କଟକ,୨୧/୦୭: ବିବାଦ ସତେଯେମିତି ରେଭେନ୍ସା  ବିଶ୍ୱବିଦ୍ୟାଳୟର ପିଛା ଛାଡୁନି । ମହିଳା ସୁରକ୍ଷା ପ୍ରସଙ୍ଗକୁ ନେଇ  ବିଶ୍ୱବିଦ୍ୟାଳୟର ଛାତ୍ରୀ, ଅଧ୍ୟାପିକା ଏବଂ ମହିଳା କର୍ମଚାରୀଙ୍କୁ  ଅପରାହ୍ନ ସାଢ଼େ ୫ଟା ପରେ କ୍ୟାମ୍ପସ୍‌ ମନା କରାଯିବା ଘଟଣା ଦୁଇ ଦିନ ତଳେ ବେଶ ବିବାଦ ଓ ବିତର୍କ ସୃଷ୍ଟି କରିଥିଲା । ଅକଳରେ ପଡ଼ି କର୍ତ୍ତୃପକ୍ଷ ଏହି ଆଦେଶକୁ ବାତିଲ କରିଥିଲେ । ରବିବାର ପୁଣି ବିଶ୍ୱବିଦ୍ୟାଳୟ ହଷ୍ଟେଲ୍‌ରେ ର‌୍ୟାଗିଂକୁ ନେଇ ଏକ  ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । 

ଶନିବାର ବିଳମ୍ବିତ ରାତିରେ ନୂଆ କରି ନାମ ଲେଖାଇ ଇଷ୍ଟ୍‌ ହଷ୍ଟେଲ୍‌ରେ ରହୁଥିବା ୟୁଜି ପ୍ରଥମ ବର୍ଷର କିଛି ଛାତ୍ରଙ୍କୁ ତୃତୀୟ  ବର୍ଷର ଛାତ୍ରମାନେ ର‌୍ୟାଗିଂ କରିଥିବା ଅଭିଯୋଗ ହୋଇଥିଲା । ଖବର ପାଇ ଚିଫ୍‌ ୱାର୍ଡେନଙ୍କ ସମେତ ୪ ଜଣ ବରିଷ୍ଠ ଅଧ୍ୟାପକ ରାତି ପ୍ରାୟ ୧୨ଟା ୩୦ରେ ହଷ୍ଟେଲ୍‌ରେ ପହଞ୍ଚି ଛାତ୍ରମାନଙ୍କୁ ଉଦ୍ଧାର କରିଥିଲେ । ଏହି ଘଟଣାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଗୁରୁତ୍ୱର ସହ ନେଇ ରବିବାର କୁଳପତି ଆଣ୍ଟି ର‌୍ୟାଗିଂ ସେଲ୍‌ର ବୈଠକ ଡାକିଥିଲେ । ବୈଠକ ପରେ ଘଟଣାରେ ସମ୍ପୃକ୍ତ ୧୦ ଜଣ ସିନିୟର୍‌ ଛାତ୍ରଙ୍କୁ ହଷ୍ଟେଲ୍‌ରୁ ନିଲମ୍ବନ କରାଯାଇଛି ।  

ହଷ୍ଟେଲ୍‌ ଛାଡ଼ିଥିବା ଛାତ୍ରମାନେ ହେଲେ ଇତିହାସ  ବିଭାଗର ହିଙ୍କଲ ହିତିସ୍‌ ପ୍ରକାଶ ରଣବାଇ, ଓଡ଼ିଆ  ବିଭାଗର ରଜତ କୁମାର ଦାସ, ଭୂତତ୍ତ୍ୱ ବିଭାଗର  ଅବିନାଶ ମହାନ୍ତି, ରାଜନୀତି ବିଜ୍ଞାନର ଦୁଇ ଜଣ  ଛାତ୍ର ସାହିଲ କୁମାର ମେହେର ଏବଂ ଚନ୍ଦନ ମାଝୀ,  କମ୍ପ୍ୟୁଟର