ପ୍ରମୂଖ ଖବର
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଜମି ପଞ୍ଜୀକରଣ ବନ୍ଦ କରିପାରିବେ ନାହିଁ ରେଜିଷ୍ଟ୍ରାର

Published By : Prameya | July 5, 2025 9:49 AM

କଟକ,୦୫/୦୭: ଯଦି ସମସ୍ତ ସମ୍ପତ୍ତିର କାଗଜପତ୍ର ଠିକ୍‌ ଥିବ ଏବଂ ସବ୍‌-ରେଜିଷ୍ଟ୍ରାର ଉକ୍ତ ଜମିର ପଞ୍ଜୀକରଣ ପାଇଁ ନିଷ୍ପତ୍ତି ନେଇଥିବେ ତେବେ ସେ କ୍ଷେତ୍ରରେ ଜିଲ୍ଲା ରେଜିଷ୍ଟ୍ରାର ସବ୍‌-ରେଜିଷ୍ଟ୍ରାରଙ୍କ ନିଷ୍ପତ୍ତି ବିରୋଧରେ ଯାଇ ଜମିର ପଞ୍ଜୀକରଣ ବନ୍ଦ କରିପାରିବେନାହିଁ । ରେଜିଷ୍ଟ୍ରାର କେବଳ ପ୍ରଶାସନିକ କ୍ଷେତ୍ରରେ ସବ୍‌-ରେଜିଷ୍ଟ୍ରାରଙ୍କ ଉପରେ ନିୟନ୍ତ୍ରଣ ରଖିପାରିବେ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି । ଏକ ଜମିର ପଞ୍ଜୀକରଣ ବନ୍ଦ ପାଇଁ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଲା ରେଜିଷ୍ଟ୍ରାରଙ୍କ ଆଦେଶକୁ  ଚାଲେଞ୍ଜ କରି ସବିତା ଅଗ୍ରୱାଲଙ୍କ ପକ୍ଷରୁ ଦାଏର ପିଟିସନ୍‌ର ଶୁଣାଣି  କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଆନନ୍ଦ ଚନ୍ଦ୍ର ବେହେରା ଏହି ରାୟ ଦେଇଛନ୍ତି । 

ମାମଲାରୁ ଜଣାଯାଇଛି, ବୌଦ୍ଧ ଜିଲ୍ଲାର  ବୌଦ୍ଧଗଡ଼ରେ କିଛି ଜମି ଆବେନଦନକାରୀ ଜଣେ ବ୍ୟକ୍ତିଙ୍କ ନିକଟରୁ  କିଣିଥିଲେ । ଏହି ଜମି ଦାଖଲ-ଖାରଜ ପାଇଁ ଆବେଦକାରୀ ବୌଦ୍ଧ  ଉପଜିଲ୍ଲାପାଳଙ୍କ ନିକଟରେ ଆବେଦନ କରିଥିଲାବେଳେ ଏହି ଜମିର  ପଞ୍ଜୀକରଣ ବନ୍ଦ ପାଇଁ ସବ୍‌ ରେଜିଷ୍ଟ୍ରାରଙ୍କୁ ଜିଲ୍ଲା ରେଜିଷ୍ଟ୍ରାର ନିର୍ଦ୍ଦେଶ  ଦେଇଥିଲେ । ଏହି ଆଦେଶକୁ ଚାଲେଞ୍ଜ କରି ଆବେଦନକାରିଣୀ  ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । 

ହାଇକୋର୍ଟ ଏହି ମାମଲାର  ଶୁଣାଣି ପରିପ୍ରେକ୍ଷୀରେ କହିଛନ୍ତି ଯେ, ରେଜିଷ୍ଟ୍ରସନ୍‌ ଆଇନର ଧାରା ୬୮ରେ ସବ୍‌ ରେଜିଷ୍ଟ୍ରାରଙ୍କୁ ନିୟନ୍ତ୍ରଣ କରିବାର କ୍ଷମତା  ରେଜିଷ୍ଟ୍ରାର୍‌ଙ୍କୁ ଦିଆଯାଇଛି । ତେବେ ଏହି ଧାରାରେ ରେଜିଷ୍ଟ୍ରାର କିନ୍ତୁ  ଜମି ପଞ୍ଜୀକରଣ ପାଇଁ ସବ୍‌-ରେଜିଷ୍ଟ୍ରାର୍‌ ଦେଇଥିବା ଆଦେଶକୁ  ବନ୍ଦ କରିପାରିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ତେଣୁ ବୌଦ୍ଧ  ରେଜିଷ୍ଟ୍ରାରଙ୍କ ଆଦେଶ ଆଇନ ଦୃଷ୍ଟିରୁ ଗ୍ରହଣୀୟ ନୁହେଁ ବୋଲି  ହାଇକୋର୍ଟ ମତ ଦେବା ସହ ଜମି ପଞ୍ଜୀକରଣ ବନ୍ଦ ପାଇଁ  ଦେଇଥିବା ଆଦେଶକୁ ରଦ୍ଦ କରି ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.