ପୁରୀ, ୧୪/୦୫: ରଥ ନିର୍ମାଣର ୧୩ତମ ଦିବସରେ ବିଶ୍ୱକର୍ମାମାନେ  ରଥଖଳାରେ ୩ଟି ଅନୁକୂଳ କରିଛନ୍ତି ।  ପହିରେ ବିନ୍ଧ, ସିଙ୍ଗଡ଼ା(ଅର ସଂଯୁକ୍ତ  ତୁମ୍ବ)ରେ ପହି ସଂଯୋଗ ଓ ତୁମ୍ବରେ  ପନ୍ଦାରି ଏବଂ ବଳା ପିନ୍ଧା କାର୍ଯ୍ୟ ମଙ୍ଗଳବାର  ଅନୁକୂଳ ହୋଇଛି । କାର୍ଯ୍ୟାରମ୍ଭ ପୂର୍ବରୁ  ରଥ ନିର୍ମାଣ ପରମ୍ପରାକ୍ରମେ ପୂଜାର୍ଚ୍ଚନା  କରିଥିଲେ ତିନି ରଥର ମୁଖ୍ୟ ବିଶ୍ୱକର୍ମା ।  ବିଶ୍ୱକର୍ମାଙ୍କ ନିର୍ଦ୍ଦେଶରେ ଭୋଇସେବକ  ବିଲେଇ ବାଡ଼ିଆ ପଦ୍ଧତିରେ ସିଙ୍ଗଡ଼ା  ଓ ପହିକୁ ସଂଯୋଗ କରିଛନ୍ତି ।  ଯନ୍ତାପଟାରେ ପଡ଼ି ସିଙ୍ଗଡ଼ାକୁ ପହି ପିନ୍ଧାଇ ଖୁସିଅର ଲଗାଯାଉଛି । ପରେ  କଳସା କରାଯାଇ ପହିକୁ ଖାପରେ  ବାନେ୍ଧଣୀ କରି ଚକ ପ୍ରସ୍ତୁତ ହେବ । ବୁଧବାର ସୁଦ୍ଧା ତିନି ରଥର ନାହାକା ଚକ ପ୍ରସ୍ତୁତ ହେବ ବୋଲି ସୂଚନା ରହିଛି ।  

ନିର୍ମାଣକାରୀଙ୍କ ଟାର୍ଗେଟ ଏବେ ଠାକୁରଙ୍କ ଭଉଁରି ଉତ୍ସବ । ରଥ ତିଆରି ପରମ୍ପରା ଅନୁସାରେ ଭଉଁରି ଯାତ୍ରାରେ  ଚକ ଅଖ ଡ଼େରା ହେବ । ଅର୍ଥାତ୍‌ ତିନି  ରଥର ଦୁଇଟି ଲେଖାଏଁ ଚକ ସହ ଗୋଟିଏ  ଅଖ ସଂଯୁକ୍ତ ହେବ । ଏଣୁ ରଥ ଖଳାରେ  ଚକ ପ୍ରସ୍ତୁତିକୁ ଯୋର ଦିଆଯାଉଛି । ପ୍ରଥମେ ଅନୁକୂଳ ହୋଇ ପହି  ହଣାଗଲା । ପହିରେ ବିନ୍ଧ ପୂର୍ବରୁ ଅନୁକୂଳ  କରାଯାଏ । ପୁଣି ସିଙ୍ଗଡ଼ାରେ ପହି ସଂଯୁକ୍ତ  ସମୟରେ ଅନୁକୂଳ ହେଲା । ପରେ  ବିଲେଇ ବାଡ଼ିଆ ଆରମ୍ଭ ହୋଇଥିଲା । 

