ଡିଏମ୍ଏସ୍ ‘ବ୍ୟାକ୍ ଟୁ ସ୍କୁଲ’ରେ ଆର୍ବିଆଇ ଗଭର୍ଣ୍ଣରଙ୍କ ସଙ୍କେତ: ଶୀଘ୍ର ସୁଧୁରିବ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା

ଭୁବନେଶ୍ୱର,୨୩ା୨(ବ୍ୟୁରୋ): ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ମଜବୁତ କରିବା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)ର ଦାୟିତ୍ୱ । ସବୁ ବ୍ୟାଙ୍କକୁ ଋଣ ପ୍ରଦାନ କ୍ଷମତାଯୋଗ୍ୟ କରାଇବା ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କର ପ୍ରମୁଖ କାର୍ଯ୍ୟ । ନିକଟ ଅତୀତରେ ଏ ଦିଗରେ ଆର୍ବିଆଇ ବହୁ ପଦକ୍ଷେପ ନେଇଛି । ଏଣୁ ଖୁବ୍ଶୀଘ୍ର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ସୁଧୁରିବାକୁ ଯାଉଛି ବୋଲି ସଙ୍କେତ ଦେଇଛନ୍ତି ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।
ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଡିଏମ୍ ସ୍କୁଲ୍ (ଡିଏମ୍ଏସ୍) ଆଲୁମ୍ନି ସଂଘ ତୃତୀୟ ‘ବ୍ୟାକ୍ ଟୁ ସ୍କୁଲ୍’ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଆର୍ବିଆଇ ଗଭର୍ଣ୍ଣର ଏକଥା କହିଛନ୍ତି । ଆର୍ବିଆଇ ଗଭର୍ଣ୍ଣର ହେବା ପରେ ଶ୍ରୀ ଦାସ ପ୍ରଥମ ଥର ପାଇଁ ଆଜି ନିଜ ଜନ୍ମଭୂମି ଓଡ଼ିଶା ଗସ୍ତରେ ଆସି ନିଜେ ପଢ଼ିଥିବା ଡିଏମ୍ ସ୍କୁଲ୍ ଆଲୁମ୍ନି ସଂଘ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।
ଡିଏମ୍ ସ୍କୁଲ୍ ପୂରାତନ ଓ ଏବେକାର ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ ସେ କହିଛନ୍ତି, ସରକାର ତାଙ୍କୁ ଅଚାନକ ଆର୍ବିଆଇ ଗଭର୍ଣ୍ଣର ଦାୟିତ୍ୱ ଦେଇଛନ୍ତି । ଏହି ଦାୟିତ୍ୱ ନେବାର ୨ ମାସ ୧୦ ଦିନ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଆର୍ବିଆଇ ଭାରତୀୟ ଅର୍ଥନୀତିର ସ୍ୱାର୍ଥକୁ ଦୃଷ୍ଟିରେ ରଖି ବହୁ ସଂସ୍କାର ପଦକ୍ଷେପ ନେଇଛି । ଆଗାମୀ ଦିନରେ ମଧ୍ୟ ଏହି ଧାରା ଜାରି ରହିବ ।
