ଆରବିଆଇର ବଡ଼ ଘୋଷଣା: ୧ ଡିସେମ୍ବରରୁ ଲଞ୍ଚ ହେବ ରିଟେଲ ଡିଜିଟାଲ ଟଙ୍କା,ଏହି ସବୁ ବ୍ୟାଙ୍କ ମାଧ୍ୟମରେ କରାଯିବ ବିତରଣ

ନୂଆଦିଲ୍ଲୀ,୨୯।୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ୧ ଡିସେମ୍ବରରୁ ରିଟେଲ ଡିଜିଟାଲ କରେନ୍ସି ଲଞ୍ଚ କରିବାର ଘୋଷଣା କରିଛି। ରିଟେଲ ଡିଜିଟାଲ ଟଙ୍କା ପାଇଁ ଏହା ପ୍ରଥମ ପାଇଲଟ୍ ପ୍ରୋଜେକ୍ଟ ହେବ। ପାଇଲଟ୍ ପ୍ରୋଜେକ୍ଟ ବେଳେ ଡିଜିଟାଲ ଟଙ୍କାର ନିର୍ମାଣ, ଡିଷ୍ଟ୍ରିବ୍ୟୁସନ୍ ଓ ରିଟେଲ ବ୍ୟବହାରର ପୁରା ପକ୍ରିୟାକୁ ଟେଷ୍ଟିଂ କରାଯିବ। ଏହା ପୂର୍ବରୁ କେନ୍ଦ୍ରୀୟ ବ୍ୟାଙ୍କ ୧ ନଭେମ୍ବରରେ ହୋଲସେଲ୍ ଟ୍ରାଞ୍ଜାକସନ୍ ପାଇଁ ଡିଜିଟାଲ ଟଙ୍କା ଲଞ୍ଚ କରିଥିଲା। ରିଜର୍ଭ ବ୍ୟାଙ୍କ ଏହି ଡିଜିଟାଲ କରେନ୍ସିକୁ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି(ସିବିଡିସି) ନାଁ ଦିଆଯାଇଛି। ୧ ଡିସେମ୍ବରରେ ଏହାର ରୋଲଆଉଟ୍ ଦେଶର ଅଳ୍ପ କିଛି ସ୍ଥାନରେ କରାଯିବ, ଯେଉଁଥିରେ ଗ୍ରାହକଙ୍କ ଠାରୁ ବ୍ୟବସାୟୀ ପର୍ଯ୍ୟନ୍ତ ସାମିଲ କରାଯିବ। ଇ-ରୁପି (e₹-R) ଡିଜିଟାଲ ଟୋକନର କାମ କରିବ। ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି(ସିବିଡିସି) ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା କରେନ୍ସି ନୋଟର ଡିଜିଟାଲ ସ୍ବରୂପ ଅଟେ। ଏହି କରେନ୍ସି ନୋଟ୍ ଭଳି ସମ୍ପୂର୍ଣ୍ଣ ଭାବରେ ବୈଧ। ଏହାର ବ୍ୟବହାର ଲେଣ-ଦେଣ ପାଇଁ କରାଯାଇଥାଏ।
(e₹-R) ର ଡିଷ୍ଟ୍ରିବ୍ୟୁସନ୍ ବ୍ୟାଙ୍କ ମାଧ୍ୟମରେ କରାଯିବ। ଡିଜିଟାଲ ଓ୍ବାଲେଟ୍ ମାଧ୍ୟମରେ ବ୍ୟକ୍ତିଠାରୁ ବ୍ୟକ୍ତି କିମ୍ବା ବ୍ୟକ୍ତିଙ୍କଠାରୁ ବ୍ୟବସାୟୀଙ୍କ ଭିତରେ ଲେଣଦେଣ କରାଯାଇପାରେ। ରିଜର୍ଭ ବ୍ୟାଙ୍କ ଅନୁସାରେ, ୟୁଜର୍ସ ମୋବାଇଲ ଫୋନ କିମ୍ବା ଡିଭାଇସ୍ରେ ଷ୍ଟୋର ବ୍ୟାଙ୍କର ଡିଜିଟାଲ ଓ୍ବାଲେଟରୁ ଡିଜିଟାଲ ରୁପି ଜରିଆରେ ଲେଣ-ଦେଣ କରିପାରିବ। ଯଦି ଆପଣଙ୍କୁ କୌଣସି ଦୋକାନୀଙ୍କଠାରୁ ଡିଜିଟାଲ ରୁପିରେ ଟଙ୍କା ଦେବାର ଅଛି, ତେବେ ବ୍ୟବସାୟୀଙ୍କ ପାଖରେ ଥିବା କ୍ୟୁଆର କୋଡ୍ ଜରିଆରେ କରିପାରିବେ।
ଏହି ପାଇଲଟ୍ ପ୍ରୋଜେକ୍ଟରେ ଭାଗ ନେବା ପାଇଁ ୮ ବ୍ୟାଙ୍କର ଚିହ୍ନଟ କରାଯାଇଛି। କିନ୍ତୁ ପ୍ରଥମ ପର୍ଯ୍ୟାୟ ଆରମ୍ଭରୁ ଦେଶର ଚାରୋଟି ସହରରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଆଇସିଆଇସିଆଇ ବ୍ୟାଙ୍କ, ୟେସ୍ ବ୍ୟାଙ୍କ ଓ ଆଇଡିଏଫ୍ସି ଫାଷ୍ଟ ବ୍ୟାଙ୍କ ମାଧ୍ୟମରେ ହେବ। ଏହାପରେ ବ୍ୟାଙ୍କ ଅଫ୍ ବରୋଦା, ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଏଚଡିଏଫ୍ସି ବ୍ୟାଙ୍କ ଓ କୋଟାକ୍ ମହିନ୍ଦ୍ରା ବ୍ୟାଙ୍କକୁ ଏହି ପାଇଲଟ୍ ପ୍ରୋଜେକ୍ଟରେ ସାମିଲ କରାଯିବ। ଏହାର ଭ୍ୟାଲୁ କାଗଜ ନୋଟ୍ ସହିତ ସମାନ ରହିବ। ଯଦି ଆପଣ ଚାହିଁବେ ତେବେ ଏହାକୁ ଦେଇ କାଗଜ ନୋଟ୍ ମଧ୍ୟ ନେଇପାରିବେ। ରିଜର୍ଭ ବ୍ୟାଙ୍କ ଡିଜିଟାଲ କରେନ୍ସିର ଦୁଇଟି କାଟଗୋରୀ ସିବିଡିସି-ଡବ୍ଲ୍ୟୁ ଓ ସିବିଡିସି-ଆରରେ ବାଣ୍ଟିଛି। ସିବିଡିସି-ଡବ୍ଲ୍ୟୁର ଅର୍ଥ ହୋଲସେଲ୍ କରେନ୍ସି ଓ ସିବିଡିସି-ଆରର ଅର୍ଥ ରିଟେଲ କରେନ୍ସି। ଭାରତର ଇକୋନୋମିକୁ ଡିଜିଟାଲ ରୂପରେ ବିକଶିତ କରିବା ଦିଗରେ ରିଜର୍ଭ ବ୍ୟାଙ୍କର ଏହି ପଦକ୍ଷେପ ଖୁବ୍ ଗୁରୁତ୍ବପୂର୍ଣ୍ଣ ବୋଲି ମନେକରାଯାଏ।