ନୂଆଦିଲ୍ଲୀ,୩୦/୧୧; ଶ୍ରୀଲଙ୍କାରେ ଧ୍ୱଂସର ତାଣ୍ଡବ ରଚିଛି ଘୂର୍ଣ୍ଣିଝଡ଼ 'ଦିତୱା' । ବାତ୍ୟାରେ ପଡୋଶୀ ଦେଶ ଶ୍ରୀଲଙ୍କାରେ ପ୍ରବଳ ବର୍ଷା-ବନ୍ୟା ଏବଂ ଭୂସ୍ଖଳନରେ ପ୍ରାୟ ୧୫୩ ଜଣଙ୍କର ମୃତ୍ୟୁ ହୋଇଛି । ୨୦୦ରୁ ଅଧିକ ନିଖୋଜ ଅଛନ୍ତି । ଏବେ ବାତ୍ୟା 'ଦିତୱା'  ଭାରତ ମୁହାଁ ହୋଇଛି । ଦ୍ରୁତ ଗତିରେ ମାଡିଆସୁଛି ଦିତ୍ୱା । ଆଜି ତାମିଲନାଡୁ-ପୁଡୁଚେରୀ ଉପକୂଳ ଛୁଇଁବ । ଏହା ପ୍ରଭାବ ବି ଦେଖିବାକୁ ମିଳିଳାଣି । ତାମିଲନାଡୁରେ ପ୍ରବଳ ବର୍ଷା ହୋଇଛି । ୪୭ ବିମାନ ବାତିଲ ହୋଇଛି । ଟ୍ରେନ୍ କ୍ୟାନ୍ସେଲ ମଧ୍ୟ କରାଯାଇଛି । ଆଇଏମ୍‌ଡି ଚେତାବନୀ ପରେ ହାଇ ଆଲର୍ଟରେ ରହିଛନ୍ତି ଏନ୍‌ଡିଆରଏଫ-ଏସଡିଆରଏଫ ।

'ଦିତୱା' ପ୍ରଭାବରେ ତାମିଲନାଡୁ,  ପୁଡୁଚେରୀର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି । ଘଣ୍ଟା ପ୍ରତି ୪୦-୬୦ କିମି  ବେଗରେ ପବନ ମଧ୍ୟ ହେଉଛି । ଆଉ କିଛି ଘଣ୍ଟା ପରେ ଏହା ଉପକୂଳ ଛୁଇଁବା ସମ୍ଭାବନା ରହିଛି ।  ତାମିଲନାଡୁରେ ପ୍ରବଳ ବର୍ଷା କାରଣରୁ ୪୭ଟି ବିମାନ ଉଡ଼ାଣ ରଦ୍ଦ ହୋଇଛି । ରାଜ୍ୟର  ନାଗାପଟ୍ଟିନମ୍‌ରେ ମୂଷଳଧାରାରେ  ବର୍ଷା ହେବା ଯୋଗୁ ଅନେକ ଅଞ୍ଚଳ ପାଣିରେ  ବୁଡି଼ରହିଛି । ରାମେଶ୍ୱରମ୍‌ର କିଛି ଆବାସିକ  ଅଞ୍ଚଳରେ ୨ ଫୁଟ ଯାଏ ପାଣି ଜମା ହୋଇ ରହିଛି ।  ଏଥିସହ ସମୁଦ୍ରରେ ଉଚ୍ଚ ଲହରି ଉଠୁଛି । ତେଣୁ  ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ସତର୍କତା  ଜାରି ହୋଇଛି । ଅନ୍ୟପଟେ ରାମେଶ୍ୱରମ୍‌ ଅଭିମୁଖେ  ଯିବା-ଆସିବା କରିବାକୁ ଥିବା ଅନେକ ଟ୍ରେନ୍‌ ରଦ୍ଦ  ହୋଇଛି । କିଛି ଟ୍ରେନ୍‌ର ରୁଟ୍‌ ବଦଳାଯାଇଛି । 

ପୁଡୁଚେରୀରେ ଦିତୱା ଲାଗି ରେଡ୍‌ ଆଲର୍ଟ ଜାରି  ହୋଇଛି । ପୁଡୁଚେରୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ  ପକ୍ଷରୁ ଆଜି ଛୁଟି ଘୋଷଣା ସହ ସମସ୍ତ ପରୀକ୍ଷାକୁ  ସ୍ଥଗିତ ରଖାଯାଇଛି । ସେହିପରି ପୁଡୁଚେରୀ,  କରାଇକଲ୍‌, ମାହେ ଏବଂ ୟନମ୍‌ରେ ସମସ୍ତ ସ୍କୁଲ  ଓ କଲେଜ ସୋମବାର ଯାଏ ବନ୍ଦ ରହିବ ।  ଭାରତୀୟ ପାଣିପାଗ ବିଭାଗ ଅନୁସାରେ,  ଝଡ଼ ଦିତୱା ରବିବାର ଭୋର୍‌ରୁ ତାମିଲନାଡୁ- ପୁଡୁଚେରୀ ଉପକୂଳରେ ପହଞ୍ଚିବ । ଏହାର  ପ୍ରଭାବରେ ପ୍ରବଳ ବର୍ଷା ଜାରି ରହିବ । ଏପରିକି  ତାମିଲନାଡୁ, ପୁଡୁଚେରୀ, ଆନ୍ଧ୍ରପ୍ରଦେଶରେ ବନ୍ୟା ହୋଇପାରେ । ପାହାଡି଼ଆ ଅଞ୍ଚଳରେ ଭୂସ୍ଖଳନର  ବିପଦ ରହିଛି । ଏଥିସହ ଘଣ୍ଟାପ୍ରତି ୭୦-୯୦ କିମି  ବେଗରେ ପବନ ହୋଇପାରେ ।

​​​​​​​ଝଡ଼ ଦିତୱାକୁ ଦୃଷ୍ଟିରେ ରଖି ତାମିଲନାଡୁର  ବିଲ୍ଲୁପୁରମ୍‌, ଚେଙ୍ଗଲପଟ୍ଟୁ, ତିରୁବଲ୍ଲୁର,  ନାଗପଟ୍ଟିନମ୍‌, ତାଞ୍ଜାବୁର ସମେତ ସମ୍ବେଦନଶୀଳ ଉପକୂଳବର୍ତ୍ତୀ ଜିଲ୍ଲାରେ ଏନଡିଆରଏଫ୍‌ର ୧୪ ଟିମ୍‌ ମୁତୟନ କରାଯାଇଛି । ସେହିପରି ଆନ୍ଧ୍ରପ୍ରଦେଶରେ  ଦିତୱା ପ୍ରଭାବରେ ନଭେମ୍ବର ୩୦ରୁ ଡିସେମ୍ବର  ୩ ଯାଏ ୪ ଦିନ ଧରି କିଛି ଜିଲ୍ଲାରେ ପ୍ରବଳ  ବର୍ଷା ହୋଇପାରେ ।