ରଥଖଳା ହାଲ୍ଚାଲ୍…୩ ରଥର ଦଣ୍ଡା ଫ୍ରେମ୍ ପ୍ରସ୍ତୁତ, ଚାଲିଛି ଚାରି ନାହାକା ସାଲ କାମ

ପୁରୀ, ୨୫/୦୫: ବଡ଼ଦାଣ୍ଡରେ ତିନି ରଥର ଦଣ୍ଡାର ଫ୍ରେମ୍ ପ୍ରସ୍ତୁତ ହୋଇଛି । ମଙ୍ଗଳବାର ଦଣ୍ଡାରେ ଆଗ-ପଛ ମୁହାଁଟି ଲାଗିଥିଲା । ମୁଖ୍ୟ ପାଞ୍ଚ ଦଣ୍ଡାରେ ଲାଗିଥିଲା ମୁହାଁଟି । ଆଗ ଓ ପଛ ମୁହାଁଟିରେ ପୋତା ହେଲା ଗୁଜ । ୫ ଗୁଜ ଉପରେ ନିରାଡ଼ି ଉଠିଲା । ଏହାପରେ ଚତୁଃପାଶ୍ୱର୍ରେ କୁଡ଼ୁକା ଲାଗିଲା । ବୁଧବାର ପାଶ୍ୱର୍ ଦଣ୍ଡା ଲାଗି ପାଶ୍ୱର୍ ମୁହାଁଟି ସ୍ଥାପନ ହୋଇଛି । ପାଶ୍ୱର୍ ମୁହାଁଟିରେ କୋଣ ଗୁଜ ଓ ଜଳଯନ୍ତ୍ର ସ୍ଥାପନ ହୋଇ ପାଶ୍ୱର୍ ନିରାଡ଼ି ସ୍ଥାପନ ହୋଇଥିଲା । ଏହାପରେ କଳସା ହୋଇ ନମ୍ବରିଂ ହୋଇ ଦଣ୍ଡା ଫ୍ରେମ୍ ଖୋଲାଯିବ । ପରେ ଏସବୁ ରଥରେ ଫିଟିଂ ହେବ ବୋଲି କହିଛନ୍ତି ଦେବଦଳନର ରଥର ପ୍ରମୁଖ ବିଶ୍ୱକର୍ମା ନାରାୟଣ ମହାରଣା । ରଥଖଳାରେ ଗରଗରାରେ ବିନ୍ଧ ସରିଛି । ନନ୍ଦିଘୋଷ ଓ ଦେବଦଳନ ରଥର ଗରଗରା ଚଉପଟ ସରି ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ରଥର ଓରା, ଖମ୍ବୀ ଓ ଚାରି ନାହାକା କାମ ଶେଷ ହେବା ଉପରେ । ବିଶ୍ୱକର୍ମାମାନେ ଓରା କାଠ ହାଣି ବିନ୍ଧ କରିଛନ୍ତି । ଓରା ଓ ଖମ୍ବୀ ରଥର ଉପର ଭାଗ ଅଂଶ ।

୪ ନାହାକା ଉଠିଲେ ତା’ ଉପରେ ପ୍ରଥମ ଭୁଇଁ ଉଠିବ । ପ୍ରଥମ ଭୁଇଁ ଉପରେ ରହିବ ଓରା । ଓରା ଉପରେ ତିନି ଥାକ ହୋଇ ରଥର ଉପର ଅଂଶ ନିର୍ମାଣ କରାଯିବ । ରଥର ୪ଗୋଟି ଲେଖାଏଁ ଓରା କାଠ କଟା ଯାଇଛି । ୪ ଓରାରେ ୮ଟି ବିନ୍ଧ ସରିଛି । ରଥରେ ତିନୋଟି ଭୂଇଁ ରହିବ । ନିମ୍ନରୁ ଉପରକୁ ମନ୍ଦିରାକୃତି ସାମାନ୍ୟ ଛୋଟ । ଏପଟେ ଚାରି ନାହାକାରେ ସାଲ କାର୍ଯ୍ୟ ଜାରି ରହିଥିବା ବିଶ୍ୱକର୍ମାମାନେ କହିଛନ୍ତି । ଚକ ଓ ଅଖ ଗୁଡ଼ିକ ମାପଚୁପ ହୋଇ ରହିଲେ ରଥର ମୂଳଦୁଆ ପ୍ରସ୍ତୁତ ହେବ । ଅଖ ଉପରେ ଦଣ୍ଡା ପଡ଼ିବ । ଦଣ୍ଡା ଉପରେ ଗରଗରା ରହିବ । ଗରଗରା ଉପରେ ଚାରି ନାହାକା ଉଠିବ । ଏହାପରେ ରଥ ଉପରି ଭାଗ କାମ ଆରମ୍ଭ ହେବ । ରୂପକାର ସେବକମାନେ ରଥର ବିଭିନ୍ନ ଅଂଶରେ ଖୋଦେଇ କାମ ଜାରି ରଖିଛନ୍ତି । ଦୋଳବେଦି ପରିସରରେ କରତୀ ସେବକମାନେ ରଥର ଗୟଳ ଚିରଟ କରୁଛନ୍ତି । ଓଝା ସେବକମାନେ ଶାଳରେ ରଥ ପାଇଁ ଆବଶ୍ୟକ ଲୁହା ସାମଗ୍ରୀ ତିଆରୁଛନ୍ତି । ତିନି ରଥର ନିର୍ମାଣ କାର୍ଯ୍ୟରେ ସମନ୍ୱୟ ରଖି କାମ ଆଗଉଛି । ସ୍ନାନପୂର୍ଣ୍ଣମୀକୁ ଚାହିଁ ରଥ କାର୍ଯ୍ୟ ଜାରି ରହିଥିବା ନିର୍ମାଣକାରୀ କହିଛନ୍ତି ।