ପୁରୀ,୦୫/୦୬: ବୁଧବାର ଅଖ ଉପରେ ଦଣ୍ଡା ଉଠି ରଥର ମୂଳଦୁଆ ସ୍ଥାପନ କରାଯାଇଛି । ତିନି ରଥର ମୁଖ୍ୟ ବିଶ୍ୱକର୍ମା ଶ୍ରୀଫଳ ଭାଙ୍ଗି ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଅଖ ତଳେ ମେଣ୍ଢି (କାଠ ଗଡ଼) ରଖି ଦଣ୍ଡା ଉଠିଥିଲା । ବିଶ୍ୱକର୍ମା ଓ ଭୋଇ ସେବକମାନେ ତିନି ରଥର ମୂଳଦୁଆ ପକାଇଛନ୍ତି । ଚକ- ଅଖ ଉପରେ ଦଣ୍ଡାକୁ ଗୋଳେଇ ଦିଆଯାଇଛି । ଗୋଳେଇବା ଅର୍ଥ ମାପଚୁପ କରି ଅଖ ସହିତ ଦଣ୍ଡାକୁ ସମତୁଲ କରିବା । ଏଥିସହ କତା ଦଉଡ଼ି ବାନ୍ଧି ଦଣ୍ଡାକୁ ଜବତ୍ କରାଯାଇଛି । ଆଗକୁ ଦଣ୍ଡା କଣ୍ଟା ଅନୁକୂଳ ହେବ । ଅଖ ଓ ଦଣ୍ଡାକୁ ମିଶାଇ କଣ୍ଟା ପିଟାହେବ । ଦଣ୍ଡା କାମଠାରୁ ଆରମ୍ଭ କରି ରଥର କଳସ ପ୍ରତିଷ୍ଠା ପର୍ଯ୍ୟନ୍ତ ସବୁ କାମର ଓଜନ ଅଖ ସାମ୍ଭାଳିବ । ରଥ ନିର୍ମାଣ ସମୟରେ ଏହି ମେଣ୍ଢିଗୁଡ଼ିକ ଅଖକୁ ଦମ୍ଭ ଦିଏ । ସିଂହଦ୍ୱାରକୁ ରଥ ଯିବା ପୂର୍ବରୁ ମେଣ୍ଢି ହଟାଇ ଦିଆଯିବ କୁହନ୍ତି ଭୋଇ ସର୍ଦ୍ଦାର ରବି ଭୋଇ।
ନନ୍ଦିଘୋଷ ରଥର ୯ଟି ଦଣ୍ଡା, ତାଳଧ୍ୱଜ ରଥର ୯ଟି ଦଣ୍ଡା ଓ ଦେବଦଳନ ରଥର ୭ଟି ଦଣ୍ଡାକୁ ଅଖ ଉପରେ ଲଗାଯାଇଥିଲା । ଦଣ୍ଡା ଉଠିଲା ପରେ ଭୋଇସେବକମାନେ ହରିବୋଲି ଧ୍ୱନି ଦେଇଥିଲେ । ଦୋଳବେଦିରେ ଓଝାସେବକମାନେ ଦଣ୍ଡାବିଡ଼ିଆ କଣ୍ଟା, ଘଡ଼ିମୁହଁ କଣ୍ଟା ଓ ପୋଖରିଆ କଣ୍ଟା ପ୍ରସ୍ତୁତ କରି ରଖିଛନ୍ତି । ଗୁରୁବାର କମାର ସେବକମାନେ ରଥରେ ଏସବୁକୁ ଅନୁକୂଳ କରି ପିଟିବେ ବୋଲି ସୂଚନା ରହିଛି। ରଥଖଳାରେ ରୂପକାରମାନେ ରଥ ଅଳଙ୍କରଣରେ ବ୍ୟସ୍ତ ରହିଛନ୍ତି । ଏଥିସହ ବଡ଼ବାଡ଼ ବିଶ୍ୱକର୍ମା ମହାପ୍ରଭୁଙ୍କ ଅନବସର ସେବା ପାଇଁ ଗୟଳ କାଠ ତିଆରିଛନ୍ତି ।