ଦେଶର ମୁଦ୍ରାନୀତି ସ୍ଥିରତା ଓ ଆର୍ଥିକ ସ୍ଥିରତା ବଜାୟ ରଖିବାକୁ ଆର୍ବିଆଇ ସବୁ ପ୍ରକାର ଚେଷ୍ଟା ଚଳାଇଛି । ଯେ କୌଣସି ପ୍ରକାର ଆର୍ଥିକ ସମସ୍ୟାର ମୁକାବିଲା କରିବାକୁ ଆର୍ବିଆଇରେ କାର୍ଯ୍ୟରତ ସବୁ କର୍ମଚାରୀ ଯଥେଷ୍ଟ ଦକ୍ଷ ରହିଛନ୍ତି ବୋଲି ଶ୍ରୀ ଦାସ କହିଛନ୍ତି ।
ଦେଶର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ସୁଧାର ଆଣିବାକୁ ଆର୍ବିଆଇ ପଦକ୍ଷେପ ନେଉଛି । ଏହା ବ୍ୟାଙ୍କର ଏକ ଗୁରୁଦାୟିତ୍ୱ । ଏଣୁ ଖୁବ୍ଶୀଘ୍ର ବ୍ୟାଙ୍କଗୁଡ଼ିକର ଋଣ ପ୍ରଦାନ କ୍ଷମତାରେ ସୁଧାର ଆସିବ ବୋଲି ଆର୍ବିଆଇ ଗଭର୍ଣ୍ଣର ସଙ୍କେତ ଦେଇଛନ୍ତି । ସୂଚନା ଥାଉକି, ଏନ୍ପିଏ ବୃଦ୍ଧି ତଥା ଅନ୍ୟାନ୍ୟ ସମସ୍ୟା କାରଣରୁ ଏବେ ଦେଶର ଏକାଧିକ ବ୍ୟାଙ୍କ ଆର୍ବିଆଇର ପ୍ରମ୍ପଟ୍ କରେକ୍ଟିଭ୍ ଆକ୍ସନ (ପିସିଏ)ର ଶିକାର ହୋଇଛନ୍ତି । ଏଣୁ ଏହି ବ୍ୟାଙ୍କଗୁଡ଼ିକର ଋଣ ପ୍ରଦାନ ଉପରେ କଟକଣା ଲାଗୁ ହୋଇଛି ।
ଆର୍ବିଆଇ ପ୍ରତି ସାଧାରଣ ଜନତାଙ୍କ ମନରେ ଥିବା ଦ୍ୱନ୍ଦ୍ୱକୁ ଦୂର କରି ଶ୍ରୀ ଦାସ କହିଛନ୍ତି, ଅନେକ ଭାବନ୍ତି ଯେ ଗଭର୍ଣ୍ଣରଙ୍କ ସ୍ୱାକ୍ଷରଯୁକ୍ତ ନୋଟ୍ ମୁଦ୍ରଣ ଓ ଯୋଗାଣ କରିବା କେନ୍ଦ୍ରୀୟ ବ୍ୟାଙ୍କର ଏକମାତ୍ର କାମ । କିନ୍ତୁ ଆର୍ବିଆଇର କାମ ସେତେଟା ସରଳ ନୁହେଁ ବୋଲି ସୂଚନା ଦେଇ ସେ କହିଛନ୍ତି, ଏହା ଦେଶର ଆର୍ଥିକ ସ୍ଥିତିକୁ ସନ୍ତୁଳିତ ରଖିବାକୁ ଚେଷ୍ଟା କରିଥାଏ । ରେପୋ ରେଟ୍ ବା ମୂଳ ସୁଧହାର ଧାର୍ଯ୍ୟ କରିଥାଏ । ଭାରତୀୟ ମୁଦ୍ରା ଓ ଅନ୍ୟ ବୈଦେଶିକ ମୁଦ୍ରା ମଧ୍ୟରେ ସନ୍ତୁଳନ ରଖିବା ନେଇ କାର୍ଯ୍ୟପନ୍ଥା ଗ୍ରହଣ କରିଥାଏ ।
ଏ ଅବସରରେ ଡିଏମ୍ ସ୍କୁଲ୍ର ଅନ୍ୟତମ ଛାତ୍ର ତଥା ପ୍ରଖ୍ୟାତ ନ୍ୟୁରୋସର୍ଜନ ତଥା ଡ. ବି ସି ରୟ ପୁରସ୍କାରପ୍ରାପ୍ତ ଡ. ବସନ୍ତ କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଡିଏମ୍ ସ୍କୁଲ୍ ବେଳର ସମୟ ତାଙ୍କର ସବୁଠାରୁ ଉତ୍ତମ ସମୟ ଥିଲା ବୋଲି କହିଛନ୍ତି । ସେହିଭଳି ସ୍କୁଲ୍ର ବିକାଶ ପାଇଁ ସେ ଆବଶ୍ୟକୀୟ ସହାୟତା କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।
