PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ ଲଜପତ୍‌ ନଗର ମାର୍କେଟ୍‌ରେ ଭୟାବହ ଅଗ୍ନିକାଣ୍ଡ
  • ||
  • ଭୁବନେଶ୍ଵର : ରାଜ୍ୟ କ୍ୟାବିନେଟରେ ୧୮ ପ୍ରସ୍ତାବ ପାରିତ, ମୋ ଘର ଯୋଜନା ପ୍ରସ୍ତାବରେ ବାଜିଲା ମୋହର
  • ||
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ରଥଖଳା ହାଲ୍‌ଚାଲ୍‌…ପଞ୍ଚମହାଦେବଙ୍କୁ ପନ୍ତି ଦେଲେ ନିର୍ମାଣକାରୀ, ଆଜି ଚକ-ଅଖ ଥାକ ହେବ

ପୁରୀ,୨୭/୦୫: କ୍ଷୀପ୍ର ଗତିରେ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ । ସହାୟକଙ୍କୁ ମିଶାଇ ମୋଟ ୧୯୪ ଜଣ ନିର୍ମାଣକାରୀ ରଥ ନିର୍ମାଣରେ ନିୟୋଜିତ ହୋଇଛନ୍ତି । ରାତିରେ ପଞ୍ଚମହାଦେବଙ୍କୁ ପନ୍ତି ଅର୍ପଣ କରିଛନ୍ତି ରଥ ନିର୍ମାଣକାରୀ । ଶୁକ୍ରବାର ବଡ଼ବାଡ଼ ଚାଳିରେ ମହାପ୍ରଭୁଙ୍କ ଅନବସର ସେବା ପାଇଁ ଗୟଳ କାଠ ତିଆରି ସରିଛି । ୨ଟି ଅସନ ଓ ଗୋଟିଏ ଧଉରା ୧୮ ଫୁଟିଆ କାଠରେ ଅନବସର ଗୟଳ ତିଆରିଛନ୍ତି ତାଳଧ୍ୱଜ ରଥର ପ୍ରମୁଖ ମହାରଣା । ଅନବସର ଘରେ ଯାହା କିଛି କାଠ ସାମଗ୍ରୀ ଲାଗେ ତାହାକୁ ବଡ଼ବାଡ଼ ବିଶ୍ୱକର୍ମା ଯୋଗାଇବାର ପରମ୍ପରା ରହିଛି ।

ଭୋଇ ସେବକମାନେ ସ୍ୱତନ୍ତ୍ର ପନ୍ତି ଘର ନିର୍ମାଣ କରିଥିଲେ । ପନ୍ତି ଗ୍ରହଣ ପାଇଁ ୫ଘର ନିର୍ମାଣ ହୋଇଥିଲା । ଦେବଦମ୍ପତ୍ତି ରଥ ଖଳାରେ ଏକତ୍ର ହେଲା ପରେ ଏକତ୍ର ଭୋଗ ଅର୍ପଣ କରାଯାଇଥିଲା । ଦଣ୍ଡା ଫ୍ରେମ୍‌ କଳସା ସରି ସାଇତା ରହିଛି । ରଥର ଚାରପରିଛା କାମ ଆରମ୍ଭ ହୋଇଛି । ତିନି ରଥର ଗୋଟିଏ ଲେଖାଏଁ ଚାରପରିଛା ସରିଛି । ଦେବଦଳନ ରଥର ଧୂଳିଦଣ୍ଡା ଓ ଧମକ କାର୍ଯ୍ୟ ଶେଷ ହୋଇଛି । ଦୁଇଟି ପୋଲ ଗୟଳ ଚଉପଟ ସରିଛି । ତାଳଧ୍ୱଜର ଚାରପରିଛା ଚଉପଟ ଶେଷ ହୋଇଛି । ରଥ ଖଳାରେ ଗୟଳ ହାଣୁଛନ୍ତି ବିଶ୍ୱକର୍ମା । ଗୟଳ ଓ ଚାରି ନାହାକାକୁ ବାନ୍ଧି ରଖେ ଧମକ । ଗରଗରା ବିନ୍ଧ ଖୋଦେଇ ସରିଛି । ଦୋଳବେଦିରେ କରତୀ ସେବକ ଗୟଳ ଚିରଟରେ ବ୍ୟସ୍ତ । ବିଶ୍ୱକର୍ମାମାନେ ରଥଖଳାରେ ଏହାକୁ ଚଉପଟ କରୁଛନ୍ତି । ଦେବୀ ରଥ ଗୟଳ ଚିରଟ ହେଉଛି । ରୂପକାର ସେବକଙ୍କ ତିନି ରଥର ଡାଳିଲତା ଓ ପଦ୍ମପାଖୁଡ଼ା ଖୋଦେଇ ଚାଲିଛି । ଅସ୍ଥାୟୀ ଶାଳରେ ଓଝା ସେବକମାନେ ଯୋକା କଣ୍ଟା, ଗୟଳ କଣ୍ଟା ଓ ଗରଗରା କଣ୍ଟା, ଭୂଇଁ କଣ୍ଟା ଆଦି ଲୁହା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ଆଗକୁ ଅଖ ଉପରେ ଦଣ୍ଡା ରହିବ । ଦଣ୍ଡା ଉପରେ ଗରଗରା ରହିଲେ ଚାରି ନାହାକା ଉଠିବ । ଏସବୁ କଣ୍ଟା ସେହି ସମୟରେ ଆବଶ୍ୟକ ହେବ ।

ଶନିବାର ଦାଣ୍ଡି କାଠ ପୋତା ହୋଇ ଦିଗନିର୍ଣ୍ଣୟ ପରେ ରଥ ସ୍ଥାନ ନିରୁପଣ ହେବ । ଯେପରି ସୁବିଧାରେ ତିନି ରଥ ଖଳାରୁ ଯାଇ ସିଂହଦ୍ୱାରରେ ବିଜେ ହେବ। ଏହାପରେ ରଥର ଚକ ଓ ଅଖ ଥାକ ହେବ । ଚକ, ଅଖରେ ବନ୍ଧ ଓ ମେଣ୍ଢି ଲଗାଯାଇଛି । ଚକ ଗଡ଼ି ନଯିବା ପାଇଁ ଉଭୟ ପାଶ୍ୱର୍ରେ ବନ୍ଧ ଲାଗିବ । ଅଖ ତଳେ ମେଣ୍ଢି ଦିଆଯିବ । ରଥ ନିର୍ମାଣ ଶେଷରେ ମେଣ୍ଢି ଓ ବନ୍ଧ ହଟିଯିବ ବୋଲି ନିର୍ମାଣକାରୀ କହିଛନ୍ତି । ଜୁନ୍‌ ୧୯ ତାରିଖ ନେତ୍ରୋତ୍ସବରେ ତିନି ରଥ ସିଂହଦ୍ୱାରରେ ପହଞ୍ଚିବ ।