ନବରଙ୍ଗପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର, ଗର୍ଭବତୀଙ୍କୁ ଖଟିଆରେ ବୋହି ନଦୀ ପାର କଲେ ସଂପର୍କୀୟ

pic- internet
ଉମରକୋଟ:୨୮/୦୬: ନବରଙ୍ଗପୁର ଜିଲ୍ଲା ଉପାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ଗର୍ଭବତୀଙ୍କୁ ଖଟିଆରେ ବୋହି ଭରା ନଦୀ ପାର କଲେ ସଂପର୍କୀୟ। ଗାଁକୁ ରାସ୍ତା ନଥିବା ବେଳେ ନଦୀରେ ପୋଲ ନିର୍ମାଣ ମଧ୍ୟ ହୋଇପାରିନି। ଏଭଳି ସ୍ଥିତିରେ ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ମହିଳାଙ୍କୁ ୧ କିଲୋମିଟର ଖଟିଆରେ ବୋହିବା ସହ ନଦୀ ପାର କରାଇଛନ୍ତି ସଂପର୍କୀୟ।
ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ସ୍ଥିତ ଡାହିମାଲ ଗ୍ରାମରେ। ଗ୍ରାମର ଦୁଇମହାଲ ସାହିର ଭଜନ ଭତ୍ରାଙ୍କ ପତ୍ନୀ ୨୦ ବର୍ଷିଆ ଉଷାବତୀ ଭତ୍ରାଙ୍କୁ ପ୍ରସବ ପାଇଁ ପରିବାର ଲୋକେ ସ୍ଥାନୀୟ ଆଶା କର୍ମୀ ନଳିନୀ ହରିଜନଙ୍କୁ ଖବର ଦେଇଥିଲେ। ନଳିନୀ ତୁରନ୍ତ ପହଞ୍ଚି ଉଷାବତୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ନେବା ପାଇଁ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ।
ହେଲେ ଦୁଇମହାଲ ସାହି ଠାରୁ ୧ କିଲୋମିଟର ଦୂରରେ ଥିବା ନଦୀରେ ପୋଲ ନିର୍ମାଣ ହୋଇ ନଥିବାରୁ ନଦୀ ନିକଟରେ ଆମ୍ବୁଲାନ୍ସ ଅଟକି ଯାଇଥିଲା। ପରେ ଆମ୍ବୁଲାନ୍ସ ଚାଳକ ବଂଶୀ ହରିଜନ ଚାଲି ଚାଲି ଦୁଇମହାଲ ସାହିରେ ପହଞ୍ଚିଥିଲେ। ନଦୀ ନିକଟରେ ଆମ୍ବୁଲାନ୍ସ ଅଟକି ଯାଇଥିବା ଜାଣିବା ପରେ ସ୍ଥାନୀୟ ଆଶା କର୍ମୀ ଓ ଆମ୍ବୁଲାନ୍ସ ଚାଳକଙ୍କ ସହାୟତାରେ ସଂପର୍କୀୟମାନେ ଉଷାବତୀଙ୍କୁ ୧ କିଲୋମିଟର ଖଟିଆରେ ବୋହି ନେଇଥିଲେ।