ଚକ ପ୍ରସ୍ତୁତିର ବିଲେଇ ବାଡ଼ିଆ ଏକ ସ୍ୱତନ୍ତ୍ର କାର୍ଯ୍ୟ । ପ୍ରଥମେ ଚକରେ ଲାଗି ହୋଇଥିବା ପହିର ବାହାର ବିନ୍ଧରେ ଖୁସି ଅର ଲାଗିଥିଲା । ପହି ଓ ଅରକୁ କାମୁଡ଼ି ଧରେ ଖୁସି ଅର । ଗୋଟିଏ ଚକରେ ୪ଗୋଟି ପହି ଲାଗିଛି । ସେଥିରେ  ଥିବା ୧୬ ବିନ୍ଧରେ ୧୬ ଗୋଟି ଅର ଭୁଞ୍ଜାଯାଇଛି । ବାହାର  ପାଶ୍ୱର୍ରେ ୧୬ଗୋଟି  ଖୁସି ଅର ଦିଆଯାଇଛି ।  ଜଣେ ଅଭିଜ୍ଞ ବିଶ୍ୱକର୍ମା  ତୁମ୍ବ ଉପରେ ବସି ନିର୍ଦ୍ଦେଶ ଦେଉଥିଲେ । ହାତରେ ମାପ ବାଡ଼ି ଧରି ଚକର  ଚତୁଃପାଶ୍ୱର୍କୁ କେଉଁଠି କେତେ ମାଡ଼  ପଡ଼ିବ ବୁଝାଉଥିଲେ । ୩୦ କିଲୋଗ୍ରାମ  ଓଜନର ଏକ ଆୟତାକାର କାଠ ଖଣ୍ଡକୁ  ଦୁଇ ଖଣ୍ଡ କତା ଦୌଡ଼ିରେ ବାନ୍ଧି ପହିକୁ  ମାଡ଼ ଦିଆଯାଏ । ଦୁଇ ଜଣ ଲେଖାଏଁ  ଭୋଇ ସେବକ ଦୁଇ ପାଶ୍ୱର୍ରେ ଧରି ଆୟତାକାର କାଠଟିକୁ ଦୂରରୁ ଝୁଲାଇ ପହି  ଓ ଖୁସି ଅରକୁ ପିଟି ସାଇଜ୍‌ କରୁଛନ୍ତି ।  

ଗୋଟିଏ ଚକ ପାଇଁ ୮ଜଣ ଭୋଇ  ସେବକ ଓ ୪ ଜଣ ପ୍ରାୟ ବିଶ୍ୱକର୍ମା  ଏହି କାମ କରନ୍ତି । ଚାରି ଜଣ ଭୋଇ  ସେବକ ବିଲେଇ ବାଡ଼ିଆରେ ଓ ଅନ୍ୟ  ୪ଜଣ ଚକକୁ ଘୁରାଇ ରଥ ଚକ ପ୍ରସ୍ତୁତ  ହୋଇଥାଏ । ଏହାପରେ କଳସା(ପହି  ବାନେ୍ଧଣୀ) କାମ । ୪ଗୋଟି ପହିର ସଂଯୋଗ ସ୍ଥଳକୁ ମାପ କରି ଦାଗ  ଦିଆଯାଉଛି । ପହିର ଉଭୟ ଅଂଶକୁ  ଆବଶ୍ୟକତା ଅନୁସାରେ କଟାଯାଇ  ଖାପରେ ପକାଇ କଳସା କରାଯାଉଛି । ଏଥିସହ  ଯନ୍ତାଗାଡ଼ରେ ପଡ଼ି  ସିଙ୍ଗଡ଼ା ପ୍ରସ୍ତୁତି ଜାରି ରହିଛି ।  

ଆଉ ୬ଟି ସିଙ୍ଗଡ଼ା ପ୍ରସ୍ତୁତିର  ଟାର୍ଗେଟ ରହିଥିବା କହିଛନ୍ତି ଭୋଇ  ସର୍ଦ୍ଦାର ରବି ଭୋଇ । ରଥ ଚାଳିରେ  ରଥର ଗୁଜ, କୁଡ଼ୁକା, ଜଳଯନ୍ତ୍ର ଆଦି କାମ ଚାଲିଛି । ରୂପକାରମାନେ ଗୁଜରେ  ସିଂହ ବିରାଳ ଖୋଦେଇ କରୁଛନ୍ତି ।  ଦୋଳବେଦି ଶାଳରେ ବ୍ୟସ୍ତ ରହିଛନ୍ତି  କମାର ସେବକ। ବଳା ଓ ପନ୍ଦାରି  କାର୍ଯ୍ୟ ଚାଲିଛି । ବିଶ୍ୱକର୍ମାଙ୍କ ଚାହିଦା  ଅନୁସାରେ ଲୁହା ସାମଗ୍ରୀ ଯୋଗାଉଛନ୍ତି ।