ନୂଆଦିଲ୍ଲୀ, ୨୨।୭: ରୁଷିଆର ଅର୍ଥବ୍ୟବସ୍ଥା ପାଇଁ ଢାଲ ସାଜିଛି ଭାରତ । ଆମେରିକାର କଟକଣା ସତ୍ତ୍ୱେ ଭାରତୀୟ ରିଫାଇନାରୀଗୁଡ଼ିକ ରୁଷିଆରୁ ବିପୁଳ ପରିମାଣରେ କ୍ରୁଡ୍ ଅଏଲ୍ ଆମଦାନୀ ଜାରି ରଖିଛନ୍ତି । ବ୍ଲୁମବର୍ଗ ରିପୋର୍ଟ ଅନୁଯାୟୀ, ଗତ ମାସରେ ଭାରତୀୟ ବନ୍ଦରଗୁଡ଼ିକରେ ରୁଷିଆରୁ ଦୈନିକ ୨୩ ଲକ୍ଷ ବ୍ୟାରେଲରୁ ଅଧିକ ତେଲ ପହଞ୍ଚିଛି । ଚଳିତ ଜୁଲାଇ ମାସରେ ମଧ୍ୟ ଏହି ସପ୍ଲାଇ ପ୍ରାୟ ସମାନ ସ୍ତରରେ ରହିଛି, ଯାହା ରୁଷିଆ-ୟୁକ୍ରେନ ଯୁଦ୍ଧ ପୂର୍ବରୁ ପ୍ରାୟ ଶୂନ୍ୟ ଥିଲା ।
ଆମେରିକୀୟ କଟକଣାକୁ ଏଡ଼ାଇ ବଢ଼ୁଛି ସପ୍ଲାଇ:
ରୁଷିଆର ଅନେକ ବଡ଼ ତେଲ ଉତ୍ପାଦନକାରୀ କମ୍ପାନୀ ଉପରେ ଆମେରିକାର କଠୋର ପ୍ରତିବନ୍ଧକ ରହିଛି । ଗତବର୍ଷ ଶେଷ ଆଡ଼କୁ ଏହି କଟକଣା ଲାଗୁ ହେବା ପରେ ରୁଷିଆରୁ ତେଲ ଯୋଗାଣ କମିଯିବ ବୋଲି ଆଶଙ୍କା କରାଯାଉଥିଲା । ମାତ୍ର ମଧ୍ୟସ୍ଥମାନଙ୍କ ଜରିଆରେ ଭାରତକୁ ହେଉଥିବା ଏହି ସିପମେଣ୍ଟରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ ମିଳିଛି । ମଧ୍ୟପ୍ରାଚ୍ୟ ଓ ପର୍ସିଆନ୍ ଗଲ୍ଫରୁ ତେଲ ଯୋଗାଣ କମିବା ଏବଂ ରୁଷିଆନ୍ ତେଲର ଦର ହ୍ରାସ ପାଇବା ଫଳରେ ଭାରତୀୟ କ୍ରେତାମାନେ ରୁଷିଆ ଆଡ଼କୁ ଅଧିକ ଆକୃଷ୍ଟ ହୋଇଛନ୍ତି । ୟୁକ୍ରେନ ପକ୍ଷରୁ ରୁଷିଆର ତେଲ ରିଫାଇନାରୀଗୁଡ଼ିକ ଉପରେ କ୍ରମାଗତ ଡ୍ରୋନ୍ ଆକ୍ରମଣ କରାଯାଉଛି । ନିକଟରେ ମସ୍କୋ ନିକଟସ୍ଥ ୟାରୋସ୍ଲାଭରେ ଥିବା 'ୟାନୋସ୍' ରିଫାଇନାରୀ ଉପରେ ଆକ୍ରମଣ ହୋଇଥିଲା । ଏହି କାରଣରୁ ରୁଷିଆରେ ତେଲ ଶୋଧନ କ୍ଷମତା ଗତ ୨୧ ବର୍ଷର ସବୁଠୁ ନିମ୍ନ ସ୍ତରକୁ ଖସି ଆସିଛି । ଫଳରେ ନିଜ ଦେଶରେ ପ୍ରୋସେସ୍ ହୋଇପାରୁ ନଥିବା କଞ୍ଚା ତେଲକୁ ରୁଷିଆ ବାହାର ଦେଶକୁ ରପ୍ତାନି କରିବାକୁ ବାଧ୍ୟ ହେଉଛି । ଉତ୍ପାଦନ କମିଥିଲେ ସୁଦ୍ଧା ସମୁଦ୍ର ପଥରେ ରୁଷିଆର ଦୈନିକ ରପ୍ତାନି ୪୧.୬ ଲକ୍ଷ ବ୍ୟାରେଲ୍ ପାଖାପାଖି ରହିଛି ।
ଏହା ବି ପଢ଼ନ୍ତୁ... Share Market Crash: ୪ ଘଣ୍ଟାର ଟ୍ରେଡିଂରେ ୪ ଲକ୍ଷ କୋଟି ଟଙ୍କାର ଝଟକା, ଖସିଲା ସେସସେକ୍ସ-ନିଫ୍ଟି
ଗତ ୧୩ ସପ୍ତାହ ହେବ ରୁଷିଆ କଞ୍ଚା ତେଲର ଦାମ୍ରେ କ୍ରମାଗତ ହ୍ରାସ ଘଟିଛି । ଏପ୍ରିଲ ମାସର ସର୍ବୋଚ୍ଚ ଦର ତୁଳନାରେ ଏବେ ଏହା ପ୍ରାୟ ଅଧା ଦାମ୍ରେ ମିଳୁଛି, ଯାହା ଭାରତୀୟ ରିଫାଇନାରୀଗୁଡ଼ିକ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଛି । ତେବେ ଆଗାମୀ ଦିନରେ ଆମେରିକାର ନୂଆ ପଦକ୍ଷେପ ଏହି ବ୍ୟବସାୟ ଉପରେ ପ୍ରଭାବ ପକାଇପାରେ । ଆମେରିକୀୟ ସିନେଟରମାନେ ଏକ ନୂଆ ବିଲ୍ ଆଣିବାକୁ ଯାଉଛନ୍ତି, ଯେଉଁଥିରେ ରୁଷିଆରୁ ତେଲ ଓ ଗ୍ୟାସ୍ କିଣୁଥିବା ଶୀର୍ଷ ୫ଟି ଦେଶ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଟାରିଫ୍ ଲଗାଇବାର ପ୍ରସ୍ତାବ ରହିଛି । ଆମେରିକା ଓ ଭାରତ ମଧ୍ୟରେ ବାଣିଜ୍ୟିକ ଆଲୋଚନା ଚାଲିଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଶୁଳ୍କ ଲାଗୁ କରିବେ କି ନାହିଁ, ତାହା ଉପରେ ସାରା ବିଶ୍ୱର ନଜର ରହିଛି ।