ରାହୁଲଙ୍କ ଗସ୍ତ ପୂର୍ବରୁ ବୁଲିଲା ରଥ

ଭୁବନେଶ୍ୱର,୨୩ ।୧(ବ୍ୟୁରୋ): ରାହୁଲଙ୍କ ଗସ୍ତ ପୂର୍ବରୁ ଲୋକମାନଙ୍କୁ ସଚେତନ କରିବା ପାଇଁ ଆଜିଠୁ ରଥ ବୁଲିବା ଆରମ୍ଭ କରି ଦେଇଛି । ଏହି ରଥଗୁଡିକୁ କଂଗ୍ରେସ ଭବନରେ ଉଦଘାଟନ କରିଛନ୍ତି ଏଆଇସିସି ସମ୍ପାଦକ ରୁଦ୍ର ରାଜୁ ଓ ଅନିଲ ଚୌଧୁରୀ । ରଥଗୁଡିକୁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବେଳେ ରାହୁଲଙ୍କ ‘ପରିବର୍ତ୍ତନ ସଂକଳ୍ପ ସମାବେଶ)କୁ ସଫଳ କରିବାକୁ ସାଧାରଣ ଜନତାଙ୍କୁ ଅନୁରୋଧ କରାଯାଉଛି । ଏହି ରଥ ବୁଲିବା ସମୟରେ ଜିଲ୍ଲା କଂଗ୍ରେସ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସୁନ୍ଦର ଗୀତମାନ ବାଜୁଛି । ଏହି ଅବସରରେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ଓ କାର୍ଯ୍ୟକାରୀ ସଭାପତି ରଶ୍ମୀ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।
ଅପରପକ୍ଷେ ତମାଣ୍ଡୋ ଶିବଶକ୍ତି କ୍ଲବ୍ ମିନି ଷ୍ଟାଡିୟମରେ ରାହୁଲ ପହଞ୍ଚିବା ପୂର୍ବରୁ ସମସ୍ତ ରିଷ୍ଟ ଖଣ୍ଡନ କରିବା ପାଇଁ ଦଳ ପକ୍ଷରୁ ଭୂମି ପୂଜା କରାଯାଇଛି । ଦଳର ସମସ୍ତ ବରିଷ୍ଠ ନେତା ପହଞ୍ଚିବା ସହିତ ମହିଳା କଂଗ୍ରେସର ସଭାପତି ସୁମିତ୍ରା ଜେନା ଓ ତାଙ୍କର ସହକର୍ମୀମାନେ ପୂଜା କାମ ତୁଲାଇଥିଲେ । ସେପଟେ ରାହୁଲ ପହଞ୍ଚିବା ପୂର୍ବରୁ ତମାଣ୍ଡୋ ମିନି ଷ୍ଟାଡିୟମ୍ ରାହୁଲମୟ ହୋଇଯାଇଛି । ବିଶାଳକାୟ ହୋଡିଂମାନ ଛାଇଯାଇଛି । ସେପଟେ ରାହୁଲଙ୍କ ଯିବା ଆସିବା ପାଇଁ ଆଜି ଷ୍ଟାଡିୟମ୍ ପଛ ପଟ ଭାଙ୍ଗି ରାସ୍ତା କାମ ଆରମ୍ଭ ହୋଇଯାଇଛି ।