ବେଙ୍ଗାଲୁରୁ,୭ା୪(ଏଜେନ୍ସି): ଚଳିତ ଆଇପିଏଲ୍ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳର ପରାଜୟ ଧାରା ଜାରି ରହିଛି । କ୍ରମାଗତ ୬ଟି ମ୍ୟାଚ୍ରେ ପରାଜିତ ହେବା ପରେ ରୟାଲ୍ ଚ୍ୟାଲେଞ୍ଜର୍ସର ପ୍ଲେ ଅଫ୍ ସ୍ୱପ୍ନ ମଉଳିବାରେ ଲାଗିଛି । ଆଜି ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ଏକ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସକୁ ୪ ୱିକେଟ୍ରେ ହରାଇ ଦିଲ୍ଲୀ କ୍ୟାପିଟାଲ୍ସ ଟୁର୍ଣ୍ଣାମେଣ୍ଟରେ ତୃତୀୟ ବିଜୟ ହାସଲ କରିଥିଲା ।
ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ରୟାଲ ଚ୍ୟାଲେଞ୍ଜର୍ସ ୮ ୱିକେଟ୍ ହରାଇ ୧୪୯ ରନ୍ ସଂଗ୍ରହ କରିଥିଲା । ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୧୮.୫ ଓଭରରେ ୬ ୱିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲା । ୪ଟି ୱିକେଟ୍ ନେଇ ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କାଗିସୋ ରାବାଡା ମ୍ୟାନ୍ ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିଲେ ।
ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଘରୋଇ ଦଳ ୧୬ ରନ୍ରେ ଓପନର ପାର୍ଥିବ ପଟେଲ(୯)ଙ୍କ ୱିକେଟ୍ ହରାଇଥିଲା । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଏବି ଡି ଭିଲର୍ସ ଅପରାଜିତ ଓପନର ବିରାଟ କୋହଲିଙ୍କ ସହ ମିଶି ଦଳୀୟ ସ୍କୋରକୁ ୪୦ରେ ପହଞ୍ଚାଇଥିଲେ । ବ୍ୟକ୍ତିଗତ ୧୭(୧ଚୌକା, ୧ଛକା) ରନ୍ କରି ଡି ଭିଲର୍ସ ପ୍ରଥମେ ଆଉଟ୍ ହୋଇଥିଲେ । ମାର୍କସ ଷ୍ଟଇନିସ୍(୧୫) ମଧ୍ୟ ବେଶୀ ସମୟ କ୍ରିଜ୍ରେ ତିଷ୍ଠି ପାରି ନଥିଲେ । ୬୬ ରନ୍ରେ ଦଳ ୩ଟି ୱିକେଟ୍ ହରାଇଥିଲା । କୋହଲି ଆକର୍ଷଣୀୟ ସଟ୍ମାନ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ମୋଇନ ଅଲି କ୍ରିଜ୍ରେ ଯୋଗ ଦେବା ପରେ ଦଳୀୟ ସ୍କୋର ଦ୍ରୁତ ବେଗରେ ଆଗେଇଥିଲା । ଉଭୟ ଚତୁର୍ଥ ୱିକେଟ୍ରେ ୩୭ ରନ୍ ଯୋଗ କରିଥିଲେ । ଦଳୀୟ ସ୍କୋର ୧୦୩ ବେଳେ ମୋଇନ୍ ବ୍ୟକ୍ତିଗତ ୩୨ ରନ୍ କରି ଆଉଟ୍ ହୋଇଥିଲେ । ସେ ୧୮ଟି ବଲ୍ର ସାମ୍ନା କରି ଗୋଟିଏ ଚୌକା ଓ ୩ଟି ଛକା ମାରିଥିଲେ । ପରବର୍ତ୍ତୀ ବ୍ୟାଟ୍ସମ୍ୟାନମାନେ କ୍ରିଜ୍ରେ ତିଷ୍ଠି ପାରି ନଥିଲେ । କୋହଲି ସର୍ବାଧିକ ୪୧(୧ଚୌକା, ୨ଛକା) ରନ୍ କରିଥିଲେ । ଘରୋଇ ଦଳ ୮/୧୪୯ ରନ୍ କରିବାକୁ ସକ୍ଷମ ହୋଇଥିଲା । ଦିଲ୍ଲୀ ପକ୍ଷରୁ ରାବାଡା ୪ଟି ୱିକେଟ୍ ଅକ୍ତିଆର କରିଥିବାବେଳେ କ୍ରିସ୍ ମୋରିସ ୨ଟି ୱିକେଟ୍ ନେଇଥିଲେ ।
୧୫୦ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ୧ ରନ୍ରେ ପ୍ରଥମ ୱିକେଟ୍ ହରାଇଥିଲା । ଖାତା ଖୋଲିବା ପୂର୍ବରୁ ଶିଖର ଧାୱନ ପାଭିଲିୟନ ଫେରିଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବରା ଶ୍ରେୟାସ ଆୟର ଅପରାଜିତ ଓପନର ପୃଥ୍ୱୀ ଶ’ଙ୍କ ସହ ମିଶି ସ୍ଥିତି ସୁଧାରିଥିଲେ । ଉଭୟ ଦ୍ୱିତୀୟ ୱିକେଟ୍ରେ ୬୮ ରନ୍ ଯୋଗ କରିଥିଲେ । ଦଳୀୟ ସ୍କୋର ୬୯ ବେଳେ ବ୍ୟକ୍ତିଗତ ୨୮(୫ଚୌକା) ରନ୍ କରି ପୃଥ୍ୱୀ ଆଉଟ୍ ହୋଇଥିଲେ । କଲିନ ଇନ୍ଗ୍ରାମ୍ ଓ ଆୟରଙ୍କ ମଧ୍ୟରେ ଆଉ ଏକ ସଫଳ ଭାଗିଦାରୀ ଗଠନ ହୋଇଥିଲା । ଉଭୟ ତୃତୀୟ ୱିକେଟ୍ରେ ୩୯ ରନ୍ ଯୋଗ କରିଥିଲେ । ଇନ୍ଗ୍ରାମ୍ ୨୨ ରନ୍ କରି ଆଉଟ୍ ହୋଇଥିଲେ । ଆୟାର ଦୃଢ ବ୍ୟାଟିଂ ଜାରି ରଖି ଅର୍ଦ୍ଧଶତକ ଅର୍ଜନ କରିବା ସହ ଦଳକୁ ବିଜୟୀ କରାଇଥିଲେ । ସେ ୫୦ଟି ବଲ୍ରୁ ୮ଟି ଚୌକା ଓ ୨ଟି ଛକା ବଳରେ ୬୭ ରନ୍ କରି ଆଉଟ୍ ହୋଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରିଶବ ପନ୍ତ ୧୮ ରନ୍ କରିଥିଲେ । ରୟାଲ ଚ୍ୟାଲେଞ୍ଜର୍ସ ପକ୍ଷରୁ ନବନିତ ସୈନି ୨ଟି ୱିକେଟ୍ ନେଇଥିଲେ ।