କଟକ,୦୫/୦୭: ଯଦି ସମସ୍ତ ସମ୍ପତ୍ତିର କାଗଜପତ୍ର ଠିକ୍‌ ଥିବ ଏବଂ ସବ୍‌-ରେଜିଷ୍ଟ୍ରାର ଉକ୍ତ ଜମିର ପଞ୍ଜୀକରଣ ପାଇଁ ନିଷ୍ପତ୍ତି ନେଇଥିବେ ତେବେ ସେ କ୍ଷେତ୍ରରେ ଜିଲ୍ଲା ରେଜିଷ୍ଟ୍ରାର ସବ୍‌-ରେଜିଷ୍ଟ୍ରାରଙ୍କ ନିଷ୍ପତ୍ତି ବିରୋଧରେ ଯାଇ ଜମିର ପଞ୍ଜୀକରଣ ବନ୍ଦ କରିପାରିବେନାହିଁ । ରେଜିଷ୍ଟ୍ରାର କେବଳ ପ୍ରଶାସନିକ କ୍ଷେତ୍ରରେ ସବ୍‌-ରେଜିଷ୍ଟ୍ରାରଙ୍କ ଉପରେ ନିୟନ୍ତ୍ରଣ ରଖିପାରିବେ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି । ଏକ ଜମିର ପଞ୍ଜୀକରଣ ବନ୍ଦ ପାଇଁ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ରେଜିଷ୍ଟ୍ରାରଙ୍କ ଆଦେଶକୁ  ଚାଲେଞ୍ଜ କରି ସବିତା ଅଗ୍ରୱାଲଙ୍କ ପକ୍ଷରୁ ଦାଏର ପିଟିସନ୍‌ର ଶୁଣାଣି  କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଆନନ୍ଦ ଚନ୍ଦ୍ର ବେହେରା ଏହି ରାୟ ଦେଇଛନ୍ତି । 

ମାମଲାରୁ ଜଣାଯାଇଛି, ବୌଦ୍ଧ ଜିଲ୍ଲାର  ବୌଦ୍ଧଗଡ଼ରେ କିଛି ଜମି ଆବେନଦନକାରୀ ଜଣେ ବ୍ୟକ୍ତିଙ୍କ ନିକଟରୁ  କିଣିଥିଲେ । ଏହି ଜମି ଦାଖଲ-ଖାରଜ ପାଇଁ ଆବେଦକାରୀ ବୌଦ୍ଧ  ଉପଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଥିଲାବେଳେ ଏହି ଜମିର  ପଞ୍ଜୀକରଣ ବନ୍ଦ ପାଇଁ ସବ୍‌ ରେଜିଷ୍ଟ୍ରାରଙ୍କୁ ଜିଲ୍ଲା ରେଜିଷ୍ଟ୍ରାର ନିର୍ଦ୍ଦେଶ  ଦେଇଥିଲେ । ଏହି ଆଦେଶକୁ ଚାଲେଞ୍ଜ କରି ଆବେଦନକାରିଣୀ  ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । 

ହାଇକୋର୍ଟ ଏହି ମାମଲାର  ଶୁଣାଣି ପରିପ୍ରେକ୍ଷୀରେ କହିଛନ୍ତି ଯେ, ରେଜିଷ୍ଟ୍ରସନ୍‌ ଆଇନର ଧାରା ୬୮ରେ ସବ୍‌ ରେଜିଷ୍ଟ୍ରାରଙ୍କୁ ନିୟନ୍ତ୍ରଣ କରିବାର କ୍ଷମତା  ରେଜିଷ୍ଟ୍ରାର୍‌ଙ୍କୁ ଦିଆଯାଇଛି । ତେବେ ଏହି ଧାରାରେ ରେଜିଷ୍ଟ୍ରାର କିନ୍ତୁ  ଜମି ପଞ୍ଜୀକରଣ ପାଇଁ ସବ୍‌-ରେଜିଷ୍ଟ୍ରାର୍‌ ଦେଇଥିବା ଆଦେଶକୁ  ବନ୍ଦ କରିପାରିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ତେଣୁ ବୌଦ୍ଧ  ରେଜିଷ୍ଟ୍ରାରଙ୍କ ଆଦେଶ ଆଇନ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ ବୋଲି  ହାଇକୋର୍ଟ ମତ ଦେବା ସହ ଜମି ପଞ୍ଜୀକରଣ ବନ୍ଦ ପାଇଁ  ଦେଇଥିବା ଆଦେଶକୁ ରଦ୍ଦ କରି ଦେଇଛନ୍ତି।