ପୁରୀ,୦୫/୦୬: ବୁଧବାର ଅଖ ଉପରେ ଦଣ୍ଡା ଉଠି ରଥର ମୂଳଦୁଆ ସ୍ଥାପନ କରାଯାଇଛି । ତିନି ରଥର ମୁଖ୍ୟ ବିଶ୍ୱକର୍ମା ଶ୍ରୀଫଳ ଭାଙ୍ଗି ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର  ଶୁଭାରମ୍ଭ କରିଛନ୍ତି । ଅଖ ତଳେ ମେଣ୍ଢି (କାଠ  ଗଡ଼) ରଖି ଦଣ୍ଡା ଉଠିଥିଲା । ବିଶ୍ୱକର୍ମା ଓ ଭୋଇ  ସେବକମାନେ ତିନି ରଥର ମୂଳଦୁଆ ପକାଇଛନ୍ତି । ଚକ- ଅଖ ଉପରେ ଦଣ୍ଡାକୁ ଗୋଳେଇ ଦିଆଯାଇଛି । ଗୋଳେଇବା ଅର୍ଥ  ମାପଚୁପ କରି ଅଖ ସହିତ ଦଣ୍ଡାକୁ ସମତୁଲ କରିବା । ଏଥିସହ  କତା ଦଉଡ଼ି ବାନ୍ଧି ଦଣ୍ଡାକୁ ଜବତ୍‌ କରାଯାଇଛି । ଆଗକୁ ଦଣ୍ଡା କଣ୍ଟା ଅନୁକୂଳ ହେବ । ଅଖ ଓ ଦଣ୍ଡାକୁ ମିଶାଇ କଣ୍ଟା ପିଟାହେବ ।  ଦଣ୍ଡା କାମଠାରୁ ଆରମ୍ଭ କରି ରଥର କଳସ ପ୍ରତିଷ୍ଠା ପର୍ଯ୍ୟନ୍ତ ସବୁ  କାମର ଓଜନ ଅଖ ସାମ୍ଭାଳିବ । ରଥ ନିର୍ମାଣ ସମୟରେ ଏହି  ମେଣ୍ଢିଗୁଡ଼ିକ ଅଖକୁ ଦମ୍ଭ ଦିଏ । ସିଂହଦ୍ୱାରକୁ ରଥ ଯିବା ପୂର୍ବରୁ  ମେଣ୍ଢି ହଟାଇ ଦିଆଯିବ କୁହନ୍ତି ଭୋଇ ସର୍ଦ୍ଦାର ରବି ଭୋଇ। 

ନନ୍ଦିଘୋଷ ରଥର ୯ଟି ଦଣ୍ଡା, ତାଳଧ୍ୱଜ ରଥର  ୯ଟି ଦଣ୍ଡା ଓ ଦେବଦଳନ ରଥର ୭ଟି ଦଣ୍ଡାକୁ ଅଖ ଉପରେ ଲଗାଯାଇଥିଲା । ଦଣ୍ଡା ଉଠିଲା ପରେ ଭୋଇସେବକମାନେ ହରିବୋଲି ଧ୍ୱନି ଦେଇଥିଲେ । ଦୋଳବେଦିରେ ଓଝାସେବକମାନେ ଦଣ୍ଡାବିଡ଼ିଆ କଣ୍ଟା, ଘଡ଼ିମୁହଁ  କଣ୍ଟା ଓ ପୋଖରିଆ କଣ୍ଟା ପ୍ରସ୍ତୁତ କରି ରଖିଛନ୍ତି । ଗୁରୁବାର କମାର ସେବକମାନେ ରଥରେ ଏସବୁକୁ ଅନୁକୂଳ କରି ପିଟିବେ  ବୋଲି ସୂଚନା ରହିଛି। ରଥଖଳାରେ ରୂପକାରମାନେ ରଥ  ଅଳଙ୍କରଣରେ ବ୍ୟସ୍ତ ରହିଛନ୍ତି । ଏଥିସହ ବଡ଼ବାଡ଼ ବିଶ୍ୱକର୍ମା ମହାପ୍ରଭୁଙ୍କ ଅନବସର ସେବା ପାଇଁ ଗୟଳ କାଠ ତିଆରିଛନ୍ତି ।