ପେଟ୍ରୋଲ ପମ୍ପରେ ୨ ହଜାର ଟଙ୍କିଆ ନୋଟ୍ ଦେଖି ରାଗିଗଲେ, ଗାଡିରୁ କାଢିଦେଲେ ତେଲ

ନୂଆଦିଲ୍ଲୀ ୨୩/୫: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଦ୍ୱାରା ୨ ହଜାର ଟଙ୍କିଆ ନୋଟ୍ ଫେରାଇ ନିଆଯିବା ଖବର ମାର୍କେଟକୁ ଆସିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ବ୍ୟାଙ୍କ ଦ୍ୱାରା ସମୟ ଦିଆଯାଇଛି ଏବଂ ଲୋକମାନେ ଏହି ସମୟ ମଧ୍ୟରେ ୨ ହଜାର ଟଙ୍କିଆ ନୋଟ୍ ବ୍ୟାଙ୍କରେ ବଦଳାଇପାରିବେ । ଏହା ମଧ୍ୟରେ ଲୋକମାନେ ପେଟ୍ରୋଲ ପମ୍ପରେ ୨ ହଜାର ଟଙ୍କିଆ ନୋଟ୍ ନେଇ ତେଲ ପକାଇବାକୁ ଯାଉଛନ୍ତି । ପେଟ୍ରୋଲ ପମ୍ପରେ ୨ ହଜାର ଟଙ୍କା ଧରି ଲୋକମାନେ ଲମ୍ବା ଲାଇନ୍ ଲଗାଉଥିବା ଦୃଶ୍ୟ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଉତ୍ତର ପ୍ରଦେଶର ଜାଲୌନରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତି ପେଟ୍ରୋଲ ଭରିବା ପାଇଁ ପହଞ୍ଚିଲା । ସେ ନିଜ ସ୍କୁଟିରେ ପେଟ୍ରୋଲ ପକାଇଲା ଏବଂ ୨ ହଜାର ଟଙ୍କିଆ ନୋଟ୍ ବାହାର କରି ପେଟ୍ରୋଲ ପମ୍ପ କର୍ମଚାରୀକୁ ଦେଲା । କିନ୍ତୁ ପରେ ତା ସ୍କୁଟିରୁ ପେଟ୍ରୋଲ ବାହାର କରିନିଆଯାଇଥିବା ମାମଲା ସାମ୍ନାକୁ ଆସିଛି । ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା…
ସୂଚନା ଅନୁସାରେ ଏହି ପୁରା ମାମଲା ଜାଲୌନର ଏକ ପେଟ୍ରୋଲ ପମ୍ପର ବୋଲି କୁହାଯାଉଛି । ଏହି ପେଟ୍ରୋଲ ପମ୍ପରେ ଜଣେ ଯୁବକ ନିଜ ସ୍କୁଟିରେ ପେଟ୍ରୋଲ ପକାଇବା ପାଇଁ ପହଞ୍ଚିଲା ଏବଂ ୪୦୦ ଟଙ୍କାର ତେଲ ପକାଇଲା । ଏହା ପରେ ସେ ୨ ହଜାର ଟଙ୍କିଆ ନୋଟ୍ ବାହାର କରି ପମ୍ପ କର୍ମଚାରୀକୁ ଦେଲା । କର୍ମଚାରୀ ଜଣକ କହିଲା କି ତା ପାଖରେ ଚେଞ୍ଜ ପଇସା ନାହିଁ । ଅନ୍ୟପଟେ ଯୁବକ ଜଣକ କହିଲେ କି ତାଙ୍କ ପାଖରେ ସେହି ଗୋଟିଏ ନୋଟ୍ ଅଛି ଏବଂ ଆଉ ପଇସା ନାହିଁ । ଏହା ପରେ ଧିରେ ଧିରେ କଥା ଆଗକୁ ବଢି ଯୁକ୍ତି ତର୍କ ଲାଗିଲା । ଶେଷରେ ପେଟ୍ରୋଲ ପମ୍ପ ତରଫରୁ କୁହାଗଲା କି ସ୍କୁଟିରୁ ପେଟ୍ରୋଲ ବାହାର କରାଯିବ ଏବଂ ଯୁବକଙ୍କୁ ତାଙ୍କ ପଇସା ଫେରାଇ ଦିଆଯିବ ।
ଯୁବକ ଜଣକ ଅଟକାଇବା ପରେ ମଧ୍ୟ ପେଟ୍ରୋଲ ପମ୍ପ କର୍ମଚାରୀ ଶୁଣିଲେନି ଏବଂ ସମସ୍ତେ ମିଶି ଯେତିକି ପେଟ୍ରୋଲ ଭରାଯାଇଥିଲା ତାକୁ କାଢିଦେଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯୁବକଙ୍କ କହିବାନୁସାରେ ୨ ହଜାର ଟଙ୍କିଆ ନୋଟ୍ ପାଇଁ ଏମିତି ହୋଇଛି । ତେବେ ଏନେଇ କୌଣସି ବି ଅଭିଯୋଗ ହୋଇଥିବା ସୂଚନା ମିଳିନି । କହିରଖୁଛୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ୨ ହଜାର ଟଙ୍କିଆ ନୋଟକୁ ନେଇ ଲୋକଙ୍କୁ ନିର୍ଦ୍ଧାରିତ ସମୟର ଆଶ୍ୱସ୍ତି ଦେଇଛି । ୩୦ ସେପ୍ଟେମ୍ବର ୨୦୨୩ ସୁଦ୍ଧା ଏଥିପାଇଁ ସମୟ ଦିଆଯାଇଛି । ଏହି ସମୟ ମଧ୍ୟରେ ଲୋକମାନେ ନିଜ ୨୦୦୦ ଟଙ୍କାର ନୋଟ୍ ବ୍ୟାଙ୍କରେ ଜମା କରିପାରିବେ ।