ସାଇନ୍ସ ବିଭାଗର ଶୁଭମ୍‌ ସୋନି, ପଦାର୍ଥ  ବିଜ୍ଞାନ ବିଭାଗର ସ୍ୱରାଜ ପାଢ଼ୀ, ଓଡ଼ିଆ ବିଭାଗର  ଜୟନ୍ତ କୁମାର ମହାପାତ୍ର, ଅର୍ଥନୀତି ବିଭାଗର ବିଶ୍ୱଜିତ  ମହାଳିକ ଏବଂ ରସାୟନ ବିଜ୍ଞାନ ବିଭାଗର ଅଭିଷେକ  ବଳ । ସେମାନଙ୍କୁ ଓ ସେମାନଙ୍କ ଅଭିଭାବକଙ୍କୁ ଡାକି ପଚରାଉଚରା କରାଯିବା ପରେ ପରବର୍ତ୍ତୀ  ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି ।  ସେମାନଙ୍କୁ ହଷ୍ଟେଲ୍‌ ବାରଣ କରାଯାଇଥିବାରୁ  ରାତିରେ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଗେଷ୍ଟ୍‌ ହାଉସ୍‌ରେ ସମସ୍ତଙ୍କୁ ରଖାଯାଇଛି ।  

ନିକଟରେ ୟୁଜି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ  ନାମଲେଖା ହୋଇଛି । ନୂଆ ଛାତ୍ରମାନେ ବିଶ୍ୱବିଦ୍ୟାଳୟ  କ୍ୟାମ୍ପସ୍‌କୁ ଆସି ରହିଲେଣି । ବାହାର ଜିଲ୍ଲାରୁ ଆସୁଥିବା  ଛାତ୍ରମାନେ ବିଭିନ୍ନ ହଷ୍ଟେଲ୍‌ରେ ରହି ପଢୁଛନ୍ତି । ଇଷ୍ଟ୍‌ ହଷ୍ଟେଲ୍‌ରେ ପ୍ରାୟ ୪୦ରୁ ଅଧିକ ୟୁଜି ଛାତ୍ର ନୂଆ କରି  ରହୁଛନ୍ତି । ଶୁକ୍ରବାର ସେମାନେ ହଷ୍ଟେଲ୍‌ରେ ନାମ ଲେଖାଇ ଶନିବାର ରହିଥିଲେ । ପ୍ରଥମ ଦିନ ତୃତୀୟ ବର୍ଷର ସିନିୟର  ଛାତ୍ରମାନେ ସେମାନଙ୍କୁ ପରିଚୟ ପ୍ରଦାନ କରିବା ଆଳରେ ବିଳମ୍ବିତ ରାତି ପ୍ରାୟ ୧୨ଟାରେ ହଷ୍ଟେଲ୍‌ ରୁମ୍‌ରୁ ୨୦ରୁ ଅଧିକ  ଛାତ୍ରଙ୍କୁ ଡାକି ନେଇଥିଲେ । ହଷ୍ଟେଲ୍‌ ଦ୍ୱିତୀୟ ମହଲାରେ ଥିବା  ଏକ କୋଣରେ ସମସ୍ତଙ୍କୁ ଧାଡ଼ିରେ ଠିଆ କରାଇ ପ୍ରଥମେ  ଫୋନ୍‌ ଛଡ଼ାଇ ନେଇ ର‌୍ୟାଗିଂ କରିଥିଲେ ବୋଲି ଅଭିଯୋଗ  ହୋଇଛି । ପରେ ସେମାନଙ୍କୁ କିଛି ପଚରାଉଚରା କରି  ଦୀର୍ଘ ସମୟ ଧରି ଠିଆ କରାଇଥିବା