ବେଙ୍ଗାଲୁରୁ : ଆଇପିଏଲ ୨୦୨୬ । ବିଜୟରୁ ଅଭିଯାନ ଆରମ୍ଭ କଲା RCB । ହାଇଦ୍ରାବାଦକୁ ୬ ଓ୍ବିକେଟରେ ହରାଇ ଉଦଘାଟନୀ ମ୍ୟାଚକୁ ଜିତି ନେଇଛି ବେଙ୍ଗାଲୁରୁ । ୨୦୨୫ ସିଜିନରେ ଚାମ୍ପିୟନ ହୋଇଥିବା RCB ଚଳିତ ସିଜିନର ପ୍ରଥମ ମ୍ୟାଚରେ ଦମଦାର ପ୍ରଦର୍ଶନ ସହ ବିଜୟୀ ହୋଇଛି । RCB ଆଗରେ ୨୦୨ ରନର ବିଜୟ ଲକ୍ଷ୍ୟ ରହିଥିବାବେଳେ ୨୬ ବଲ ପୂର୍ବରୁ ଜିତିଛି । ଦଳ ପକ୍ଷରୁ ଘାତକ ବ୍ୟାଟିଂ କରିଥିଲେ ଇମ୍ପାକ୍ଟ ପ୍ଲେୟାର ଦେବିଦତ୍ତ ପାଡିକଲ୍ । ସେ ୨୬ ବଲରୁ ୬୨ ରନର ପାଳି ଖେଳିଛନ୍ତି । ତେବେ ସେ ୨୧ ବଲରୁ ଅର୍ଦ୍ଧଶତକ ହାସଲ କରିଥିଲେ । ଏହାସହ ବିରାଟ କୋହଲି ମଧ୍ୟ ଅର୍ଦ୍ଧାତକୀୟ ପାଳି ଖେଳିଛନ୍ତି ।
ବିରାଟ କୋହଲି ପ୍ରଥମରୁ ଦକ୍ଷିଣାତ୍ମକ ଢ଼ଙ୍ଗରେ ଖେଳିଥିଲେ । ପରେ ଆକ୍ରମଣାତ୍ମକ ଭାବେ ବିପକ୍ଷ ଦଳର ବୋଲରଙ୍କୁ ଧୂଲେଇ କରିଥିଲେ । ବିରାଟ ୩୮ ବଲରୁ ୬୯ ରନ୍ କରି ଅପରାଜିତ ରହିଥିଲେ । ଟିମ୍ ଡେଭିଡ୍ ୧୦ ବଲରୁ ୧୬ ରନର ପାଳି ଖେଳି ଅପରାଜିତ ରହିଛନ୍ତି । ସେପଟେ ହାଇଦ୍ରାବାଦ ପକ୍ଷରୁ ଡେଭିଡ୍ ପାୟେନ ୨ ଓ୍ବିକେଟ୍ ଅକ୍ତିଆର କରିଥିବାବେଳେ ଜୟଦେବ ଉନାଜକଟ୍ ଏବଂ ହର୍ଷ ଦୁବେ ଗୋଟିଏ ଲେଖାଏଁ ଓ୍ବିକେଟ୍ ଅକ୍ତିଆ କରିଥିଲେ ।
ଉଦଘାଟନୀ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା RCB । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ନିର୍ଦ୍ଧାରିତ ଓଭର ମଧ୍ୟରେ ୯ ଓ୍ବିକେଟ ହରାଇ ୨୦୧ ରନ କରିବାରେ ସକ୍ଷମ ହୋଇଥିଲା । ଦଳ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ତଥାପି ଦଳ ପାଇଁ ଲଢ଼ୁଆ ପାଳି ଖେଳିଥିଲେ ଇଶାନ କିଷନ । ସେ ୩୮ ବଲରୁ ୮୦ ରନ୍ ସଂଗ୍ରହ କରିଛନ୍ତି । ପରେ ଅନିକେତ ୧୮ ବଲରୁ ୪୩ ରନର ପାଳି ଖେଳିଥିଲେ ।
ଆରସିବି ପକ୍ଷରୁ ପ୍ରଥମରୁ ହାଇଦ୍ରାବାଦର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନଙ୍କୁ ଅଡ଼ୁଆରେ ପକାଇଥିଲେ ଜାକବ ଡଫି । ସେ ୨୨ ରନ୍ କରି ୩ ଓ୍ବିକେଟ୍ ଅକ୍ତିଆର କରିଛନ୍ତି । ସେ ଟ୍ରାଭିସ୍ ହେଡ, ଅଭିଶେକ ଶର୍ମା ଏବଂ ନୀତିଶ କୁମାର ରେଡ୍ଡିଙ୍କୁ ଆଉଟ୍ କରିଥିଲେ । ଅଭିଶେକ ଶର୍ମା ୭, ହେଡ ୧୧ ଏବଂ ନୀତିଶ ୬ ବଲରୁ ମାତ୍ର ୧ ରନ୍ ସଂଗ୍ରହ କରିପାରିଥିଲେ । ପରେ କ୍ଲାସନଙ୍କ ସହ ବଡ଼ ପାଳି ଖେଳିବାରେ ସକ୍ଷମ ହୋଇଥିଲେ ଇଶାନ କିଷନ ।ଅନିକେତ ବର୍ମା ୧୮ ବଲରୁ ୪୩ ରନର ପାଳି ଖେଳିଥିଲେ । ସେପଟେ ଆରସିବି ପକ୍ଷରୁ ସେଫର୍ଡ ୩ ଓ୍ବିକେଟ୍ ନେଇଛନ୍ତି । ଭୁବନେଶ୍ବର କୁମାର, ସୂୟସ ଶର୍ମା ଏବଂ ଅଭିନନ୍ଦନ ସିଂହ ଗୋଟିଏ ଲେଖାଏଁ ଓ୍ବିକେଟ୍ ନେବାରେ ସଫଳ ହୋଇଥିଲେ ।
ଏହାସହ ପଢ଼ନ୍ତୁ : ସ୍ବାମୀଙ୍କୁ ସପୋର୍ଟ କରିବାକୁ ଷ୍ଟାଡିୟମରେ ପହଞ୍ଚିଲେ ଅନୁଷ୍କା