ପୁରୀ,୨୭/୦୬: ଶ୍ରୀକ୍ଷେତ୍ରରେ ରଥଯାତ୍ରା ପାଇଁ  ପୁଲିସ ପକ୍ଷରୁ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି । ରଥଯାତ୍ରା, ବାହୁଡ଼ା ଓ ସୁନାବେଶ ଦିନ  ପୁରୀ ସହରକୁ ଗାଡ଼ି ପ୍ରବେଶ ଉପରେ କଟକଣା ରହିଛି ।  ସେଥିପାଇଁ ପୁରୀ ପୁଲିସ ପକ୍ଷରୁ ଯାନବାହନ ଚଳାଚଳ  ନେଇ ଏକ ମାର୍ଗଦର୍ଶିକା ଜାରି କରାଯାଇଛି । ଏହି କଟକଣା ୨୬ ତାରିଖ ମଧ୍ୟରାତ୍ରରୁ ୨୮ ତାରିଖ ସକାଳ  ପର୍ଯ୍ୟନ୍ତ ବଳବତ୍ତର ରହିବ । ପରବର୍ତ୍ତୀ ସମୟରେ ଭିଡ଼କୁ ଦେଖି ଟ୍ରାଫିକ କଟକଣା ପରିବର୍ତ୍ତନ ହୋଇପାରେ । 

ନିୟମିତ ଯାତ୍ରୀବାହୀ ବସ୍‌ 

ଭୁବନେଶ୍ୱର ଓ କଟକରୁ ଯାତ୍ରୀବାହୀ ବସ୍‌ଗୁଡ଼ିକ  ମାଳତିପାଟପୁର ରେଲୱେ ଓଭରବ୍ରିଜ୍‌ ଦେଇ  ବାଇପାସ୍‌ରେ ଆସି ବାଇଦାସନଗର ଛକରୁ ଗ୍ରୀଡ୍‌  ଷ୍ଟେସନ ଛକ ଦେଇ ତାଳବଣିଆ ଅସ୍ଥାୟୀ ପାର୍କିଂରେ  ରହିବ । ସେଠାରୁ ପ୍ରତ୍ୟାବର୍ତ୍ତନ କରିବା ସମୟରେ ଗ୍ରୀଡ  ଷ୍ଟେସନ ଛକ, ବାଲିଘାଟ ଛକ, ସମଙ୍ଗରା ଗ୍ରାମ ଦେଇ  ହରେକୃଷ୍ଣପୁର ଗ୍ରାମରେ ଆସି ଜାତୀୟ ରାଜପଥରେ  ବାହାରି ଗନ୍ତବ୍ୟ ସ୍ଥଳକୁ ଯିବେ । 




ହାଲୁକା ଯାନ 

ପାସ୍‌ ଥିବା ହାଲୁକା ଯାନଗୁଡିକ ପାଇଁ ଜେବିପିସି, ଛପନ  ଛକ ଏବଂ ଲୋକନାଥ ମନ୍ଦିର ପାଖା ସ୍ଥାନରେ ପାର୍କିଂ ସୁବିଧା  ଉପଲବ୍ଧ ହେବ । ଭୁବନେଶ୍ୱରରୁ ଆସୁଥିବା ପାସ୍‌ ନ ଥିବା  ହାଲୁକା ଯାନଗୁଡ଼ିକ ମାଳତିପାଟପୁର ରେଲୱେ ଓଭରବ୍ରିଜ୍‌  ଦେଇ ତାଳବଣିଆର ବିଧାନସଭା ଅତିଥି ଭବନ, ଶିଳ୍ପ  ତାଲିମ କେନ୍ଦ୍ର, ହେଲିପ୍ୟାଡ୍‌, ଇନ୍‌ଡୋର୍‌ ଷ୍ଟାଡିୟମ,  ଉଦ୍ୟାନ କୃଷି ପଡ଼ିଆ, ସ୍ୱଚ୍ଛ ମାଛ ବଜାରରେ ପାର୍କିଂ  କରିବେ । ସେଠାରୁ ପ୍ରତ୍ୟାବର୍ତ୍ତନ ସମୟରେ ପିକେଆର୍‌ଟି  ଛକ ଦେଇ କେନ୍ଦ୍ରୀୟ ବିଦ୍ୟାଳୟ, ଭୂଦାନ ଛକ, ଗ୍ରୀଡ  ଷ୍ଟେସନ ଛକ, ବାଲିଘାଟ ଓ ସମଙ୍ଗରା ଦେଇ ହରେକୃଷ୍ଣପୁର  ଛକରେ ବାହାରି ଭୁବନେଶ୍ୱର ଅଭିମୁଖେ ଯିବେ । 

ଦୁଇ ଚକିଆ ଯାନ 

 ଭୁବନେଶ୍ୱର ପଟୁ ଆସୁଥିବା ସମସ୍ତ ଦୁଇ ଚକିଆ  ଯାନଗୁଡ଼ିକ ମଙ୍ଗଳାଘାଟ ଛକଠାରୁ ମଶାଣିଚଣ୍ଡୀ ଛକ,  ଦେବୀଘାଟ ଛକ ଦେଇ ଜଗନ୍ନାଥବଲ୍ଲଭରେ ନିଜ ନିଜର  ଯାନ ରଖିବେ । ଜଗନ୍ନାଥବଲ୍ଲଭ ପୂର୍ଣ୍ଣ ହୋଇଯିବା ପରେ  ସମସ୍ତ ଦୁଇଚକିଆ ମାଟିତୋଟା ଖେଳପଡ଼ିଆରେ ପାର୍କିଂ  କରିବେ । ଜଗନ୍ନାଥବଲ୍ଲଭରେ ରହିଥିବା ଗାଡିଗୁଡ଼ିକ  ନରେନ୍ଦ୍ରକୋଣ, ଜଟିଆ ବାବାଜି ଛକ, କୁମ୍ଭାରପଡ଼ା  ଥାନା, ଅଠରନଳା ଦେଇ ବାଟ ଗାଁ ଛକରୁ ଭୁବନେଶ୍ୱର  ଅଭିମୁଖେ ଫେରିବେ । 

 ଅନ୍ତଃରାଜ୍ୟ ଟୁରିଷ୍ଟ୍‌

ବସ୍‌  ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଆସୁଥିବା ସମସ୍ତ  ଅନ୍ତଃରାଜ୍ୟ ଟୁରିଷ୍ଟ୍‌ ବସ୍‌ଗୁଡିକ ମାଳତିପାଟପୁରଠାରେ  ପାର୍କିଂ କରିବେ । ସେଠାରୁ ସେମାନେ ଭୁବନେଶ୍ୱର  ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିବେ ।