ନୂଆଦିଲ୍ଲୀ,୦୨/୦୧; ପୂର୍ବତନ ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଦିନିକିଆ କ୍ରିକେଟର ଭବିଷ୍ୟତକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ତାଙ୍କ ମତରେ ଆଗାମୀ ଦିନରେ ଦିନିକିଆ କ୍ରିକେଟର ଭବିଷ୍ୟତ ଅନ୍ଧାର । ସେ ବିଶ୍ୱାସ କରନ୍ତି ଯେ ୨୦୨୭ ବିଶ୍ୱକପ୍ ପରେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ପରି ସବୁଠାରୁ ବଡ଼ ତାରକା ଦିନିକିଆରୁ ଅବସର ନେବେ । ଏହା ପରେ ODI ଫର୍ମାଟର ଅସ୍ତିତ୍ୱ ଏବଂ ପ୍ରାସଙ୍ଗିକତା ବିପଦରେ ପଡ଼ିପାରେ ।

୨୦୨୭ ବିଶ୍ୱକପ୍ ପରେ କ’ଣ ହେବ ? ଭାରତର ତାରକା କ୍ରିକେଟର ଅଶ୍ୱିନ ତାଙ୍କ ଚ୍ୟାନେଲରେ କହିଛନ୍ତି, "୨୦୨୭ ବିଶ୍ୱକପ୍ ପରେ ODI କ୍ରିକେଟର ଭବିଷ୍ୟତ କ'ଣ ହେବ ତାହା ମୁଁ ନିଶ୍ଚିତ ନୁହେଁ । ମୁଁ ଏହା ବିଷୟରେ ଟିକେ ଚିନ୍ତିତ । ମୁଁ ବିଜୟ ହଜାରେ ଟ୍ରଫି ଦେଖୁଛି, କିନ୍ତୁ ମୁଁ ସୟଦ ମୁସ୍ତାକ ଅଲି ଟ୍ରଫି ଯେପରି ଦେଖିଥିଲି, ସେହିପରି ଏହାକୁ ଦେଖିବା ଟିକେ କଷ୍ଟକର।" ସେ ଆହୁରି ମଧ୍ୟ କହିଛନ୍ତି, "ଆମକୁ ଏହା ମଧ୍ୟ ବୁଝିବାକୁ ପଡିବ ଯେ ଦର୍ଶକ କ'ଣ ଦେଖିବାକୁ ଚାହୁଁଛନ୍ତି । ମୁଁ ଭାବୁଛି ଟେଷ୍ଟ କ୍ରିକେଟ ପାଇଁ ଏବେ ବି ସ୍ଥାନ ଅଛି, କିନ୍ତୁ ODI କ୍ରିକେଟ ପାଇଁ ପ୍ରକୃତରେ କୌଣସି ସ୍ଥାନ ନାହିଁ।"

ଆହୁରି ଦୁର୍ବଳ ହୋଇଯିବ ଦିନିକିଆ ଫର୍ମାଟ- ସମସ୍ତ ଫର୍ମାଟରେ ୭୬୫ ୱିକେଟ୍ ସହିତ ଭାରତର ଦ୍ୱିତୀୟ ସବୁଠାରୁ ସଫଳ ବୋଲର ଅଶ୍ୱିନଙ୍କ ମତରେ ଦିନିକିଆ କ୍ରିକେଟର ଭବିଷ୍ୟତ ଅନ୍ଧାରରେ । ସେ କହିଛନ୍ତି ଯେ, ବିରାଟ ଏବଂ ରୋହିତଙ୍କ ଅବସର ପରେ ଦିନିକିଆ ଫର୍ମାଟ୍ ଆହୁରି ଦୁର୍ବଳ ହୋଇଯିବ, ଯାହାଙ୍କ ନାମରେ ମିଳିତ ଭାବରେ ୮୬ଟି ଦିନିକିଆ ଶତକ ରହିଛି ।ସାମ୍ପ୍ରତିକ କ୍ରିକେଟରେ ଟି-ଟ୍ୱେଣ୍ଟି ଲିଗ୍ ଯୋଗୁଁ ଏହି ଫର୍ମାଟର ମୃତ୍ୟୁ ହେବାକୁ ଯାଉଛି । ଏହାକୁ ଯଦି ଯୋଜନାବଦ୍ଧ ଭାବେ ଖେଳା ନଯାଏ, ତେବେ ୨୦୨୭ ବିଶ୍ୱକପ ପରେ ଏହି ଫର୍ମାଟର ଖେଳ ବନ୍ଦ ହୋଇଯିବ ବୋଲି ଚେତାବନୀ ଦେଇଛନ୍ତି ଅଶ୍ବିନୀ । ରୋହିତ-କୋହଲି ଅବସର ନେବା ପରେ ହୁଏତ ଦର୍ଶକ ଖେଳ ଦେଖିବାକୁ ଆସି ନପାରନ୍ତି ବୋଲି ଚିନ୍ତା ପ୍ରକଟ କରିଛନ୍ତି ଅଶ୍ୱନୀ ।

​​​​​​​

ଟେଷ୍ଟ ଓ ଟି-ଟ୍ୱେଣ୍ଟିରୁ ଅବସର ନେଇଛନ୍ତି ରୋହିତ ଶର୍ମା ଓ ବିରାଟ କୋହଲି । ଏବେ କେବଳ ଦିନିକିଆ ଫର୍ମାଟରେ ଖେଳୁଛନ୍ତି ରୋ-କୋ । ବର୍ତ୍ତମାନ ବିଜୟ ହଜାରେ ଟ୍ରଫି ଖେଳୁଛନ୍ତି ଦୁଇ ଷ୍ଟାର । ୨୦୨୭ରେ ବିଶ୍ୱକପ ଖେଳିବା ବୋଲି ଆଶା ରଖିଛନ୍ତି ସେମାନଙ୍କ ଫ୍ୟାନ୍ସ ।