କୁହାଯାଇଛି । ବିଳମ୍ବିତ  ରାତିରେ ଛାତ୍ରମାନଙ୍କୁ ଏପରି ଅସହାୟ ଅବସ୍ଥାରେ ଦେଖି  ହଷ୍ଟେଲ୍‌ର କେୟାର୍‌ଟେକର୍‌ ମୁଖ୍ୟ ୱାର୍ଡେନଙ୍କୁ ଖବର  ଦେଇଥିଲେ । ମୁଖ୍ୟ ୱାର୍ଡେନ୍‌ ପ୍ରଫେସର ସୁଦର୍ଶନ ମିଶ୍ରଙ୍କ  ସହ ବିଶ୍ୱବିଦ୍ୟାଳୟର ଆଣ୍ଟି ର‌୍ୟାଗିଂ କମିଟିରେ ଥିବା ୩ ଜଣ  ବରିଷ୍ଠ ଅଧ୍ୟାପକ ତତ୍‌କ୍ଷଣାତ୍‌ ହଷ୍ଟେଲ୍‌ରେ ପହଞ୍ଚି ପୀଡ଼ିତ  ନବାଗତ ଛାତ୍ରମାନଙ୍କୁ ତୃତୀୟ ବର୍ଷର ଛାତ୍ରଙ୍କ ନିକଟରୁ  ଉଦ୍ଧାର କରିଥିଲେ । ଅଧ୍ୟାପକଙ୍କୁ ଦେଖି ର‌୍ୟାଗିଂ କରୁଥିବା କିଛି  ଛାତ୍ର ଘଟଣାସ୍ଥଳ ଛାଡ଼ି ପଳାଇ ଥିବା ବେଳେ ଆଉ କେତେଜଣ  ଯୁକ୍ତି କରିଥିଲେ । ଏପରି ସ୍ଥିତିରେ ଆଣ୍ଟି ର‌୍ୟାଗିଂ କମିଟିର  ଅଧ୍ୟାପକମାନେ ମାଲଗୋଦାମ ଥାନା ପୁଲିସକୁ ଖବର  ଦେଇଥିଲେ । ପୁଲିସ କିନ୍ତୁ ହଷ୍ଟେଲ୍‌କୁ ନ ଆସି ପ୍ରଥମେ  ଅଭିଯୋଗପତ୍ର ଦେବାକୁ କହିଥିବା ଜଣାପଡ଼ିଛି । ଏହା  ପରେ ସମ୍ପୃକ୍ତ ଛାତ୍ରମାନଙ୍କୁ ବୁଝାଶୁଝା କରି ହଷ୍ଟେଲ୍‌ ରୁମକୁ  ପଠାଯାଇଥିଲା । ଆଣ୍ଟି ର‌୍ୟାଗିଂ କମିଟି ପକ୍ଷରୁ ଛାତ୍ର ଏବଂ  ସେମାନଙ୍କ ଅଭିଭାବକଙ୍କୁ ଡକାଯାଇ ଆଲୋଚନା କରାଯିବା  ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ । ଆଜି ଆଣ୍ଟି ରାଗିଂ  କମିଟି ବୈଠକରେ କମିଟି ଅଧ୍ୟକ୍ଷ କୁଳପତି ସଞ୍ଜୟ କୁମାର  ନାୟକ, ଅର୍ଥନୀତି ବିଭାଗ ପ୍ରଫେସର ଧର୍ମବ୍ରତ ମହାପାତ୍ର,  ରସାୟନ ବିଭାଗ ପ୍ରଫେସର୍‌ ସିଦ୍ଧାର୍ଥ ଭରଦ୍ୱାଜ୍‌, ପିଇଟି ତଥା  ନ୍ୟୁ ପିଜି ହଷ୍ଟେଲ୍‌ ୱାର୍ଡେନ ଅଞ୍ଜନ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ  ରହି ର‌୍ୟାଗିଂ ଘଟଣାର ବିଭିନ୍ନ ଦିଗ ତର୍ଜମା କରିଥିଲେ।