ଡିଏମ୍ ସ୍କୁଲ୍ ଆଲୁମ୍ନି ସଂଘର ସଭାପତି ରାଜୀବ ଶେଖର ସାହୁ ବିଦ୍ୟାଳୟର ବିକାଶ ଉଦ୍ଦେଶ୍ୟରେ ସଂଘର ପ୍ରସ୍ତାବଗୁଡ଼ିକ କାର୍ଯ୍ୟକାରୀ ପାଇଁ ସହଯୋଗ କରିବାକୁ ଏନ୍ସିଇଆର୍ଟିକୁ ଅନୁରୋଧ କରିଥିଲେ । ଡିଏମ୍ ସ୍କୁଲ୍ରେ ଏକ ସମ୍ମିଳନୀ କକ୍ଷ ସ୍ଥାପନ ପାଇଁ ଥିବା ପ୍ରଶାସନିକ ପ୍ରତିବନ୍ଧକ ହଟାଇବାକୁ ହସ୍ତକ୍ଷେପ କରିବାକୁ ସେ ଆର୍ବିଆଇ ଗଭର୍ଣ୍ଣରଙ୍କୁ ଅନୁରୋଧ କରିଥିଲେ ।
ଏ ଅବସରରେ ଡିଏମ୍ ସ୍କୁଲ୍ରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଉଦ୍ଦେଶ୍ୟରେ ସ୍ୟାକ୍ ରୋବୋଟିକ୍ସ ଦ୍ୱାରା ଏକ ରୋବୋଟିକ୍ ଲ୍ୟାବ୍କୁ ଶ୍ରୀ ଦାସ ଉଦ୍ଘାଟନ କରିଥିଲେ । ଡିଏମ୍ ସ୍କୁଲ୍ର ୧୯୬୯ ବ୍ୟାଚ୍ର ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ସହ ୨୦୧୮ରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଡିଏମ୍ ସ୍କୁଲ୍ ଆଲୁମ୍ନି ସଂଘର ସମ୍ପାଦକ ସିଦ୍ଧାର୍ଥ ମହାନ୍ତି, ଉପସଭାପତି ସୁଶାନ୍ତ ପୂଜାରୀ ଓ ଅଶ୍ୱିନୀ ମହାନ୍ତି, କୋଷାଧ୍ୟକ୍ଷ ଚିନ୍ମୟ ମହାପାତ୍ର, ଯୁଗ୍ମ ସମ୍ପାଦକ ସୂର୍ଯ୍ୟକାନ୍ତ ପାଢ଼ି ଓ ଦେବବ୍ରତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ଡିଏମ୍ ସ୍କୁଲ୍ +୨ ଟପର୍ଙ୍କୁ ସମ୍ମାନିତ କଲା ସୋଆ
ଡିଏମ୍ ସ୍କୁଲ୍ ଆଲୁମ୍ନିର ‘ବ୍ୟାକ୍ ଟୁ ସ୍କୁଲ୍-୩’ ଉତ୍ସବରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୧୮ରେ ବିଦ୍ୟାଳୟରୁ ସର୍ବାଧିକ ନମ୍ବର ରଖି ଉନ୍ନୀତ ହୋଇଥିବା ୍ମ୨ ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗର ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅମିତ୍ ବାନାର୍ଜୀ ଓ ସୋଆ ଛାତ୍ରମଙ୍ଗଳ ନିର୍ଦ୍ଦେଶକ ପ୍ର. ଜ୍ୟୋତି ରଞ୍ଜନ ଦାସ ପ୍ରତି ଛାତ୍ରଛାତ୍ରୀଙ୍କୁ ସୋଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦,୦୦୦ ଟଙ୍କାର ପୁରସ୍କାର ହସ୍ତାନ୍ତର କରିଥିଲେ । ବିଜ୍ଞାନରେ ଆଶୁତୋଷ ସାମନ୍ତରାୟ, ବାଣିଜ୍ୟରେ ସରୋଜ କୁମାର ଖଡଙ୍ଗା ଓ କଳାରେ ଦେବସ୍ମିତା ବେଉରା ଡିଏମ୍ ସ୍କୁଲ୍ ଟପର୍ ହୋଇ ଏହି ପୁରସ୍କାର ପାଇଥିଲେ ।