କୋଲକାତା, ୧୯/୧୧ : ଦ୍ୱିତୀୟ ଟେଷ୍ଟ ପାଇଁ ଗୌହାଟୀ ଯାତ୍ରା ପୂର୍ବରୁ ଭାରତୀୟ ଦଳ ଇଡେନ ଗାର୍ଡେନ୍ସରେ ଅଭ୍ୟାସ କରିଛି। ପ୍ରଥମ ଟେଷ୍ଟ ପରାଜୟ ପରେ ଦଳ ସବୁ ତ୍ରୁଟି ସୁଧାରିବା ପାଇଁ ଏବେଠୁ ଲାଗି ପଡ଼ିଥିବାବେଳେ ବର୍ଷାପଡ଼ା ଗ୍ରାଉଣ୍ଡର ପିଚ୍‌କୁ ନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ଦ୍ୱିତୀୟ ଟେଷ୍ଟ ପାଇଁ ନାଲି ମାଟି ପିଚ୍‌ ପ୍ରସ୍ତୁତ କରାଯାଇଥିଲେ ହେଁ ଏହା ସ୍ପିନରଙ୍କୁ ସହାୟତା କରିବ ବୋଲି ଜଣା ପଡ଼ିଛି । 

ଏକ ପ୍ରମୁଖ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ ଟିମ ମ୍ୟାନେଜମେଣ୍ଟ ସ୍ପିନରଙ୍କୁ ସୁହାଇବା ଭଳି ପିଚ୍‌ ପ୍ରସ୍ତୁତ କରିବାକୁ ବହୁ ପୂର୍ବରୁ ଜଣାଇ ସାରିଥିବାରୁ ପିଚ୍‌ କ୍ୟୁରେଟର ନାଲି ମାଟି ପିଚ୍‌କୁ ମଧ୍ୟ ସ୍ପିନ ଉପଯୋଗୀ କରିବାରେ ଲାଗି ପଡ଼ିଛନ୍ତି । ପିଚ୍‌କୁ ଶୁଷ୍କ ରଖିବାକୁ ଚେଷ୍ଟା କରାଯାଉଛି । ଯାହା ଫଳରେ ମ୍ୟାଚ୍‌ ଆଗେଇବା ସହ ପିଚ୍‌ରୁ ସ୍ପିନରମାନେ ଫାଇଦା ଉଠାଇ ପାରିବେ । ମାତ୍ର ଇଡେନ ଗାର୍ଡେନ୍ସ ଭଳି ବର୍ଷାପଡ଼ା ଗ୍ରାଉଣ୍ଡ ପିଚ୍‌ ଅନିୟମିତ ବାଉନ୍ସ ହେବ ନାହିଁ । ପ୍ରାରମ୍ଭରୁ ପେସ ବୋଲରମାନେ ନୂଆ ବଲ୍‌କୁ ଅତିରିକ୍ତ ବାଉନ୍ସ କରିପାରିବେ । ବଲ୍‌ ପୁରୁଣା ହେଲେ ପିଚ୍‌ରୁ ଯଥେଷ୍ଟ ଟର୍ଣ୍ଣ ମିଳିବ । 

ଦ୍ୱିତୀୟ ଟେଷ୍ଟ ପାଇଁ ଗତକାଲି ଭାରତୀୟ ଦଳର ୬ଜଣ ଖେଳାଳି ଇଡେନ ଗାର୍ଡେନ୍ସରେ ଅଭ୍ୟାସ କରିଥିବା ଦେଖିବାକୁ ମିଳିଥିଲା । ଅଭ୍ୟାସ ବାଧ୍ୟତାମୂଳକ ନଥିଲା । ଦୀର୍ଘ ୩ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଅଭ୍ୟାସ ଶିବିର ଜାରି ରହିଥିଲା । ଭେଟେରାନ ଅଲ୍‌ରାଉଣ୍ଡର ରବିନ୍ଦ୍ର ଜାଡ଼େଜା ଦୀର୍ଘ ସମୟ ଧରି ବ୍ୟାଟିଂ ଅଭ୍ୟାସ କରିଥିଲେ । ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର ଓ ବ୍ୟାଟିଂ କୋଚ ସୀତାଂଶୁ କୋଟକଙ୍କ ତୀକ୍ଷ୍ଣ ନଜରରେ ରହିଥିଲେ ସାଇ ସୁଦର୍ଶନ ଓ ଧ୍ରୁବ ଜୁରେଲ । ସମ୍ପ୍ରତି ଆହତ ଥିବା ଶୁଭମନ ଗିଲ୍‌ ଦ୍ୱିତୀୟ ଟେଷ୍ଟ ଖେଳିବା ନେଇ ଆଶଙ୍କା ରହିଛି । ତାଙ୍କ ସ୍ଥାନରେ ସୁଦର୍ଶନ ଏକାଦଶକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ତାଙ୍କ ବ୍ୟାଟିଂ ଅଭ୍ୟାସ ଉପରେ ଗମ୍ଭୀର ଓ କୋଟକ ନଜର ରଖିଥିଲେ । 

ସୁଦର୍ଶନ ଅନେକ ତ୍ରୁଟି କରୁଥିବା ଦେଖିବାକୁ ମିଳିଥିଲା । ବିଶେଷ କରି ପେସ୍‌ ବୋଲରଙ୍କ ବିପକ୍ଷରେ ସୁଦର୍ଶନ ବିଫଳ ହେଉଥିଲେ । ଆକାଶ ଦୀପଙ୍କ ସମେତ ଓ ନେଟ ବୋଲରମାନେ ମଧ୍ୟ ସୁଦର୍ଶନଙ୍କୁ ଆଉଟ୍‌ କରୁଥିଲେ । ଜୁରେଲ ପେସ୍‌ ବୋଲରଙ୍କ ବିପକ୍ଷରେ ଦର୍ଶନୀୟ ସଟ୍‌ମାନ ଖେଳିଥିଲେ । ସ୍ପିନରଙ୍କ ବିପକ୍ଷରେ ଉଭୟଙ୍କ ଅଭ୍ୟାସ ପାଇଁ ଏକ ଅଭିନବ ପ୍ରୟାସ କରାଯାଇଥିଲା । ଜୁରେଲ ଓ ସୁଦର୍ଶନ ସ୍ପିନରଙ୍କ ବିପକ୍ଷରେ କେବଳ ଗୋଟିଏ ପ୍ୟାଡ୍‌ ପିନ୍ଧି ବ୍ୟାଟିଂ କରିଥିଲେ । ସ୍ପିନରଙ୍କୁ ସମ୍ନା କରୁଥିବା ସମୟରେ ସୁଦର୍ଶନଙ୍କ ଡାହାଣ ଗୋଡ଼ରେ ପ୍ୟାଡ ନଥିଲା । କେବଳ ସ୍ପିନରଙ୍କ ବିପକ୍ଷରେ ଡିଫେନ୍ସ ଟେକ୍‌ନିକ୍‌କୁ ସୁଧାରିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଥିଲା । ସାମ୍ନା ଗୋଡ଼ରେ ପ୍ୟାଡ଼ ନ ରହିଲେ ବ୍ୟାଟରଜଣଙ୍କ ବାଧ୍ୟ ହୋଇ ଗୋଡ଼ ସମ୍ମୁଖକୁ ବ୍ୟାଟ୍‌ ନେଇ ଡିଫେନ୍ସ କରିବ । ଫଳରେ ବ୍ୟାକଫୁଟ୍‌କୁ ଆସି ବଲ୍‌କୁ ଡିଫେନ୍ସ କରିବାର ତ୍ରୁଟି ଆପେ ଆପେ ଦୂର ହୋଇଯିବ । ସୁଦର୍ଶନ ସ୍ପିନରଙ୍କ ବିପକ୍ଷରେ ବାରମ୍ବାର ଏହି ତ୍ରୁଟି କରୁଥିବା ଦେଖିବାକୁ ମିଳିଛି । ଜୁରେଲ ସେଭଳି ବ୍ୟାକ୍‌ ଫୁଟ୍‌ ଡିଫେନ୍ସ କରୁ ନଥିଲେ ମଧ୍ୟ ରିଭର୍ସ ସୁଇପ ଓ ସୁଇଚ ହିଟ୍‌ ଭଳି କିଛି ଆକ୍ରମଣାତ୍ମକ ସଟ୍‌ ଅଭ୍ୟାସ କରିବା ପାଇଁ ସମ୍ମୁଖ ଗୋଡ଼ରେ ପ୍ୟାଡ ନପିନ୍ଧି ଅଭ୍ୟାସ କରିଥିଲେ । 

ସୂଚନାଯୋଗ୍ୟ, ଜୁରେଲ ସମ୍ପ୍ରତି ଚମତ୍କାର ଫର୍ମରେ ରହିଛନ୍ତି । ଟେଷ୍ଟ ଦଳରେ ଯୋଗ ଦେଲେ ନୀତିଶ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଯୁବ ଅଲ୍‌ରାଉଣ୍ଡର ନୀତିଶ କୁମାର ରେଡ୍ଡୀ ଭାରତୀୟ ଦଳରେ ଯୋଗ ଦେଇଛନ୍ତି । ଆଜି ଭାରତୀୟ ଦଳ ଗୌହାଟୀ ଅଭିମୁଖେ ଯାତ୍ରା କରିବ । ନୀତିଶ ଆରମ୍ଭରୁ ଟେଷ୍ଟ ଦଳରେ ସ୍ଥାନ ପାଇଥିଲେ । ପ୍ରଥମ ଟେଷ୍ଟ ପୂର୍ବରୁ ତାଙ୍କୁ ଭାରତ ଏ’ ଓ ଦକ୍ଷିଣ ଆଫ୍ରିକା ଏ’ ମଧ୍ୟରେ ଖେଳାଯାଉଥିବା ଅନ ଅଫିସିଆଲ ଦିନିକିଆ ସିରିଜ ଖେଳିବା ପାଇଁ ପଠା ଯାଇଥିଲା । ଆଜି ତୃତୀୟ ଦିନିକିଆ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ନୀତିଶଙ୍କୁ ଆଗୁଆ ଦଳକୁ ଫେରାଇ ଅଣାଯାଇଛି । ସେ ପ୍ରଥମ ଅନ ଅଫିସିଆଲ ଦିନିକିଆରେ ୨୭ ରନ ସଂଗ୍ରହ କରିବା ସହ ଗୋଟିଏ ୱିକେଟ୍‌ ନେଇଥିଲେ । ହେଲେ ଦ୍ୱିତୀୟ ମ୍ୟାଚ୍‌ରେ ତାଙ୍କୁ ବ୍ୟାଟିଂ କିମ୍ବା ବୋଲିଂ ମିଳି ନଥିଲା । ଭାରତ ଦ୍ୱିତୀୟ ମ୍ୟାଚ୍‌କୁ ୯ ୱିକେଟ୍‌ରେ ଜିତି ୨-୦ରେ ସିରିଜ କବ୍‌ଜା କରିଥିଲା । ଆହତ ଶୁଭମନ ଗିଲ୍‌ଙ୍କ ଅନୁପସ୍ଥିତିରେ ଭାରତ ପ୍ରଥମ ଟେଷ୍ଟ ପରାଜିତ ହେବା ପରେ ନୀତିଶଙ୍କୁ ସହଳ ଟେଷ୍ଟ ଦଳକୁ ଫେରାଇ ଅଣାଯାଇଛି ।