ରଥଖଳା ହାଲ୍ଚାଲ୍…ଚାଲିଛି ଚାରି ନାହାକା ଓ ପାଞ୍ଚ ଦଣ୍ଡା କାମ, ଆଜିଠୁ ଗରଗରାରେ ବିନ୍ଧ ଖୋଦେଇ

ପୁରୀ,୨୩/୦୫: ରଥଖଳାରେ ଏବେ ତିନି ରଥର ଚାରି ନାହାକା, ପାଞ୍ଚ ଦଣ୍ଡା, ଗୟଳ କାମ ଚାଲିଛି । ରଥର ମୁହାଁଟ ତିଆରି ପାଇଁ କାଠ ଆସିଛି । ଦୋଳବେଦିରେ ରଥର ଗୟଳ ଚିରଟ ଚାଲିଛି । ବିଶ୍ୱକର୍ମାମାନେ ରଥର ପାଞ୍ଚ ଦଣ୍ଡା ନିର୍ମାଣ ସାରୁଛନ୍ତି । ରଥ ଚାଳିରେ ଚାରି ନାହାକା ହଣା ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନି ରଥର ଗରଗରା କାର୍ଯ୍ୟ ସରିଛି । ତାଳଧ୍ୱଜ ରଥ ଗରଗରାରେ ବିନ୍ଧ ପାଇଁ ଚିହ୍ନ ଦିଆଯାଇଛି । ମଙ୍ଗଳବାର ଗରଗରାରେ ବିନ୍ଧ ଖୋଦେଇ ହେବ ।

ମୁଖ୍ୟ କରତି ସେବକ ରଣଜିତ ମହାରଣାଙ୍କ ନେତୃତ୍ୱରେ କରତି ସେବକମାନେ ଗୟଳ ଚିରଟ ଜାରି ରଖିଛନ୍ତି । ୪୦ଫୁଟିଆ ଧଉରା କାଠ କଟା ଯାଉଛି । ତାଳଧ୍ୱଜ ଓ ନନ୍ଦିଘୋଷ ରଥର ପୋଲ ଗୟଳ ଚିରଟ ଶେଷ ପର୍ଯ୍ୟାୟରେ । ଦେବଦଳନ ରଥ ପାଇଁ ସୋମବାର ଗୟଳ କାଠ ରଖିଛନ୍ତି ଭୋଇ ସେବକ । ପୋଲ ଗୟଳ ଟାଣ ଦିଆଯାଇ ରଥରେ ସ୍ଥାପନ ହେଲେ ରଥ ଉପରକୁ ଚାରି ନାହାକା ଉଠିବ । ସ୍ନାନ ପୂର୍ଣ୍ଣମୀ ସୁଦ୍ଧା ଚାରି ନାହାକା ଉଠିବାର ବିଧି ରହିଛି । ଚକ-ଅଖ ଥାକ ହୋଇ ଦଣ୍ଡା ଉଠିଲେ ଗରଗରା ପଡ଼ିବ । ଗରଗରାରେ ବିନ୍ଧ ହୋଇ ଚାରି ନାହାକା ଉଠିବ । ରୂପକାରମାନେ ଗୁଜରେ ସିଂହବିରାଳଙ୍କ ମୂର୍ତ୍ତି ଖୋଦେଇ କରୁଛନ୍ତି ।
ରଥର ଚେଚିସ୍କୁ ବାନ୍ଧିରଖେ ମୁହାଁଟ । ରଥର ଆଗ, ପଛ ଓ ପାଶ୍ୱର୍ରେ ମୁହାଁଟ ସ୍ଥାପନ କରାଯାଏ । ରଥକୁ ଏହା ବାନ୍ଧି ରଖେ । ଆଗ ଓ ପାଶ୍ୱର୍ ମୁହାଁଟ ଧଉରା କାଠରେ ନିର୍ମିତ ହୋଇଥାଏ । ପଛ ମୁହାଁଟ ଅସନ କାଠରେ ତିଆରି କରାଯାଏ । ସାଲ ବିନ୍ଧ ହୋଇ ଅଖ ଉପରେ ରହିବ ମୁହାଁଟ । ଏହା ଦଣ୍ଡାକୁ ଜାବୁଡ଼ି ଧରେ । ରଥ ନିର୍ମାଣରେ ଏହି ଅଂଶର ଅଧିକ ଗୁରୁତ୍ୱ ରହିଥିବା କହିଛନ୍ତି ବଡ଼ବାଡ଼ର ବାଳକୃଷ୍ଣ ମହାରଣା । ଏପଟେ ଓଝା ସେବକମାନେ ଅଗ ପାତଳି ଚଉରସ କଣ୍ଟା ଆଦି ପ୍ରସ୍ତୁତ କରୁଛନ୍ତି । ସ୍ନାନପୂର୍ଣ୍ଣମୀକୁ ଚାହିଁ କାର୍ଯ୍ୟ ଆଗଉଥିବା ନିର୍ମାଣକାରୀ କହିଛନ୍ତି ।