ । ଜଗନ୍ନାଥବଲ୍ଲଭରେ ରହିଥିବା ଗାଡିଗୁଡ଼ିକ ନରେନ୍ଦ୍ରକୋଣ, ଜଟିଆ ବାବାଜି ଛକ, କୁମ୍ଭାରପଡ଼ା ଥାନା, ଅଠରନଳା ଦେଇ ବାଟ ଗାଁ ଛକରୁ ଭୁବନେଶ୍ୱର ଅଭିମୁଖେ ଫେରିବେ ।
ଅନ୍ତଃରାଜ୍ୟ ଟୁରିଷ୍ଟ୍
ବସ୍ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଆସୁଥିବା ସମସ୍ତ ଅନ୍ତଃରାଜ୍ୟ ଟୁରିଷ୍ଟ୍ ବସ୍ଗୁଡିକ ମାଳତିପାଟପୁରଠାରେ ପାର୍କିଂ କରିବେ । ସେଠାରୁ ସେମାନେ ଭୁବନେଶ୍ୱର ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ ।