ଆର୍ବିଆଇ ମୁଦ୍ରାନୀତି: ଶସ୍ତା ହେବ ଇଏମ୍ଆଇ

ମୁମ୍ବାଇ,୭ା୨(ଏଜେନ୍ସି):ଋଣକର୍ତ୍ତା ତଥା ମଧ୍ୟବିତ୍ତଙ୍କ ପାଇଁ ଖୁସି ଆଣିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ନୂଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଗୁରୁବାର ଦାସ୍ଙ୍କ ନେତୃତ୍ୱରେ ବସିଥିବା ମୁଦ୍ରାନୀତି କମିଟି(ଏମ୍ପିସି) ବୈଠକରେ ପ୍ରମୁଖ ସୁଧ ହାରରେ ୨୫ ବେସିସ୍ ପଏଣ୍ଟ୍ ହ୍ରାସ କରାଯାଇଛି । ରେପୋରେଟ୍ ଯେଉଁ ହାରରେ ବ୍ୟାଙ୍କଗୁଡିକ ଆର୍ବିଆଇଠାରୁ ଋଣ ଆଣିଥାନ୍ତି ତାହା ୬.୨୫%କୁ ହ୍ରାସ ଘଟିଛି, ଯାହା ଫଳରେ ଯାନ, ଗୃହ ଏବଂ ଅନ୍ୟାନ୍ୟ ଋଣ ଶସ୍ତା ହେବାକୁ ଯାଉଛି ।
ଅନ୍ୟପକ୍ଷରେ, ରିଭର୍ସ ରେପୋରେଟ୍ ଯେଉଁ ହାରରେ ଆର୍ବିଆଇ ବ୍ୟାଙ୍କଗୁଡିକଠାରୁ କରଜ ଆଣିଥାଏ ତାହା ୬.୨୫%ରୁ ୬%କୁ ହ୍ରାସ ଘଟିଛି । ୪ ଜଣ ସଦସ୍ୟ ନିଷ୍ପତ୍ତି ସପକ୍ଷରେ ଭୋଟ୍ ଦେଇଥିବାବେଳେ ୨ ଜଣ ସୁଧ ହାରକୁ ଅପରିବର୍ତ୍ତିତ ରଖିବା ପାଇଁ ମତ ଦେଇଥିଲେ । ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ସୁଧ ହାରକୁ ହ୍ରାସ କରାଯାଇଛି । ଅନ୍ତିମ ଥର ପାଇଁ ୨୦୧୭ ଅଗଷ୍ଟରେ ଆର୍ବିଆଇ ପ୍ରମୁଖ ସୁଧ ହାରରେ ହ୍ରାସ କରିଥିଲା । ଚଳିତ ଆର୍ଥିକବର୍ଷରେ ଗତ ଦୁଇଟି ବୈଠକରେ ସର୍ବୋଚ୍ଚ ବ୍ୟାଙ୍କ ସୁଧ ହାରକୁ ଅପରିବର୍ତ୍ତିତ ରଖିଥିଲା । ୨୦୧୮ ଅକ୍ଟୋବର ଏବଂ ଡିସେମ୍ବରରେ ହୋଇଥିବା ବୈଠକରେ ସୁଧ ହାରକୁ ଅପରିବର୍ତ୍ତିତ ରଖିଥିଲା ଆର୍ବିଆଇ । ୨୦୧୮ ଜୁନ୍ ଏବଂ ଅଗଷ୍ଟରେ ହୋଇଥିବା ବୈଠକରେ ସୁଧ ହାରରେ ୨୫ ବେସିସ୍ ପଏଣ୍ଟ୍ ବୃଦ୍ଧି କରାଯାଇଥିଲା ।
ବର୍ତ୍ତମାନ ଆର୍ବିଆଇର ସୁଧ ହାର ହ୍ରାସକୁ ବାଣିଜ୍ୟିକ ବ୍ୟାଙ୍କଗୁଡିକ ଅନୁସରଣ କରି ନିଜ ନିଜର ଏମ୍ସିଏଲ୍ଆର୍ କମାଇବେ । ଏମ୍ସିଏଲ୍ଆର୍ ହେଉଛି ଋଣ ଉପରେ ଲାଗୁ ହେଉଥିବା ସର୍ବନିମ୍ନ ସୁଧ ହାର । ବ୍ୟାଙ୍କଗୁଡିକ ଏହାଠାରୁ କମ୍ ସୁଧ ହାରରେ ଋଣ ଦେଇ ନ ଥାନ୍ତି ।
ଏବେ ଆର୍ବିଆଇର ସୁଧ ହାର ହ୍ରାସର ଲାଭ ବ୍ୟାଙ୍କଗୁଡିକ ଗ୍ରାହକଙ୍କୁ ହସ୍ତାନ୍ତର କରିବେ । ଫଳରେ ଋଣ ଇଏମ୍ଆଇ ଶସ୍ତା ହେବ । ମୁଦ୍ରାନୀତି ଘୋଷଣା ଅବସରରେ କେନ୍ଦ୍ରୀୟ ବ୍ୟାଙ୍କ ବିଶ୍ୱ ଅର୍ଥନୈତିକ କାର୍ଯ୍ୟକଳାପରେ ମାନ୍ଦାବସ୍ଥା ଦେଖାଦେଇଥିବା ଦର୍ଶାଇଛି । ବିଭିନ୍ନ ପ୍ରମୁଖ ବିକାଶମୁଖୀ ରାଷ୍ଟ୍ରରେ ଦେଖାଦେଇଥିବା ଅର୍ଥନୈତିକ ସମସ୍ୟା ଉପରେ ଏହା ଆଲୋକପାତ କରିଛି । ଯଦିଓ ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ବୃଦ୍ଧି ଘଟିଛି ତଥାପି ଦର ସର୍ବୋଚ୍ଚ ସ୍ତରରୁ ନିମ୍ନରେ ରହିବ ବୋଲି ଏମ୍ପିସି ସଦସ୍ୟମାନେ କହିଛନ୍ତି ।
ଅଭିବୃଦ୍ଧିକୁ ନେଇ ଆର୍ବିଆଇ କହିଛି ଯେ, ୨୦୧୯-୨୦ରେ ଦେଶର ଜିଡିପି ଅଭିବୃଦ୍ଧି ୭.୪% ରହିବ । ଆର୍ଥିକବର୍ଷର ପ୍ରଥମାର୍ଦ୍ଧରେ ଅଭିବୃଦ୍ଧି ୭.୨%ରୁ ୭.୪% ମଧ୍ୟରେ ରହିବ । ତୃତୀୟ ତ୍ରୟମାସରେ ଏହା ୭.୫% ରହିବ । ଅନ୍ୟପକ୍ଷରେ, ଶିଳ୍ପ କାରବାର ସାମାନ୍ୟ ବ୍ୟାହତ ହୋଇଥିବା ସର୍ବୋଚ୍ଚ ବ୍ୟାଙ୍କ ପ୍ରକାଶ କରିଛି । ୨୦୧୮-୧୯ ଆର୍ଥିକବର୍ଷର ଚତୁର୍ଥ ତ୍ରୟମାସରେ ଦେଶର ଖାଉଟି ମୂଲ୍ୟସୂଚୀଭିତ୍ତିକ ମୁଦ୍ରାସ୍ଫୀତି ୨.୮% ରହିବ ।