ପଟନା: ଫକିରମୋହନ କଲେଜ ପୀଡିତାଙ୍କ କଥା ମନରୁ ନଲିଭୁଣୁ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବିହାରର ରାଜଧାନୀ ପଟନାରେ ଜଣେ ସ୍କୁଲ ଛାତ୍ରୀ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଛନ୍ତି। ଯାହାକୁ ନେଇ ବିହାରରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ସୂଚନା ମୁତାବକ, ପଟନାର ଗର୍ଦ୍ଦାନିବାଗ ଅଞ୍ଚଳର ଥିବା ଏକ ସ୍କୁଲରେ ପାଠ ପଢୁଥିବା ଜଣେ ନାବାଳିକା ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ବହୁତ ଉତ୍ତେଜନା ସୃଷ୍ଟି ହୋଇଥିଲା ଏବଂ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଲୋକ ଜମା ହୋଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ଶୀଘ୍ର ପହଞ୍ଚିଥିଲା, କିନ୍ତୁ ଉତ୍ୟକ୍ତ ଜନତା ଜଣେ ଅଧିକାରୀଙ୍କୁ ଆକ୍ରମଣ କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା।
ଏ ଘଟଣା ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ଏକ ଭିଡିଓରେ ଉତ୍ତ୍ୟକ୍ତ ଲୋକମାନେ ସ୍କୁଲ ପରିସର ଭିତରକୁ ଧସେଇ ପଶୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ଲୋକମାନେ ସ୍କୁଲର ଚେୟାର ଟେବୁଲ ଭାଙ୍ଗୁଥିବା ସହ ଜଣେ ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରୁଥିବା ଦେଖିବାକୁ ମିଳିଛି।
ନିଆଁରେ ଜଳି ଗୁରୁତର ହୋଇଯାଇଥିବା ଛାତ୍ରୀଙ୍କୁ ପିଏମସିଏଚ୍(ପଟନା ମେଡିକାଲ କଲେଜ ଆଣ୍ଡ ହସପିଟାଲ)କୁ ସ୍ଥାନାନ୍ତର କରାଯାଇଛି। ତେବେ ଛାତ୍ରୀ ଜଣକ କ’ଣ ପାଇଁ ନିଜ ଦେହରେ ନିଆଁ ଲଗାଇଥିଲେ ତାହାର କାରଣ ସ୍ପଷ୍ଟ ହୋଇପାରିନାହିଁ। ତେବେ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି।