ଅଯୋଧ୍ୟା, ୨୨।୭: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପରବର୍ତ୍ତୀ ମୁଖ୍ୟ ନିର୍ବାହୀ ଅଧିକାରୀ (CEO) ଚୟନ ପ୍ରକ୍ରିୟା ବର୍ତ୍ତମାନ ଜୋରଦାର ଚାଲିଛି । ଏହି ପ୍ରତିଷ୍ଠିତ ପଦବୀ ପାଇଁ ସାରା ଦେଶରୁ ୫,୫୦୦ରୁ ଅଧିକ ଆବେଦନ ମିଳିଛି । ଆବେଦନକାରୀଙ୍କ ମଧ୍ୟରେ ଅନେକ ଅବସରପ୍ରାପ୍ତ IAS, IPS ଏବଂ ପ୍ରଶାସନିକ ଅଧିକାରୀ ଶାମିଲ ଅଛନ୍ତି । ଟ୍ରଷ୍ଟ ପକ୍ଷରୁ CEO ପଦବୀ ପାଇଁ କିଛି ସ୍ୱତନ୍ତ୍ର ସର୍ତ୍ତ ଓ ଯୋଗ୍ୟତା ରଖାଯାଇଛି । ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଲେଖିବା ଓ କହିବାରେ ଭଲ ଦକ୍ଷତା, ପ୍ରଶାସନିକ ଏବଂ ପରିଚାଳନା କ୍ଷେତ୍ରରେ ପର୍ଯ୍ୟାପ୍ତ ଅଭିଜ୍ଞତା, ପ୍ରାର୍ଥୀ ଭାରତୀୟ ନାଗରିକ ହୋଇଥିବା ସହ ସନାତନ ଧର୍ମରେ ଗଭୀର ଆସ୍ଥା ରଖିଥିବା ଆବଶ୍ୟକ । ବିଦେଶରେ ରହୁଥିବା ଭାରତୀୟ ନାଗରିକମାନେ ମଧ୍ୟ ଏହି ପଦ ପାଇଁ ଯୋଗ୍ୟ ।
ଏହା ବି ପଢ଼ନ୍ତୁ... Manipur Militants Surrender: ମଣିପୁରରେ ଶାନ୍ତି ପ୍ରକ୍ରିୟାକୁ ବଡ଼ ସଫଳତା; ବିପୁଳ ମାରଣାସ୍ତ୍ର ଜବତ, ୪୬ ଉଗ୍ରବାଦୀଙ୍କ ଆତ୍ମସମର୍ପଣ
ଇଣ୍ଟରଭ୍ୟୁ ମାଧ୍ୟମରେ ହେବ ଚୟନ:
ତିନି ଜଣିଆ ସିଲେକ୍ସନ କମିଟି ବର୍ତ୍ତମାନ ଆବେଦନଗୁଡ଼ିକର ଯାଞ୍ଚ କରୁଛନ୍ତି । ପ୍ରଥମେ ମିଳିଥିବା ଆବେଦନପତ୍ର ଆଧାରରେ ପ୍ରାର୍ଥୀଙ୍କୁ ଶର୍ଟଲିଷ୍ଟ କରାଯିବ । ଏହାପରେ କିଛି ପ୍ରାର୍ଥୀଙ୍କ ସହ ଭର୍ଚୁଆଲ୍ ଆଲୋଚନା ହେବ ଏବଂ କିଛି ଜଣଙ୍କୁ ଫିଜିକାଲ୍ ଇଣ୍ଟରଭ୍ୟୁ ପାଇଁ ଡକାଯିବ । ଏହି ଚୟନ ପ୍ରକ୍ରିୟା ପ୍ରାୟ ୪ ସପ୍ତାହ ପର୍ଯ୍ୟନ୍ତ ଚାଲିବ ଏବଂ ୧୫ ଅଗଷ୍ଟ ସୁଦ୍ଧା ନୂଆ CEOଙ୍କ ନାମ ଘୋଷଣା ହେବାର ସମ୍ଭାବନା ରହିଛି । ଏହି ନିଯୁକ୍ତି ୩ ବର୍ଷିଆ କଣ୍ଟ୍ରାକ୍ଟଚୁଆଲ ଆଧାରରେ କରାଯିବ । ଏହି ମଧ୍ୟରେ ବୁଧବାର ସୁଦ୍ଧା ଟ୍ରଷ୍ଟର ମୋଟ୍ ୧୫ ଜଣିଆ ଟ୍ରଷ୍ଟି ସଂଖ୍ୟା ପୂରଣ ହେବାକୁ ଯାଉଛି । ଅଯୋଧ୍ୟାର ପୂର୍ବତନ ରାଜା ବିମଲେନ୍ଦ୍ର ମୋହନ ପ୍ରତାପ ମିଶ୍ରଙ୍କ ପରଲୋକ, ପୂର୍ବତନ ମହାସଚିବ ଚମ୍ପତ ରାୟ ଏବଂ ଟ୍ରଷ୍ଟି ଅନିଲ ମିଶ୍ରଙ୍କ ଇସ୍ତଫା ପରେ ତିନୋଟି ପଦବୀ ଖାଲି ପଡ଼ିଥିଲା । ଏହି ତିନୋଟି ଖାଲି ପଦବୀକୁ ଶୀଘ୍ର ପୂରଣ କରାଯିବ ବୋଲି ସୂଚନା ମିଳିଛି ।